ଚୁପ୍‌ ବସିଛି ପରିବହନ ବିଭାଗ, ଗ୍ରାହକଙ୍କୁ ଲୁଟୁଛନ୍ତି ଗାଡ଼ି ସୋ’ରୁମ୍‌ ମାଲିକ

ମୋଟରବାଇକ୍‌ କିଣାରେ ୨,୫୦୦, ଟ୍ରକ, କାର୍‌ କିଣାରେ ୫ରୁ ୭ ହଜାର, ମାସକୁ ଲୁଟୁଛନ୍ତି ଦେଢ଼ରୁ ୨ କୋଟି

ରାଉରକେଲା : ସୋ’ରୁମ୍‌ରୁ ଦୁଇ, ତିନି, ଚାରି କିମ୍ବା ଏହା ଠାରୁ ଅଧିକ ଚକିଆ ଗାଡ଼ି ନେଲେ ଜଣେ ଗ୍ରାହକଙ୍କୁ ନିର୍ଦ୍ଧାରିତ ଦାମ୍‌ ଠାରୁ ଦେବାକୁ ପଡୁଛି ଅଧିକ ଟଙ୍କା। ଗାଡ଼ି ପିଛା ୨,୫୦୦ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଛନ୍ତି ସୋ’ରୁମ୍‌ କର୍ମଚାରୀ। ଯେତିକି ଟଙ୍କା ଅଧିକ ନେଉଛନ୍ତି, ତା’ର କୌଣସି ରସିଦ୍‌ ଗ୍ରାହକଙ୍କୁ ଦେଉ ନାହାନ୍ତି। ବେଆଇନ ଅର୍ଥ ଆଦାୟକୁ କେନ୍ଦ୍ର କରି ଅନେକ ସମୟରେ ଗ୍ରାହକ ଓ ସୋ’ରୁମ୍‌ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହେଉଛି। ଅନେକ ସମୟରେ ସୋ’ରୁମ୍‌ କର୍ମଚାରୀ ସନ୍ତୋଷଜନକ ଉତ୍ତର ଦେଇ ପାରୁ ନହାନ୍ତି। ଗ୍ରାହକମାନଙ୍କ ଠାରୁ ‌ନେଉଥିବା ଅତ୍ୟଧିକ ଟଙ୍କା ଫେରାଇ ଦେବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ ସାଧାରଣ ନିରୀହ ଗ୍ରାହକଟିଏ ଶୋଷଣର ଶିକାର ହେଉଛି। ରାଉରକେଲା ପ୍ରାୟ ସମସ୍ତ ସୋ’ରୁମ୍‌ରେ ଚାଲିଛି ଏଭଳି ବେଆଇନ କାର୍ଯ୍ୟ।

ଦୁଇ ଚକିଆ, ତିନି ଚକିଆ, ଚାରି ଚକିଆ ସୋ’ରୁମ୍‌ ହେଉ ଅବା ଟ୍ରକ, ଟମ୍ପର ସୋ’ରୁମରେ ଗ୍ରାହକଙ୍କ ଠାରୁ ଜୋରଜବରଦସ୍ତ ଅଧିକ ଟଙ୍କା ନିଆଯାଉଛି। ଜଣେ ଗ୍ରାହକ ମୋଟରବାଇକ୍‌ଟିଏ କିଣିଲେ ଟ୍ରେଡ୍‌ ଲାଇସେନ୍ସ ଫି ବାବଦରେ ୭ ଶହ ଟଙ୍କା, ପ୍ରୋସେସିଂ ଫି ବାବଦରେ ହଜାର ଟଙ୍କା ଏମିତି ମୋଟ ୨ ହଜାର ୫୦୦ ଟଙ୍କା ନିଆଯାଉଛି। କେବଳ ମାତ୍ର ପ୍ରୋସେସିଂ ଫି ବାବଦ ୧ ହଜାର ଟଙ୍କାର ରସିଦ୍‌ ଦେଉଛନ୍ତି। ଅନ୍ୟାନ୍ୟ ବାବଦରେ ନିଆଯାଉଥିବା ଟଙ୍କାର କୌଣସି ରସିଦ୍‌ ଗ୍ରାହକଙ୍କୁ ଦେଉ ନାହାନ୍ତି। ପଚାରିଲେ କହୁଛନ୍ତି, ଏହା ହେଉଛି ପରିବହନ କାର୍ଯ୍ୟାଳୟର କାଗଜପତ୍ର ବାବଦ ଖର୍ଚ୍ଚ। ସେପଟେ ନିକଟରେ ଦିଲ୍ଲୀ ହାଇକୋର୍ଟ ଗାଡ଼ି ସୋ’ରୁମ୍‌ ଗୁଡ଼ିକ ଗ୍ରାହକଙ୍କ ଠାରୁ ପ୍ରୋସେସିଂ ବାବଦରେ ଟଙ୍କାଟିଏ ନେଇ ପାରିବେ ନାହିଁ। ଏହା ସମ୍ପୂର୍ଣ୍ଣ ବେଆଇନ ବୋଲି ତାଙ୍କ ରାୟ ଦେଇଥିଲେ। ଏହା ସତ୍ବେ ସୋ’ରୁମ୍‌ ଗୁଡ଼ିକ ମାସ ମାସ ଧରି ପ୍ରତ୍ୟେକ ଗାଡ଼ିରୁ ପ୍ରୋସେସିଂ ଫି’ ଆଦାୟ କରି ଚାଲିଛନ୍ତି। ସେମିତି ଟ୍ରେଡ୍‌ ଲାଇସେନ୍ସ ସୋ’ରୁମ୍‌ ମାଲିକମାନେ ନିଜ ହାତରୁ ଜମା କରିବା ପରିବର୍ତ୍ତେ ଗ୍ରାହକଙ୍କ ଠାରୁ ଉଠାଉଛନ୍ତି। ଏମିତି ଭାବେ ରାଉରକେଲାର ସୋ’ରୁମ୍‌ଗୁଡ଼ିକ ଗ୍ରାହକଙ୍କ ଠାରୁ ଗାଡ଼ି କିଣାରେ ଦୈନିକ ପାଖାପାଖି ୫ ରୁ ୭ ଲକ୍ଷ ଲୁଟୁଛନ୍ତି। ମାସକୁ ଦେଢ଼ରୁ ୨ କୋଟି ଟଙ୍କା ଲୁଟ୍‌ କରୁଛନ୍ତି।

ସହରର ବେଲ୍‌ଡ଼ିହି, ମାଣ୍ଡିଆକୁଦର, ବେଦବ୍ୟାସ, ରାଉରକେଲା ପାନପୋଷ ରୋଡ୍‌, ପାନପୋଷ ଛକ, ସିଭିଲଟାଉନସିପ୍‌ରେ ପାଖାପାଖି ୧୫ରୁ ଅଧିକ ମୋଟରବାଇକ୍‌, କାର୍‌, ଅଟୋ, ଟ୍ରକ, ଡମ୍ପର, ଜେସିବି ଆଦି ସୋ’ରୁମ୍‌ ରହିଛି। ରାଉରକେଲାର ଜଣେ ପରିବହନ କର୍ମଚାରୀଙ୍କ କହିବାନୁଯାୟୀ ପ୍ରତ୍ୟେକ ଦିନ ପାଖାପାଖି ୧୫୦ରୁ ୨୦୦ ନୂଆ ସ୍କୁଟି, ମୋଟରବାଇକ, ବୁଲେଟ୍‌ ଆଦି ଦୁଇ ଚକିଆ ଗାଡି ପରିବହନ କାର୍ଯ୍ୟାଳୟର ପଞ୍ଜିକରଣ ହେଉଛି। ଏହାବାଦ୍‌ କାର୍‌, ଡମ୍ପର, ଟ୍ରକ, ଅଟୋ, ଜେସିବି ପ୍ରାୟ ୩୦ରୁ ଅଧିକ ଗାଡ଼ି ପଞ୍ଜିକୃତ ହେଉଛି। ପ୍ରତ୍ୟେକ ମୋଟରବାଇକ୍‌ରୁ ୨ ହଜାର ୫୦୦ ଟଙ୍କା କରି ପାଖାପାଖି ୧୫୦ ଗାଡ଼ିରୁ ଦୈନିକ ୩ ଲକ୍ଷ ୭୫ ହଜାର ଲୁଟ୍‌ କରାଯାଉଛି। ଏମିତି ମାସକୁ ୧ କୋଟି ୧୨ ଲକ୍ଷ ୫୦ ହଜାର ସୋ’ରୁମ୍‌ ମାଲିକଙ୍କ ପକେଟ୍‌କୁ ଯାଉଛି। ସେମିତି ତିନି ଚକିଆରୁ ଆରମ୍ଭ କରି ୧୨ ଚକିଆ ପର୍ଯ୍ୟନ୍ତ ଗାଡ଼ିରୁ ଦୈନିକ ୨ ଲକ୍ଷ ଆଦାୟ କରାଯାଉଛି। ଏପରି ଭାବେ ମାସକୁ ପାଖାପାଖି ୬୦ ଲକ୍ଷ ଟଙ୍କା ସୋ’ରୁମ୍‌ ମାଲିକ ନେଇ ଯାଉଛନ୍ତି।

ସୋ’ରୁମ୍‌ ଗୁଡ଼ିକର ଏଭଳି ବେଆଇନ ଆଦାୟକୁ ବନ୍ଦ କରିବାକୁ କିଛି ଗ୍ରାହକ ପରିବହନ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଫଳ କିନ୍ତୁ ଶୂନ୍‌। ନିକଟରେ କିଛି ଗ୍ରାହକଙ୍କ ଘଟଣାର ତଦନ୍ତ କରିବାକୁ ସମ୍ବଲପୁର ପରିବହନ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରମାଣସ୍ବରୂପ ଗୋଟିଏ ଦୁଇଟି ଗାଡ଼ିର ଉଦାହରଣ ମଧ୍ୟ ଦେଇଥିଲେ। ପରିବହନ କମିଶନର ସୋ’ରୁମ୍‌ଗୁଡ଼ିକର ଏଭଳି ବେଆଇନକୁ ଆଦାୟକୁ ଗୁରୁତର ସହ ନେଇଛନ୍ତି। ଲୁଟ୍‌ର ଶିକାର ହେଉଥିବା ଗ୍ରାହକମାନେ ପ୍ରତିବାଦର ସ୍ବର ଉଠାଇ ଆଗେଇ ଆସିବା ଦରକାର। ଏସଂକ୍ରାନ୍ତରେ ରାଉରକେଲା ପରିବହନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ଦିଅନ୍ତୁ। ସମ୍ପୃକ୍ତ ‌ସୋ’ରୁମ୍‌ ଗୁଡ଼ିକ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର