କଟକ: ଜୀବନ ମରଣର ଯୁଦ୍ଧ ବେଳେ ବି କଟକ ବଡଡାକ୍ତରଖାନାରେ ଚାଲିଛି ମହାଲୁଟ। ଏହି ଲୁଟ ଧରିବାକୁ ନା କିଛି ବ୍ୟବସ୍ଥା ଅଛି ନା ଏଥପାଇଁ କାହାକୁ ଉତ୍ତରଦାୟୀ କରାଯାଉଛି। ଏହାର ସୁଯୋଗ ନେଇ କଟକ ବଡଡାକ୍ତରଖାନାରେ ଗୁରୁତର କୋଭିଡ ରୋଗୀଙ୍କ ପାଇଁ ଆସୁଥିବା ଅକ୍ସିଜେନ ସିଲିଣ୍ଡର କାରବାରରେ ଲୁଟପାଟ୍ ଚାଲିଛି। ଏଭଳି ଘଟଣାରେ ଗୁରୁତର କୋଭିଡ ରୋଗୀଙ୍କ ଜୀବନ ବାଜିରେ ଲାଗୁଥିବା ବେଳେ ସରକାରଙ୍କର କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଛି। ଏ ନେଇ ଅଭିଯୋଗ ହେବା ପରେ ମଧ୍ୟ ସିଲିଣ୍ଡର ଯାଞ୍ଚ କରାଯାଉ ନାହିଁ। ଜଣେ ୱାର୍ଡ ଆଟେଣ୍ଡାଣ୍ଟ ଓ ଜଣେ କର୍ମଚାରୀଙ୍କ ହାତରେ ବ୍ୟବସ୍ଥାକୁ ଟେକି ଦିଆଯାଇଛି। ଅକ୍ସିଜେନ ସିଲିଣ୍ଡର ଯାଞ୍ଚ ପାଇଁ ତିନି ଜଣ ଓଏଏସ ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଥିଲେ ବି ସେମାନେ ବି ନିୟମିତ ଆସୁ ନାହାନ୍ତି। ୱାର୍ଡ ଆଟେଣ୍ଡାଣ୍ଡ ବଡ ମେଡିକାଲକୁ ଆସୁଥିବା ଏବଂ ଫେରୁଥିବା ଅକ୍ସିଜେନ୍ ସିଲିଣ୍ଡର ଟ୍ରିପରୁ କାମଚଳା ଢଙ୍ଗରେ କେବଳ ୫/ ୬ଟି ଯାଞ୍ଚ କରି ଛାଡି ଦେଉଥିବାରୁ ବ୍ୟବସ୍ଥାରେ ଏଭଳି ଗୁରୁତର ବିଭ୍ରାଟ ଚାଲିଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତି ଯୋଗୁଁ ବଡ ଡାକ୍ତରଖାନାକୁ ଅନେକ ସମୟରେ ଅଧା ଭରା ଅକ୍ସିଜେନ ସିଲିଣ୍ଡର ଆସୁଥିବା ବେଳେ ଅନେକ ସମୟରେ ବ୍ୟବହାର ନ ହୋଇ ପୂରା ଭର୍ତ୍ତି ଥିବା ସିଲିଣ୍ଡର ପୁଣି ରିଫିଲିଂ ପାଇଁ ଫେରି ଯାଉଛି।
ଏଭଳି ଘଟଣାରେ ଏକ ବଡଧରଣର ରୢାକେଟ କାମ କରୁଥିବା ଅଭିଯୋଗ ହୋଇଛି। ମାସକୁ ଅକ୍ସିଜେନ ସିଲିଣ୍ଡର ପାଇଁ ୧ କୋଟି ଟଙ୍କାରୁ ଅଧିକ ବ୍ୟୟ କରୁଥିବା ଏସସିବିରେ ଏବେ କରୋନା ପାଇଁ ଆବଶ୍ୟକତା ବଢିଯାଇଛି। ସୂଚନା ଅନୁଯାୟୀ ଅକ୍ସିଜେନ୍ ସିଲିଣ୍ଡର ଆସିବା ଓ ଫେରିବା ସମୟରେ ଯାଞ୍ଚ ପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଥିବା ବେଳେ ମାସ ମାସ ଧରି ଏହାର ଯାଞ୍ଚ ହେଉ ନଥିଲା। ଦାୟିତ୍ବରେ ଥିବା ଅଧିକାରୀମାନେ ଓଜନ ନକରି ସିଲିଣ୍ଡରକୁ ଷ୍ଟୋରରେ ରଖୁଥିଲେ। କିଛି ଦିନ ତଳେ ସିଲିଣ୍ଡରରେ ଅଧା ଅକ୍ସିଜେନ ଆସୁଥିବା ନେଇ ଅଭିଯୋଗ ହୋଇଥିଲା। ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଅକ୍ସିଜେନ ସରି ଯାଉଥିବାରୁ ଏହାକୁ ନେଇ ସନ୍ଦେହ ଉପୁଜିଥିଲା। ଗୋଟିଏ ଜୁମ୍ବୋ ସିଲିଣ୍ଡର ପାଇଁ ସରକାର ୨୮୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ଗୋଟିଏ ଜୁମ୍ବୋ ସିଲିଣ୍ଡରରେ ୫୦ ଲିଟର ଅକ୍ସିଜେନ ଥାଏ। ଅର୍ଥାତ ଗୋଟେ ସିଲିଣ୍ଡର ଓଜନ ୧.୫ ଉପରକୁ ହେଲେ ଏହାର ଓଜନ ଠିକ ଅଛି ବୋଲି ଧରାଯାଏ। ସିଲିଣ୍ଡର ହାଲକା ରହିବା ଓ ସମୟ ପୂର୍ବରୁ ସରିଯିବା ଦେଖି କିଛି ଡାକ୍ତର ଏହି ଅନିୟମିତତାକୁ ଧରିଥିଲେ। ପରେ ଏହାକୁ ଓଜନ କରାଯାଇଥିଲା। ସିଲିଣ୍ଡରରେ ନିର୍ଦ୍ଧାରିତ ସ୍ତରରୁ କମ ଅକ୍ସିଜେନ ରହୁଥିବା ଜଣାପଡିଥିଲା। ଏହାକୁ ନେଇ ଷ୍ଟୋର ଦାୟିତ୍ବରେ ଥିବା ଟେକ୍ନିକାଲ ଷ୍ଟୋର କିପରଙ୍କୁ ରିପୋର୍ଟ ତଲବ କରାଯାଇଥିଲା। ପରେ ହସ୍ପିଟାଲ ମ୍ୟାନେଜର ଓ ଜଣେ ଫାର୍ମାସିଷ୍ଟଙ୍କ ସମେତ ୬ ଜଣ କର୍ମଚାରୀଙ୍କୁ ଏହାର ଯାଞ୍ଚ ପାଇଁ ନିୟୋଜିତ କରାଯାଇଥିଲା।
ଏ ସଂପର୍କରେ ଏସସିବି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରାଙ୍କୁ ପଚାରିବାରୁ ସେ ଏଭଳି ଏକ ଘଟଣା ଘଟିଥିବା ସ୍ବୀକାର କରିଛନ୍ତି। ଅଭିଯୋଗ ଆସିବା ପରେ ଏବେ ଏହା ଯାଞ୍ଚ କରାଯାଉଛି। ଏଥିପାଇଁ ତିନି ଜଣ ଓଏଏସ ଅଫିସରଙ୍କୁ ଦାୟିତ୍ବ ମଧ୍ୟ ଦିଆଯାଇଛି। ଏବେ ନିୟମିତ ଯାଞ୍ଚ ହେଉଥିବା ସେ କହିଛନ୍ତି। ମାତ୍ର ବାସ୍ତବରେ ଯାଞ୍ଚ ବ୍ୟବସ୍ଥା କଡାକଡି କରାଯାଇନାହିଁ। ଓଏଏସ ଅଫିସର ଯାଞ୍ଚ ବେଳେ ଉପସ୍ଥିତ ରହୁ ନାହାନ୍ତି। କେବଳ ହସ୍ପିଟାଲ ମ୍ୟାନେଜରଙ୍କ ଉପସ୍ଥିତିରେ ଜଣେ ଅଧିକାରୀଙ୍କ ସଂପର୍କୀୟ ଏହି ସିଲିଣ୍ଡରକୁ ଯାଞ୍ଚ କରୁଛନ୍ତି। ୬ ଜଣ କର୍ମଚାରୀଙ୍କୁ ଯାଞ୍ଚ ପାଇଁ ନିୟୋଜିତ କରାଯାଇଥିଲେ ବି ଯାଞ୍ଚ ହେଉନାହିଁ ବୋଲି ଅଭିଯୋଗ ହେବା ସହିତ ପୂର୍ବରୁ ହୋଇଥିବା ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରାଯାଇଛି।