ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରବାସୀ ଓଡ଼ିଆ ପ୍ରତିନିଧି : ଝାରସୁଗୁଡ଼ା ବିମାନବନ୍ଦର କାର୍ଯ୍ୟକ୍ଷମ ଦାବି

ସମ୍ବଲପୁର : ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସବୁଦିନିଆ ବିମାନ ଉଡ଼ାଣ ସେବା କାର୍ଯ୍ୟକାରୀ ପାଇଁ ଦାବି କରାଯାଇଛି। ଏ ନେଇ ୟୁଏଇରେ ରହୁଥିବା ଓଡ଼ିଆ ପ୍ରତିନିଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଏହି ପ୍ରତିନିଧି ଦଳରେ ଇଣ୍ଟରନ୍ୟାସନାଲ ସିଟିଙ୍ଗ ଏଣ୍ତ ଲଜିଷ୍ଟିକ୍ସର ନିର୍ଦ୍ଦେଶକ ତଥା ସିଇଓ କ୍ୟାପଟେନ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବ˚ ୱିପ୍ରୋ ଉନ୍‌ଜା ମିଡ଼ିଲ ଇଷ୍ଟ ଲିମିଟେଡ଼ର ଜିଏମ ପ୍ରିୟଦର୍ଶୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସାକ୍ଷାତ କରି କହିଥିଲେ ଯେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ବହୁ ଆଶା ଆକା˚କ୍ଷାର ପ୍ରତିଫଳନ ଅଟେ। ଏଣୁ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାର ଆବଶ୍ୟକତା ରହିଛି। ସେପ୍ଟେମ୍ବର ୨୨ ତାରିଖ ଏହାର ଉଦଘାଟନ ଅବସରରେ ୟୁଓଇରେ ବାସ କରୁଥିବା ଓଡ଼ିଆମାନେ ବିଶ୍ବର ସର୍ବୋଚ୍ଚ କୋଠା ବୁର୍ଜ ଖଲିଫା ସାମ୍ନାରେ ଉତ୍ସବ ପାଳନ କରିଥିଲେ। ଦୁବାଇ ସ୍ଥିତ କନ୍‌ସୁଲ ଜେନେରାଲଙ୍କୁ ସାକ୍ଷାତ କରି ଝାରସୁଗୁଡ଼ା ବିମାନବନ୍ଦରକୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ମହାନଗରୀ ଗୁଡ଼ିକ ସହିତ ଯୋଡ଼ିବା ପାଇଁ ଦାବି ଜଣାଇଥିଲେ। ଉଦଘାଟନର କିଛି ଦିନ ମଧ୍ୟରେ ଅର୍ଥାତ ମାତ୍ର ୬ଟି ଉଡ଼ାଣ ପରେ ଝାରସୁଗୁଡ଼ାରେ ବିମାନସେବା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବା ଦୁଃଖଦାୟକ ଅଟେ। ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଦାବିପତ୍ରରେ ଦୁବାଇର ଏନଭେଣ୍ଟ ଇଲେକ୍ଟ୍ରିକାଲର ନିର୍ଦ୍ଦେଶକ ତଥା ଜେନେରାଲ ମ୍ୟାନେଜର ମାନସ ପଣ୍ତା, ଜଏଣ୍ଟ ସ୍କୁଲ ଅଫ୍ ଗ୍ଲୋବାଲ ମ୍ୟାନେଜମେଣ୍ଟର ଜିଏମ ରମେଶ ତ୍ରିପାଠୀ, ଭି.ଏଫ.ଏସ ତାସିଲ ଇଣ୍ଟରନ୍ୟାସନାଲର ଲିଗାଲ ହେଡ଼ ଅରବିନ୍ଦ ବିଶ୍ବାଳ, ସୁରାୟା କମ୍ୟୁନିକେସନର ରଜତ ରଥ ପ୍ରମୁଖଙ୍କ ସ୍ବାକ୍ଷର ରହିଛି। ନୂଆଦିଲ୍ଲୀ- ଭୁବନେଶ୍ବର ଏୟାରଇଣ୍ତିଆର ବିମାନ ଗୁଡ଼ିକୁ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ଚଳାଇବା ପାଇଁ ରାଜ୍ୟ ସରକାର ଭାରତ ସରକାରଙ୍କୁ ସୁପାରିସ କରିଥିବା ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ସବ୍‌ସିଡ଼ି ଯୋଗାଇବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇ ଥିଲା।

ସମ୍ବନ୍ଧିତ ଖବର