ଚିଟ୍‌ଫଣ୍ଡ ସଂସ୍ଥା ମାଲିକଙ୍କୁ ଉଠାଇଲା ଗୁଜରାଟ ପୁଲିସ

ବ୍ରହ୍ମପୁର : ସିକ୍ୟୋର୍ ଲାଇଫ୍ ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ସଂସ୍ଥାର ମାଲିକ ବବ୍ରୁବାହନ ନାୟକଙ୍କୁ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଗ୍ରାମରୁ ଗୁଜରାଟ ପୁଲିସ ଗିରଫ କରିଛି। ଗୁଜରାଟ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଓ ଗାଙ୍ଗପୁର ପୁଲିସ ମିଳିତ ଚଢ଼ଉ କରି ବବ୍ରୁବାହନଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ପ୍ରକାରେ, ଗତ ୭ ବର୍ଷ ପୂର୍ବେ ବବ୍ରୁବାହନ ସିକ୍ୟୋର୍‌ ଲାଇଫ୍‌ ନାମକ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଗଢ଼ି ଉଚ୍ଚସୁଧ ଦେବା ଆଶା ଦେଖାଇ ଓଡ଼ିଶା ଓ ଗୁଜରାଟର ହଜାର ହଜାର ଲୋକଙ୍କ ଠାରୁ କୋଟିକୋଟି ଟଙ୍କା ଲୁଟି ନେଇଥିଲେ। ପରେ ସଂସ୍ଥା ବନ୍ଦ ହୋଇଯିବାଫଳରେ ଜମାକାରୀମାନେ ଟଙ୍କା ନ ପାଇ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଏଥିପୂର୍ବରୁ ବହୁଥର ୱାରେଣ୍ଟ୍‌ ବଳରେ ଗୁଜରାଟ ପୁଲିସ ଗଞ୍ଜାମ ଜିଲ୍ଲା ଆସି ମଧ୍ୟ ବବ୍ରୁବାହନଙ୍କ ପତ୍ତା ପାଉ ନଥିଲା। ବବ୍ରୁ କାଳିଆଗୁଡ଼ା ଗ୍ରାମର ସୂର୍ଯ୍ୟ ରାଉତଙ୍କ ଘରେ ଥିବାର କୌଣସି ସୂତ୍ରରୁ ଖବର ପାଇ ଆଜି ପୁଲିସ ଦିନ ୧୨ଟାରେ କାଳିଆଗୁଡ଼ାରେ ଚଢ଼ଉ କରି ସେହି ଘରୁ ଉଠାଇ ନେଇଛି।

ସମ୍ବନ୍ଧିତ ଖବର