ସରକାରଙ୍କ ସୌରଚାଳିତ ଗଭୀର ନଳକୂପ ଯୋଜନାକୁ ଧକ୍‌କା: ବିବାଦରେ ୪୯୨ କୋଟିର ପ୍ରକଳ୍ପ

ରାଜ୍ୟରେ ପାଞ୍ଚବର୍ଷରେ ୧୨୫୦୦ ନଳକୂପ ପାଇଁ ଲକ୍ଷ୍ୟ ରହିଛି
ପ୍ରକଳ୍ପକୁ ବିଧାୟକଙ୍କ ବିରୋଧ, କମ୍‌ ଦିନରେ ଖରାପ ହେଉଛି
ଓରେଡ଼ା ରକ୍ଷଣାବେକ୍ଷଣ ଠିକ କରୁ ନ ଥିବା ଅଭିଯୋଗ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଳସେଚନ ପାଇଁ ଆସନ୍ତା ୫ବର୍ଷରେ ୧୨୫୦୦ଟି ସୌର ଚାଳିତ ଗଭୀର ନଳକୂପ ବସାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ହେଲେ ଏହି ‌ସୌରଚାଳିତ ଗଭୀର ନଳକୂପ ପ୍ରକଳ୍ପକୁ ଆଉ କେହି ନୁହେଁ, ଖୋଦ୍ ବିଧାୟକମାନେ ବିରୋଧ କରିଛନ୍ତି। ନିକଟରେ ବସିଥିବା ବିଧାନସଭାର ଷ୍ଟାଣ୍ଡିଂ କମିଟି ବୈଠକରେ ବିଧାୟକମାନେ ଏକ ସ୍ବରରେ ଏହି ପ୍ରକଳ୍ପକୁ ଉତ୍ସାହିତ ନକରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଫଳରେ ସୌରଚାଳିତ ଏହି ପ୍ରକଳ୍ପ ଏବେ ବିବାଦ ଘେରକୁ ଆସିଯାଇଛି। ପ୍ରଶ୍ନ ଉଠୁଛି, ସରକାର ନିଜ ନିଷ୍ପତ୍ତିରେ ଅଟଳ ରହିବେ ନା କ୍ଷେତ୍ର ସ୍ତରରେ ସମସ୍ୟାର ସାମ୍ନା କରୁଥିବା ବିଧାୟକଙ୍କ କଥା ଶୁଣିବେ? ପାଖାପାଖି ୫୦୦ କୋଟି ଟଙ୍କାର ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପୂର୍ବରୁ ସରକାର ଏହାର ବାସ୍ତବତା ସଂପର୍କରେ ବିଚାର କରିଥିଲେ ନା ନାହିଁ? ଏବେ ଯେତେ ପ୍ରକଳ୍ପ ଅଚଳ ହୋଇଗଲାଣି, ସେଥିପାଇଁ କାହାକୁ ଉତ୍ତରଦାୟୀ କରାଯିବ?

୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ରାଜ୍ୟର ବିଭିନ୍ନ ଅଣ ଜଳସେଚିତ ଅଞ୍ଚଳରେ ସୌରଚାଳିତ ଗଭୀର ନଳକୂପ ବସାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ ୫ବର୍ଷରେ ୧୨୫୦୦ ନଳକୂପ ପାଇଁ ୪୯୨କୋଟି ୫୦ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳକୁ ଅନୁମୋଦନ ମିଳିଛି। ଅର୍ଥାତ୍ ଗୋଟିଏ ନଳକୂପ ପିଛା ପାଖାପାଖି ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ହେଲେ ରାଜ୍ୟ ସରକାରଙ୍କ ଏହି ବଡ଼ ଯୋଜନାକୁ ନେଇ ବହୁ ବିଧାୟକ ସନ୍ତୁଷ୍ଟ ନାହାନ୍ତି। ବିଧାୟକଙ୍କ ଯୁକ୍ତି ଯେ ଏହି ପ୍ରକଳ୍ପ ନିର୍ମାଣରେ ଅହେତୁକ ବିଳମ୍ବ ହେଉଛି। ଯେଉଁଠି ହେଉଛି ତାହା ଫଳପ୍ରଦ ହେଉନି। ଯେଉଁଠି ସୌର ପ୍ୟାନେଲ ଲାଗୁଛି ସେଠାରେ ପାଗ କୋହଲା ହେଲେ ଚାଷ ପାଇଁ ପାଣି ମଡ଼ାଯାଇପାରୁନି। ବର୍ଷାଦିନେ ଏହି ପ୍ରକଳ୍ପ କାମ କରୁନି। ଏପରିକି ବଜ୍ରପାତରେ ପ୍ୟାନେଲ୍ ପୋଡ଼ିଯାଉଛି। ଅଧିକାଂଶ ସମୟରେ ଏହା ଖରାପ ହେଉଥିବାବେଳେ ଏହାର ଠିକ୍ ସମୟରେ ମରାମତି ହେଉନି। ଏହିଭଳି ବହୁ ବୋରୱେଲ୍‌ ବର୍ଷେ ଭିତରେ ଅଚଳ ହୋଇପଡ଼ିଛି। ତେଣୁ ଏହାକୁ ରାଜ୍ୟ ସରକାର ପ୍ରୋତ୍ସାହିତ ନକରନ୍ତୁ। ଯଦି ବୋରୱେଲ ଯୋଗାଇବାର ଅଛି ତେବେ ବିଦ୍ୟୁତ ଚାଳିତ ବୋରୱେଲ ବସାଯାଉ। ଏହାଦ୍ବାରା ଚାଷୀ ଉପକୃତ ହେବ। ତେଣୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇବାକୁ ବିଧାୟକମାନେ ଗତ ୨୩ତାରିଖରେ ବସିଥିବା ପୂର୍ତ୍ତ ଓ ଜଳସମ୍ପଦ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକରେ କହିଛନ୍ତି।

kredl.karnataka.gov.in

ଅପରପକ୍ଷେ ଏହି ସବୁ ସୌରଚାଳିତ ବୋରୱେଲ ବସାଇବାକୁ ଓଡ଼ିଶା ଉଠାଜଳସେଚନ ନିଗମ (ଓଏଲ୍‌ଆଇସି)କୁ ଟେଣ୍ଡର ଦାୟିତ୍ବ ଦିଆଯାଇଥିବାବେଳେ କେଉଁ ବର୍ଷ କେତେ ବୋରୱେଲ ବସିବ ସେନେଇ ଖସଡ଼ା ପ୍ରସ୍ତୁତ କରିବାକୁ କୁହାଯାଇଛି। ଉଦ୍‌ବେଗର ବିଷୟ ହେଲା, ଓଏଲ୍‌ଆଇସି ଏହି ପ୍ରକଳ୍ପର ଦାୟିତ୍ବ ନେଇଥିଲେ ବି ଓରେଡା ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଉଛି। ଯେହେତୁ ଓରେଡ଼ା ଏକ ସରକାରୀ ସଂସ୍ଥା ତେଣୁ ଓଏଲ୍‌ଆଇସି ତାକୁ ପ୍ରକଳ୍ପ ଦାୟିତ୍ବ ଦେଉଛି। କେବଳ ବୋର୍‌ୱେଲ୍‌ ଖୋଳିବା କାମ ଓଏଲ୍‌ଆଇସିର। ଏହା ପରେ ଏଠାରେ ଯେଉଁ ସୋଲାର ପ୍ୟାନେଲ୍‌ ଲାଗୁଛି ତାହା ଓରେଡ଼ା ଲଗାଉଛି। ଓରେଡ଼ା କିଛି ସୌରପ୍ୟାନେଲ ଯୋଗାଣକାରୀ ସଂସ୍ଥାଙ୍କୁ ପଞ୍ଜୀକୃତ କରିଛି। ସେମାନେ ଏହି ପ୍ୟାନେଲ୍ ଲଗାଉଛନ୍ତି। ତେଣୁ ଏହାର ରକ୍ଷଣାବେକ୍ଷଣ ସେମାନେ କରିବା କଥା।

କିନ୍ତୁ କାମ କରୁ୍‌ଥିବା ସଂସ୍ଥା ରକ୍ଷଣାବେକ୍ଷଣ ଠିକ୍ ଭାବେ କରୁ ନ ଥିବାର ଅଭିଯୋଗ ବାରମ୍ବାର ଆସୁଛି। ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ବାରମ୍ବାର ଉଠିଛି। ଏ ସଂକ୍ରାନ୍ତରେ ଜଳସମ୍ପଦ ବିଭାଗ ଓ ଓଏଲ୍‌ଆଇସିରେ ଅଭିଯୋଗ ପହଞ୍ଚୁଛି। କିନ୍ତୁ ଓରେଡ଼ା କାମ କରୁଥିବାରୁ ଓଏଲ୍‌ଆଇସି ହାତ ଟେକିଦେଉଛି। ତେଣୁ ଆଗାମୀ ଦିନରେ ହେବାକୁ ଥିବା ସୌରଚାଳିତ ବୋର୍‌ୱେଲ୍‌ ଯଦି ଚାଷୀଙ୍କ କାମରେ ନ ଲାଗିବ, ତେବେ ସରକାରଙ୍କ କୋଟି କୋଟି ଟଙ୍କା ବରବାଦ ହେବ।

ସମ୍ବନ୍ଧିତ ଖବର