ଯାତ୍ରା କମିଟି ବିନା ମାଲିକମାନେ ଯାତ୍ରା ପରିବେଷଣ ନକରିବାକୁ ପ୍ରସ୍ତାବ

ଯାତ୍ରା କମିଟି ମହାସଂଘ ସହ ଆଲୋଚନା ପାଇଁ ମାଲିକ ମହାସଂଘକୁ ଆହ୍ବାନ

ଭୁବନେଶ୍ବର : ଯାତ୍ରା କମିଟି ବିନା କୌଣସି ମାଲିକମାନେ ଯାତ୍ରା ପରିବେଷଣ କରିପାରିବେ ନାହିଁ। ୨୦୨୧-୨୨ବର୍ଷରେ ଯାତ୍ରା ଋୁତୁ ପାଇଁ ମାଲିକମାନେ କମିଟିମାନଙ୍କ ସହ ଯଥାଶିଘ୍ର ଚୁକ୍ତିନାମା ସ୍ୱାକ୍ଷରିତ ପାଇଁ ଯାତ୍ରା ମାଲିକ ମହାସଂଘକୁ ପ୍ରସ୍ତାବ ଦେଇଛି ଓଡ଼ିଶା ଯାତ୍ରା କମିଟି ମହାସଂଘ। ଏଥିସଂକ୍ରାନ୍ତରେ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବ ଗୁଡ଼ିକରେ ଯାତ୍ରା କମିଟି ମହାସଂଘ କହିଛି, ଯାତ୍ରା ପରିବେଷଣ ପାଇଁ କମିଟିମାନଙ୍କ ପକ୍ଷରୁ ଯାତ୍ରା ମାଲିକମାନଙ୍କୁ ଚୁକ୍ତିଭିତ୍ତିକ ଅଗ୍ରୀମ ଅର୍ଥ ପ୍ରଦାନ କରାଯାଇଥାଏ। କରୋନା ଯୋଗୁଁ ଯାତ୍ରା ପରିବେଷଣରେ ବାଧା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ସୁଚାରୂ ରୂପେ ଯାତ୍ରା ପରିବେଷଣ ପାଇଁ କିଛି ନିୟମାବଳୀ ପ୍ରସ୍ତୁତ କରାଯାଇ ଯାତ୍ରା ମାଲିକ ମହାସଂଘକୁ ପ୍ରସ୍ତାବ ହସ୍ତାନ୍ତର କରାଯାଇଛି। ଏଥି ମଧ୍ୟରେ ରହିଛି, ଯାତ୍ରା କମିଟିମାନଙ୍କ ନିଷ୍ପତ୍ତି ଅନୁଯାୟୀ ଯାତ୍ରା ମାଲିକମାନେ ଯାତ୍ରା ପରିବେଷଣ କରିବେ। ମାର୍ଚ୍ଚ ମାସ କରୋନା ମହାମାରି ସମୟରୁ ଆଜି ପର୍ଯ୍ୟନ୍ତ କୌଣସି ଯାତ୍ରା ପରିବେଷଣ ନକରି ଅଗ୍ରୀମ ନେଇଥିବା ଅର୍ଥରାଶିକୁ ମାଲିକମାନେ ତୁରନ୍ତ ଫେରସ୍ତ କରୁନ୍ତୁ। ଯାତ୍ରା ମାଲିକ ସଂଘ ଏହାକୁ ଗୁରୁତ୍ବ ଦେଇ ସମାଧାନ ରାସ୍ତା ବାହାର କରାଯାଉ, ପ୍ରତି ଯାତ୍ରାର ଅଭିନୟ ପାଇଁ ରାତିପିଛା ୧ଲକ୍ଷରୁ ୧ଲକ୍ଷ ୧୦ ହଜାର ଟଙ୍କା ମଧ୍ୟରେ ସୀମିତ ରଖାଯାଉ, ଯାତ୍ରାପାର୍ଟି ବୁକିଂ ପାଇଁ ଅଗ୍ରୀମ ଟୋକନ ରାଶି ୨୫ ହଜାର ଟଙ୍କାରେ ସୀମିତ ରଖାଯାଉ, ଚୁକ୍ତିପତ୍ର ସ୍ୱାକ୍ଷରିତ ସମୟରେ ୩ ରାତ୍ରିରୁ ଅଧିକ ଯାତ୍ରା ପରିବେଷଣ ପାଇଁ ୨ ରାତ୍ରିର ଅଗ୍ରୀମ ଓ ୩ ରାତ୍ରିରୁ କମ ପାଇଁ ୧ଦିନର ଅଗ୍ରୀମ ରାଶିରେ ସୀମିତ ରଖାଯାଉ, ଯାତ୍ରାପାର୍ଟିର କଳାକାରମାନଙ୍କ ପାଇଁ ୧୧ଟି ଛୋଟ ଓ ୪ଟି ବଡ଼ ସମୁଦାୟ ୧୫ ବଖରା ଘର ସୀମିତ ରଖାଯାଉ, ଯାତ୍ରା ଅନୁମତି ଖର୍ଚ୍ଚ ସହିତ ଜାଳେଣୀ କାଠ, ଡିଜେଲ ଓ ପ୍ରଚାର ଗାଡ଼ିର ଖର୍ଚ୍ଚ ସବୁ ଯାତ୍ରାପାର୍ଟିର ମାଲିକମାନେ ବହନ କରନ୍ତୁ, ନିର୍ଦ୍ଦିଷ୍ଟ କଳାକାରଙ୍କ ଉପରେ ପ୍ରାଧାନ୍ୟ ନଦେଇ ନାଟକ ଉପରେ ପ୍ରାଧାନ୍ୟ ଦିଆଯାଉ, ଉନ୍ନତମାନର ନାଟକ ଉପରେ ପ୍ରାଧାନ୍ୟ ଦେଇ ଅଶ୍ଳିଳତା ଓ ନଗ୍ନତାକୁ ବାଦ ଦିଆଯାଉ, ବର୍ତ୍ତମାନର କୋଭିଡ଼ କଟକଣା ପାଇଁ ଖର୍ଚ୍ଚ ରାଶିର ବର୍ଦ୍ଧିତ ଯୋଗୁ ଚୁକ୍ତିଭିତ୍ତିକ କ୍ୟାମ୍ପର ଅନୁଦାନ ରାଶିକୁ ଶତକଡ଼ା ୨୦ରୁ ୨୫% ମଧ୍ୟରେ ସୀମିତ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଯାତ୍ରା ମାଲିକ ମହାସଂଘ ଯଥାଶିଘ୍ର ଏଥିସଂକ୍ରାନ୍ତରେ ଯାତ୍ରା କମିଟି ମହାସଂଘ ସହ ଆଲୋଚନା କରିବାକୁ ଆହ୍ବାନ କରାଯାଇଛି। ଏହା କରାନଗଲେ ଯାତ୍ରା କମିଟି ମହାସଂଘ, ଓଡ଼ିଶା ତାର ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ମହାସଂଘର ସଭାପତି ପ୍ରଦୀପ ଦାସ, ସମ୍ପାଦକ ଉମାକାନ୍ତ ମିଶ୍ର, କୋଷାଧ୍ୟକ୍ଷ ମାନସ ସାମନ୍ତ, ଆଞ୍ଚଳିକ ସମ୍ପାଦକ ସୋମନାଥ ପଣ୍ଡା, ସୀତାକାନ୍ତ ମହାପାତ୍ର, ଇନ୍ଦ୍ରଜିତ ପରିଡ଼ା ଓ ଯାତ୍ରା କମିଟି ମହାସଂଘର ସମସ୍ତ ସଦସ୍ୟମାନେ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର