ଭୁବନେଶ୍ବର: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଓଡ଼ିଶା। ଏଠାରେ ଏସିଆର ସର୍ବବୃହତ ଖାରିପାଣି ହ୍ରଦ ଚିଲିକା ରହିଛି। ପୁଣି ପୁରୀ, ଚାନ୍ଦିପୁର ଓ ଗୋପାଳପୁରର ଶାନ୍ତ ବେଳାଭୂମି, ଶିମିଳିପାଳର ସବୁଜ ଜଙ୍ଗଲ, କୋରାପୁଟର ପାହାଡ଼ ଓ କେନ୍ଦୁଝରର ଜଳପ୍ରପାତ ପ୍ରକୃତିର ମହିମାର ଏକ ଝଲକ ପ୍ରଦାନ କରେ। ଓଡ଼ିଶାରେ ପ୍ରକୃତିର ରହସ୍ୟ ଅନୁସନ୍ଧାନ କରିବା ସହ ଏହାର ଅପରୂପ  ସୌନ୍ଦର୍ଯ୍ୟକୁ ଆବିଷ୍କାର କରିବା ପାଇଁ ପ୍ରବାସୀ ଭାରତୀୟଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ଅସୀମ ସମ୍ଭାବନା ସଂପର୍କରେ ଆଲୋକପାତ କରିଥିଲେ। ସେ କହିଲେ ଯେ, ଓଡ଼ିଶା ହେଉଛି ଜଗନ୍ନାଥ ସଂସ୍କୃତିର ଘର। ଏହା ଏମିତି ଏକ ରାଜ୍ୟ ଯେଉଁଠାରେ ଭକ୍ତି ଓ ବିବିଧତାର ସମ୍ମିଶ୍ରଣ ରହିଛି। କୋଣାର୍କର ସୂର୍ଯ୍ୟ ମନ୍ଦିରର ସ୍ଥାପତ୍ୟଠାରୁ ଆରମ୍ଭ କରି ପୁରୀର ଜଗନ୍ନାଥ ମନ୍ଦିରର ଆଧ୍ୟାତ୍ମିକ ମହିମା ପର୍ଯ୍ୟନ୍ତ ସବୁଠି ଆମର କାଳଜୟୀ ପରମ୍ପରାର ପ୍ରମାଣ ରହିଛି। ଭାରତର ସର୍ବପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଏବଂ ପଟ୍ଟ-ଚିତ୍ରର ଜଟିଳ କଳା, ଆମର ସାଂସ୍କୃତିକ ପରିଚୟକୁ ବିଶ୍ୱରେ ଜୀବନ୍ତ ରଖିପାରିଛି। ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ହସ୍ତତନ୍ତ ଶାଢ଼ୀ ସମେତ ଅନ୍ୟାନ୍ୟ ହସ୍ତତନ୍ତ ପରମ୍ପରା, ଆମ ଲୋକଙ୍କ ସୃଜନଶୀଳତା ଏବଂ କଳାକୃତିର ନିଦର୍ଶନ ହୋଇଛି। 

Advertisment

ଏଠାରେ ଭକ୍ତି ଓ ବିବିଧତାର ସମ୍ମିଶ୍ରଣ ହୋଇଛି
ନିବେଶକ-ଅନୁକୂଳ ରାଜ୍ୟ ମଧ୍ୟରେ ଓଡ଼ିଶା

ଶ୍ରୀ ମାଝୀ କହିଲେ, ବସୁଧୈବ କୁଟୁମ୍ବକମ୍ ନୀତିକୁ ଆପଣେଇ ଓଡ଼ିଶା ସମଗ୍ର ବିଶ୍ୱକୁ  ପରିବାର ମନେ କରିଆସିଛି। ଆଜି ଓଡ଼ିଶା ଭାରତର ସବୁଠାରୁ ନିବେଶକ-ଅନୁକୂଳ ରାଜ୍ୟ ମଧ୍ୟରୁ ଅନ୍ୟତମ ଭାବରେ ଉଭା ହୋଇଛି। ଆମର ସମୃଦ୍ଧ ଖଣିଜ ସମ୍ପଦ ପ୍ରମୁଖ ଶିଳ୍ପଗୁଡ଼ିକୁ ପ୍ରେରଣା ଦିଏ। ଆମର ଆଇଟି, କୃଷି-ପ୍ରକ୍ରିୟାକରଣ ଓ ନବୀକରଣଯୋଗ୍ୟ  ଶକ୍ତି କ୍ଷେତ୍ରଗୁଡ଼ିକ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଓଡ଼ିଶା ଜଳବାୟୁ ସହନଶୀଳ  କୃଷି ଏବଂ ଯୁବପିଢ଼ିଙ୍କ ଦକ୍ଷତା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆମେ ସୃଷ୍ଟି କରିଥିବା ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି, ଉତ୍କର୍ଷତା ପ୍ରତି ଆମର ପ୍ରତିବଦ୍ଧତାର ପ୍ରମାଣ। ଦକ୍ଷିଣ-ପୂର୍ବ ଏସିଆ ସହିତ ସଂଯୋଗ ସ୍ଥାପନ ପାଇଁ ବନ୍ଦର ଏବଂ ଜାହାଜ ଚଳାଚଳ କରିଡର ବିକାଶ କରି ଓଡ଼ିଶା ଏହାର ସାମୁଦ୍ରିକ ଐତିହ୍ୟ ସଂପର୍କକୁ ଉଜ୍ଜୀବିତ କରୁଛି। ଏହା ଦ୍ୱାରା ବାଣିଜ୍ୟର ଦ୍ରୁତ ବିକାଶ ଘଟିବ ଏବଂ ବିଶ୍ୱ ବ୍ୟବସାୟ ଦିଗରେ ଖର୍ଚ୍ଚକୁ  ହ୍ରାସ କରାଯାଇପାରିବ। ବିଶ୍ୱସ୍ତରୀୟ ଭିତ୍ତିଭୂମି, ନିବେଶକ-ଅନୁକୂଳ ନୀତି ଏବଂ ଏକ ଯୁବ-ଦକ୍ଷ ମାନବସମ୍ବଳ ସହିତ, ବ୍ୟବସାୟ ଓ ଉଦ୍ୟୋଗୀମାନଙ୍କ ପାଇଁ ଓଡ଼ିଶା ହେଉଛି ଏକ ଉତ୍ତମ ଗନ୍ତବ୍ୟ ସ୍ଥଳ। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଦୃଷ୍ଟିକୋଣର କେନ୍ଦ୍ରରେ ଓଡ଼ିଶା ରହିଛି। ତାଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ଯାତ୍ରାର ସୁବର୍ଣ୍ଣ ସମୟ ଆରମ୍ଭ ହୋଇସାରିଛି। ସମସ୍ତ ପ୍ରବାସୀ ଭାରତୀୟ ଏହାର ସୁଯୋଗ ନେଇ ଭାରତର ଅଭିବୃଦ୍ଧି ଓ ସମୃଦ୍ଧିରେ ଯୋଗଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।