ପୁରୀ: ଜାନୁଆରି ୧୭ ତାରିଖରେ ଲୋକାର୍ପଣ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଯଜ୍ଞସ୍ଥଳକୁ ଯାଇ ଆଶୀର୍ବାଦ ନେବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀସେତୁ, ଶ୍ରୀଦାଣ୍ଡ ଆଦି ବୁଲି ଦେଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରସ୍ତୁତ ହେଉଥିବା ହେଲିପ୍ୟାଡ୍, ସମଙ୍ଗ ପାର୍କିଂ ବୁଲି ଦେଖିଛନ୍ତି। ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଶ୍ରୀଦାଣ୍ଡ ଓ ଶ୍ରୀସେତୁଓ ସ୍ବାଗତ ତୋରଣ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି। ଏହା ଲୋକାର୍ପଣ ପରେ ଜନସାଧାରଣଙ୍କ ପାଇଁ ଏହା ଉନ୍ମୁକ୍ତ କରାଯିବ। ଲୋକାର୍ପଣ ପରେ ଜନସାଧାରଣ ଶ୍ରୀସେତୁରେ ଆସି ଶ୍ରୀଦାଣ୍ଡରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇପାରିବେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷିଣ କରିପାରିବେ।
ସୂଚନାଯୋଗ୍ୟ, ଜାନୁଆରି ୧୭ ତାରିଖ ଅପରାହ୍ଣ ୧ଟା ୧୫ରୁ ସାଢ଼େ ୧ଟା ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଫଳକ ଲୋକାର୍ପଣ କରିବେ। ସାଢ଼େ ୧ଟାରୁ ୨ଟା ଭିତରେ ମହାଯଜ୍ଞର ପୂର୍ଣ୍ଣାହୁତି ଦିଆଯିବ।