ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଘାଟିର ତେଲାରାଇ ଗାଁ ନିକଟ ୨୬ନମ୍ବର ଜାତୀୟ ରାଜପଥରେ ଏସିଡ୍‌ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏସିଡ୍‌ ଲିକ୍‌ ହୋଇ ଚାଳକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ରାଜପଥ ଅବରୋଧ ହୋଇ ରହିଛି। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କେବଳ ପାଣି ପକାଇ ସ୍ଥିତି ନିୟନ୍ତ୍ରଣରେ ରଖିଛନ୍ତି। ସମ୍ପୃକ୍ତ କମ୍ପାନିର ଟେକ୍ନିକାଲ ଅଧିକାରୀ ପହଞ୍ଚିଲେ ହିଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି। ଏଣେ ରାସ୍ତା ଅବରୋଧ ଯୋଗୁଁ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ରାଜପଥର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଥିଲା।

Advertisment

ମଧ୍ୟାହ୍ନରେ ଟ୍ୟାଙ୍କର ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା। ଟ୍ୟାଙ୍କରରୁ ଏସିଡ୍‌ ଲିକ୍‌ ହେବାରୁ ପାଖକୁ କେହି ଯାଇପାରି ନଥିଲେ। ଗାଡ଼ିମୋଟର ଚଳାଚଳ ବନ୍ଦ ହୋଇ ଯାଇଥିଲା। ଏସିଡ୍‌ ଅଧିକ ପରିମାଣର ଲିକ୍‌ ହୋଇ ମାଡୁଥିବାରୁ ଦୁର୍ଘଟଣାସ୍ଥଳକୁ ଯିବା ସମ୍ଭବ ହୋଇ ନଥିଲା। ଖବର ପାଇ ପଟ୍ଟାଙ୍ଗି ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଅକ୍ସିଜେନ ସହାୟତାରେ ଟ୍ୟାଙ୍କର ନିକଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏସିଡ୍‌ ସଂସ୍ପର୍ଶରେ ଆସି ଟ୍ୟାଙ୍କର ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ହେଲପର୍‌ ନଥିବା ଜଣାପଡିଥିଲା। ଅଘଟଣ ଆଶଙ୍କାରେ ପୁଲିସ ରାଜପଥରେ ଗାଡ଼ି ଚଳାଚଳକୁ ବନ୍ଦ କରିଥିଲା। ଭାରିଯାନଗୁଡିକ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକ ରହିଥିବା ବେଳେ ଛୋଟ କାର୍‌ ଓ ଯାତ୍ରୀବାହୀ ବସ୍‌କୁ ପୁକାଲି ରାସ୍ତା ଦେଇ ଛଡା ଯାଉଥିବା ଜଣାପଡିଛି। ଟ୍ୟାଙ୍କରରୁ ଏସିଡ୍ ଏତେ ଜୋର୍‌ରେ ଲିକ୍‌ ହେଉଛି ଯେ, ଦୁର୍ଘଟଣାସ୍ଥଳର ୫୦୦ମିଟର ପରିସୀମା ମଧ୍ୟକୁ ଯିବା ସମ୍ଭବ ହେଉ ନଥିବା ବେଳେ ପୁଲିସ କାହାକୁ ଛାଡୁନି। ଅଗ୍ନିଶମ କର୍ମଚାରୀ ପହଞ୍ଚି ପାଣି ସିଞ୍ଚନ ଜାରି ରଖିଛନ୍ତି।