ବ୍ରହ୍ମଗିରି : ବିରଳ ଅଲିଭ୍‌ରିଡ୍‌ଲେ କଇଁଛ ହଜାର ହଜାର ମାଇଲ ଅତିକ୍ରମ କରି ଅଣ୍ତାଦେବାକୁ ଉପକୂଳକୁ ଆସିଲେ। ଉପକୂଳଠାରୁ ୧୧ କିଲୋମିଟର ମଧ୍ୟରେ କଇଁଛଙ୍କ ମିଳନ ହେଲା। ସରକାର କଇଁଛଙ୍କ ସୁରକ୍ଷା ପାଇଁ ମାଛଧରା ଉପରେ ଚାରିମାସ କଟକଣା ଜାରିକଲେ। ଏହାରି ଭିତରେ ଫେବ୍ରୁଆରି ମାସ ଅଧା ହେଲାଣି, କିନ୍ତୁ ଉପକୂଳକୁ କଇଁଛ ଅଣ୍ତା ଦେବାକୁ ଉଠୁ ନାହାନ୍ତି। ଗୋଟିଏ ବସାରୁ ବନ ବିଭାଗ ଅଣ୍ତା ଉଦ୍ଧାରକରି ଜଗିରହିଛି।

Advertisment

ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜ୍‌ ଉପକୂଳ ମଙ୍ଗଳା ନଈଠାରୁ ବାଲିହରଚଣ୍ତୀ ମୁହାଣ ପର୍ଯ୍ୟନ୍ତ ରହିଛି। ୨୫ କିଲୋମିଟର ଦୀର୍ଘ ଏହି ଉପକୂଳ ଅ‌ଞ୍ଚଳରେ କଇଁଛଙ୍କ ଭିଡ଼ ଲାଗିଛି। କଇଁଛଙ୍କ ସମାଗମ ହେବା ପରେ ଉଭୟ ସମୁଦ୍ର ଭିତରେ ଓ ଉପକୂଳରେ ବନ ବିଭାଗ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରୁଥିବା ସଫେଇ ଦେଉଛି। କିନ୍ତୁ ପ୍ରତିଦିନ ୫୦ରୁ ଅଧିକ କଇଁଛଙ୍କ ଶବ ଗୋଟାଇବାରେ ଲାଗିଛି ବନ ବିଭାଗ। ଅନ୍ୟପଟେ ରେଞ୍ଜ୍‌ର ଚାପମାଣିକ ବିଟ୍‌ ଇଲାକା ଉପକୂଳରେ ଗୋଟିଏ କଇଁଛ ବସାରୁ ଶହେଟି ଅଣ୍ତା ସଂଗ୍ରହ କରି ଅସ୍ଥାୟୀ ହାଚେରିରେ ଆଣି ବନ ବିଭାଗ ରଖିଛି। ଏହା ପରଠାରୁ ବନ ବିଭାଗ ଆଉ ଅଣ୍ତା ସଂଗ୍ରହ କରିପାରିନାହିଁ।

ଫେବ୍ରୁଆରି ମାସ ଦ୍ବିତୀୟ ସପ୍ତାହ ବେଳକୁ କଇଁଛ ସମୂହ ଅଣ୍ତା ଦେବା କଥା। ଗତବର୍ଷ ଏହି ସମୟ ବେଳକୁ ବନ ବିଭାଗ ୨ ହଜାରରୁ ଅଧିକ ଅଣ୍ତା ସଂଗ୍ରହ କରିସାରିଥିଲା। କିନ୍ତୁ ଚଳିତ ବର୍ଷ ମାତ୍ର ଶହେ ଅଣ୍ତାରେ ସୀମିତ ରହିଛି। ଅନ୍ୟପଟେ ବନ ବିଭାଗର ରେଞ୍ଜ୍‌ ଅଧିକାରୀ ଜନାର୍ଦ୍ଦନ ମିଶ୍ର କହିଛନ୍ତି ଯେ ପୁରୀ ଉପକୂଳରେ ଏବେ ସୁଦ୍ଧା ଅଣ୍ତା ଦେବାରେ ଯଥେଷ୍ଟ ବିଳମ୍ବ ହୋଇଛି। ବିଶେଷ କରି ବ୍ରହ୍ମଗିରି ରେଞ୍ଜ୍‌ ଉପକୂଳ ବାଲି ଧସି ଢାଲୁ ହୋଇଥିବାରୁ ଅଣ୍ତା ଦେବାକୁ କଇଁଛ ଉଠି ପାରୁନଥିବା ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଅବାଧ ଟ୍ରଲର୍‌ ଚଳାଚଳ ଯୋଗୁ କଇଁଛ ଅଣ୍ତା ଦେବାକୁ ଆସୁନଥିବା ବନ୍ୟଜନ୍ତୁ ବିଶାରଦ କହିଛନ୍ତି। ଅଣ୍ତାଦାନ ପ୍ରକ୍ରିୟାରେ ବିଳମ୍ବକୁ ନେଇ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି।