ଗାଈ ପାଇଁ ହାଇକୋର୍ଟରେ ମାଲିକ

ବାରିପଦା: ଗୋଚାଲାଣ ଅଭିଯୋଗରେ ଗୋଟିଏ ଗୋରୁ ଗାଡ଼ିକୁ ଧରି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ପୁଲିସ ଝାଡ଼ଖଣ୍ଡର ଏକ ଗୋଶାଳାକୁ ପଠାଇଥିଲା। ଗୋପାଳନ ଉଦ୍ଦେଶ୍ୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସେ ଗାଈ କିଣିଛନ୍ତି ବୋଲି ମାଲିକ ନୟାଗଡ଼ର ପ୍ରଦୀପ କୁମାର ମହାକୁଡ଼ କାଗଜପତ୍ର ଦେଖାଇବାଠୁ ଆରମ୍ଭକରି ଯେତେ କହିଲେ ବି କେହି ଶୁଣିନାହାନ୍ତି। ଏବେ ବାଧ୍ୟହୋଇ ଶ୍ରୀ ମହାକୁଡ଼ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୂଚନା ଅନୁସାରେ, ଶ୍ରୀ ମହାକୁଡ଼ ପଞ୍ଜାବର ଗୋଟିଏ ଫାର୍ମରୁ ‘ହୋଲ୍‌ଷ୍ଟିନ୍‌’ ପ୍ରଜାତିର ୮ଟି ଗାଈ କିଣିଥିଲେ। ଗୋଟିକୁ ଲକ୍ଷେ ୨୦ ହଜାର ହିସାବରେ ମୋଟ୍‌ ୯ ଲକ୍ଷ ୬୦ ହଜାର ଟଙ୍କା ଗଣି ୮ଟି ଗାଈକୁ ଏକ ଟ୍ରକ୍‌ ଯୋଗେ ନିଜ ନୟାଗଡ଼ସ୍ଥିତ ଫାର୍ମକୁ ନେଉଥିଲେ। ଜାନୁଆରି ୧୭ ତାରିଖରେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବମ୍ବେ ଛକ ଦେଇ ଟ୍ରକ୍‌ଟି ଅତିକ୍ରମ କରିବା ବେଳେ ଗୋଚାଲାଣ ଅଭିଯୋଗରେ ସ୍ଥାନୀୟ ଲୋକେ ଟ୍ରକ୍‌କୁ ଅଟକାଇ ପୁଲିସକୁ ଖବର ଦେଇଥିଲେ।

ଝାରପୋଖରିଆ ଥାନା ପୁଲିସ ଟ୍ରକ୍‌କୁ ଜବତ କରିବାପରେ ଗାଈଗୁଡ଼ିକୁ ଝାଡ଼ଖଣ୍ଡ ଧ୍ୟାନ ଫାଉଣ୍ଡେସନ ଦ୍ବାରା ପରିଚାଳିତ ଗୋଶାଳାରେ ଛାଡ଼ି ଦେଇଥିଲା। ଏହା ଗୋଚାଲାଣ ନୁହେଁ, କିଣାଗାଈ ବୋଲି ପ୍ରଦୀପ ଦର୍ଶାଇ ନିଜ ଫାର୍ମକୁ ନେଉଥିବା ଏବଂ ତତ୍‌ସଂକ୍ରାନ୍ତୀୟ କାଗଜପତ୍ର ମଧ୍ୟ ଥାନା ଅଧିକ‌ାରୀଙ୍କୁ ଦେଖାଇଥିଲେ। କିନ୍ତୁ, ସେଥିରୁ କିଛି ଫଳ ମିଳିଲାନି। ଫଳରେ ପ୍ରଦୀପ ବାରିପଦା ଜେଏମ୍‌ଏଫ୍‌ସି କୋର୍ଟର ଦ୍ବାରସ୍ଥ ହୋଇଥିଲେ। ବିଚାରପତି ଜେହେରିନ୍‌ ଖାଁ କାଗଜପତ୍ର ଅନୁଧ୍ୟାନ କରିବା ପରେ ମାଲିକ ପ୍ରଦୀପଙ୍କ ଜିମାରେ ଗାଈଗୁଡ଼ିକୁ ତୁରନ୍ତ ହସ୍ତାନ୍ତର କରିବାକୁ ଗୋଶାଳା କର୍ତ୍ତୃପକ୍ଷଙ୍କୁ ନି‌ର୍ଦ୍ଦେଶ ଦେଇଥିଲେ। ଏଥିସହ ଖାଦ୍ୟ ବାବଦରେ ଲକ୍ଷେ ୧୭ ହଜାର ଟଙ୍କା ଗୋଶାଳାକୁ ପ୍ରଦାନ କରିବାକୁ ଗାଈ ମାଲିକ ପ୍ରଦୀପଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ତଦନୁଯାୟୀ ପ୍ରଦୀପ ଗୋଶାଳାର ଜମାଖାତାରେ ସମସ୍ତ ଟଙ୍କା ମଧ୍ୟ ଜମା କରିଥିଲେ। ଏହାପରେ ଝାରପୋଖରିଆ ପୁଲିସକୁ ଧରି ସେ ଗୋଶାଳାରେ ପହଞ୍ଚିଥିଲେ। ତେବେ କୋର୍ଟ ନିର୍ଦ୍ଦେଶନାମା ଧରି ଦୀର୍ଘ ୫ ଘଣ୍ଟା ଗୋଶାଳା ଫାଟକ ସମ୍ମୁଖରେ ଅପେକ୍ଷା କରିଥିଲେ ମଧ୍ୟ କର୍ତ୍ତୃପକ୍ଷ ଧରାଛୁଆଁ ଦେଇ ନଥିଲେ। ଶେଷରେ ବାଧ୍ୟ ହୋଇ ସମସ୍ତେ ଫେରିଥିଲେ। ଏ ସଂପର୍କରେ କୋର୍ଟଙ୍କୁ ତୁରନ୍ତ ଅବଗତ କରିବେ ଏବଂ ଆଗକୁ ଏଭଳି ଆଉ ହେବନି ବୋଲି କହିଛନ୍ତି ଝାରପୋଖରିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ। ଏ ସଂକ୍ରାନ୍ତରେ ଧ୍ୟାନ ଫାଉଣ୍ଡେସନ୍‌ର ମାଲିକ ଶାଳିନୀ ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରିନି। ଅପରପକ୍ଷରେ, ବାରିପଦା ଜେଏମ୍‌ଏଫ୍‌ସି କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଗୋଶାଳା କର୍ତ୍ତୃପକ୍ଷ ଓଡ଼ିଶା ହାଇକୋର୍ଟରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର