ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୯ ମୃତ

କୋଟପାଡ଼ ନିକଟରେ ଦୁର୍ଘଟଣା
୧୦ରୁ ଅଧିକ ଗୁରୁତର
ସମସ୍ତଙ୍କ ଘର ଛତିଶଗଡ଼
ଦଶାହ ଭୋଜି ପାଇଁ ଆସିଥିଲେ

କୋଟପାଡ : କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ମୂର୍ତ୍ତାହାଣ୍ଡି ପଞ୍ଚାୟତର ସିନ୍ଧିଗାଁ ନିକଟରେ ଆଜି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୋଟପଡ଼ାଠାରୁ ଦୁର୍ଘଟଣାସ୍ଥଳର ଦୂରତ୍ବ ପାଖାପାଖି ୨୧ କିଲୋମିଟର। ଭାରସାମ୍ୟ ‌ହରାଇ ଗୋଟିଏ ପିକ୍‌ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୯ଜଣଙ୍କ ମୃତ୍ୟୁ ହୋଇଛି। ୧୦ରୁ ଊର୍ଦ୍ଧ୍ବ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପର୍ଯ୍ୟାୟକ୍ରମେ ଗୋଟିଏ ଆମ୍ବୁଲାନ୍ସରେ କୋଟପାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଉଛି। ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଥିବା ବେଳେ ସ୍ଥାନୀୟ ଲୋକ ଏବଂ ପୁଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

ସୂଚନା ଅନୁଯାୟୀ, ସୀମାନ୍ତ ଛତିଶଗଡ଼ ରାଜ୍ୟର କୁଲଚା ଗାଁରୁ ଆଜି ୩୦ରୁ ଊର୍ଦ୍ଧ୍ବ ଜଣ ଗୋଟିଏ ପିକ୍‌ଅପ୍ ଭ୍ୟାନ (ସିଜି ୧୭କେୟୁ ୪୬୨୩) ଯୋଗେ କୋଟପାଡ଼ ବ୍ଲକର ସିନ୍ଧିଗାଁକୁ ଦଶାହ ଭୋଜିରେ ଯୋଗ ଦେବାକୁ ଆସିଥିଲେ। ସଂଧ୍ୟାରେ ପୁଣି ଗାଁକୁ ଫେରିବା ସମୟରେ ସିନ୍ଧିଗାଁ ଛକ ବୁଲାଣିରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଯାହାଫଳରେ ଭ୍ୟାନଟି ନିୟନ୍ତ୍ରଣ ହରାଇ ଗୋଟିଏ ଜମି ମଧ୍ୟକୁ ଖସିପଡ଼ି ଓଲଟି ଯାଇଥିଲା। ଗାଡ଼ି ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ୯ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ଆଖପାଖ ଅଞ୍ଚଳର ଲୋକ ଦୁର୍ଘଟଣା ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଖବର ପାଇ କୋଟପାଡ଼ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲା। କୋଟପାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଗୋଟିଏ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ନେଇଥିଲା। ରାତି ସାଢ଼େ ୧୦ଟା ସୁଦ୍ଧା ୪ଜଣ ଆହତଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ସାରିଥିଲା। ମୃତାହତ ଛତିଶଗଡ଼ର ହୋଇଥିବାରୁ ସେମାନଙ୍କ ପରିଚୟ ମିଳିପାରିନାହିଁ। ତେଣୁ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଚିହ୍ନଟ ପ୍ରକ୍ରିୟା ସରିଲେ ଛତିଶଗଡ଼ରେ ରହୁଥିବା ପରିବାର ଲୋକଙ୍କୁ ଯୋଗାଯୋଗ କରାଯିବ ବୋଲି ଜଣାପଡ଼ିଛି। ଲାଇଟ୍ ସୁବିଧା ନଥିବାରୁ ମୋବାଇଲ ଆଲୁଅରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।

ଗୋଟିଏ ଆମ୍ବୁଲାନ୍ସ ଯୋଗୁଁ ଆହତଙ୍କୁ ଉଦ୍ଧାର କରିବାରେ ସମସ୍ୟା ହୋଇଥିଲା। ତେଣୁ କୋଟପାଡ଼ ପ୍ରେସ୍ କ୍ଲବ୍ ସଭାପତି ପଙ୍କଜ ପାତ୍ର ଏ ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ଯୋଗାଯୋଗ କରିଥିଲେ।

ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜୟପୁର ଉପଜିଲ୍ଲାପାଳ ଆହୁରି ଦୁଇଟି ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପଠାଇଥିବା ସୂଚନା ମିଳିଛି। ନିଜେ ଜୟପୁର ଉପଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇଥିବା ଜଣାପଡ଼ିଛି। ସେହିପରି ଦମକଳ କେନ୍ଦ୍ରରୁ ଗୋଟିଏ ଟିମ୍ ଘଟଣାସ୍ଥଳ ଅଭିମୁଖେ ଯାଇଥିବା ଶୁଣିବାକୁ ମିଳିଛି। ଆବଶ୍ୟକ ପଡ଼ିଲେ ଗୁରୁତର ଆହତଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ଏହି ଦୁଃଖଦ ଖବର ପାଇବା ପରେ ମନ୍ତ୍ରୀ ପଦ୍ମିନୀ ଦିଆନ ଆହତଙ୍କ ଚିକିତ୍ସା ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର