ବୀରମିତ୍ରପୁର/କୁଆରମୁଣ୍ଡା : ରାଉରକେଲାଠାରୁ ୨୨ କିମି ଦୂର ବିଜାବାହାଲସ୍ଥିତ କୁଣ୍ଡୁ କ୍ରସରର ମାଲିକ ପ୍ରଦୀପ କୁଣ୍ଡୁଙ୍କୁ କୌଣସି ଦୁର୍ବୃତ୍ତ ଅପହରଣ କରି ମୁଣ୍ଡ ଜାମିନ ରଖିଥିବା ବୀରମିତ୍ରପୁର ଥାନାରେ ଏକ ଅଭିଯୋଗ ହୋଇଛି। ଏ ନେଇ ପରିବାରଲୋକଙ୍କ ଅଭିଯୋଗ କରିବା ପରେ ପୁଲିସର ତନାଘନା ଆରମ୍ଭ ହୋଇଛି। ତେବେ କିଏ ଓ କାହିଁକି ସଂପୃକ୍ତ କ୍ରସର ମାଲିକଙ୍କୁ ଅପହରଣ କଲା, ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ପୁଲିସ କିନ୍ତୁ ଘଟଣାସ୍ଥଳରୁ କ୍ରସର ମାଲିକଙ୍କର କାର୍ ଓ ମୋବାଇଲ୍ ଫୋନ୍ ଓ ଏକ ସିରିଞ୍ଜ୍ କରିଛି। ସଂପୃକ୍ତ କ୍ରସର ମାଲିକଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି। ଘଟଣାକୁ ନେଇ ବିଜାବହାଲ ଅଞ୍ଚଳରେ ଥିବା ଅନ୍ୟ କ୍ରସର ମାଲିକ ଓ ଠିକାଦାରମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କୁଣ୍ଡୁ କ୍ରସର ମାଲିକ ପ୍ରଦୀପ କୁଣ୍ଡୁ (୫୧) ଗତକାଲି ନିଜ କ୍ରସର କର୍ମଚାରୀ ତଥା ଶ୍ରମିକଙ୍କୁ ଦରମା ପ୍ରଦାନ ସହିତ ଏ ମାସର ହିସାବ ବୁଝାସୁଝା କରିବାକୁ ରାଉରକେଲାରୁ ୨୨ କିମି ଦୂର ବିଜାବାହାଲସ୍ଥିତ କୁଣ୍ଡୁ କ୍ରସର ୟୁନିଟ୍କୁ ଯାଇଥିଲେ। ସଂଧ୍ୟା ୭ଟାବେଳେ ସେଠାରୁ ସେ କାମ ସାରି ନିଜର ବ୍ରିଜା କାର୍ (ଓଡି ୧୪ଏଲ୍ ୫୨୭୭) ଯୋଗେ ରାଉରକେଲା ସିଭିଲ୍ଟାଉନ୍ସିପ୍ସ୍ଥିତ ଘରକୁ ଫେରୁଥିଲେ। ତେବେ ତାଙ୍କ ଫେରିବାରେ ବିଳମ୍ବ ହେବାରୁ ଘର ଲୋକେ ତାଙ୍କ ମୋବାଇଲ୍କୁ ଫୋନ୍ କରିଥିଲେ। ହେଲେ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଦେଖାଇବାରୁ ଘରଲୋକ ଚିନ୍ତିତ ହୋଇ ପଡ଼ିଥିଲେ। ତାପରେ ପୁଅ ବାଇକ୍ ଯୋଗେ ବାପାଙ୍କୁ ଖୋଜିବାକୁ ବାହାରିଥିଲେ। ତେବେ ବାଟରେ କୁଆରମୁଣ୍ଡାରେ ତାଙ୍କ ବାଇକ୍ ଦୁଘର୍ଟଣାଗ୍ରସ୍ତ ହେବାରୁ ଘରୁ ପ୍ରଦୀପଙ୍କର ଭାଇମାନେ ଆସି ପୁଅଙ୍କୁ ସାଙ୍ଗରେ ଧରି କ୍ରସର୍କୁ ଯାଇଥିଲେ। ସେଠାରେ ମଧ୍ୟ ପ୍ରଦୀପଙ୍କର କୌଣସି ପତ୍ତା ମିଳି ନ ଥିଲା। ମାତ୍ର କ୍ରସର ପାଖ ରାସ୍ତାରେ ପ୍ରଦୀପଙ୍କ କାର୍ ଓ କାର୍ ଭିତରେ ତାଙ୍କ ମୋବାଇଲ୍ ଥିବା ଦେଖିବାକୁ ମିଳିଥିଲା। ଶ୍ରମିକମାନଙ୍କୁ ପେମେଣ୍ଟ କରି ସଂଧ୍ୟା ପ୍ରାୟ ୭ଟା ସମୟରେ ମାଲିକ ଶ୍ରୀ କୁଣ୍ଡୁ ଜାତୀୟ ରାଜପଥ-୧୪୩ ଠାରୁ ମାତ୍ର ୧୫୦ ମିଟର ଦୂରରେ ଠିଆ ହୋଇ କାହା ସହିତ ମୋବାଇଲରେ କଥା ହେଉଥିବା ଶ୍ରମିକମାନେ ଦେଖିଥିଲେ ଓ ପରେ ସମସ୍ତ କର୍ମଚାରୀ ନିଜ ନିଜ ଘରକୁ ଚାଲିଯାଇଥିଲେ ବୋଲି ସୂଚନା ମିଳିଥିଲା। ତାଙ୍କର କୌଣସି ପତ୍ତା ନ ପାଇ ଘର ଲୋକେ ରାତି ୨ଟା ସମୟରେ ବୀରମିତ୍ରପୁର ଥାନାରେ ଏକ ଏତଲା ଦେଇଥିଲେ।
ଆଜି ସକାଳେ ପ୍ରଦୀପଙ୍କ ମୋବାଇଲ୍କୁ ଏକ ଫୋନ୍ କଲ୍ ଆସିଥିଲା। ସେଥିରେ ଜଣେ ଅଜଣା ବ୍ୟକ୍ତି ‘ପୁଲିସ କୋ ମତ୍ ବାତାନା, ପୈସା ଯୋଗାଡ଼ କରୋ’ ବୋଲି କହିଥିବା ଘର ଲୋକେ ପୁନର୍ବାର ଥାନାରେ ପହଞ୍ଚି ପୁଲିସ୍କୁ ଖବର ଦେଇଥିଲେ। ବୀରମିତ୍ରପୁର ଥାନା ଅଧିକାରୀ ଶ୍ରୁତିପ୍ରଭା ପ୍ରଧାନ ଘଟଣା ସଂପର୍କରେ ସୁନ୍ଦରଗଡ଼ ଏସ୍ପି ସାଗରିକା ନାଥଙ୍କ ଦୃଷ୍ଟିଙ୍କୁ ଆଣିବା ସହ ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ସହ ଯାଇ ତନାଘନା ଚଳାଇଥିଲେ। ଆଜି ଘଟଣାସ୍ଥଳରୁ ଏକ ସିରିଞ୍ଜ୍ ମିଳିବା ପରେ ପ୍ରଦୀପଙ୍କୁ ନିଶା ଔଷଧ ଦେଇ ଅପହରଣ କରାଯାଇଥିବା ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/rkl.jpg)
