ଯାଜପୁର/ଦାନଗଦୀ : ଅକ୍ସିଜେନ୍ ଏକ୍ସପ୍ରେସ୍ ଟ୍ରେନ୍ ଜରିଆରେ କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍ କାରଖାନାରୁ ମେଡିକାଲ୍ ଅକ୍ସିଜେନ୍ (ଏଲ୍ଏମ୍ଓ) ଆଜିଠାରୁ ଯୋଗାଣ ଆରମ୍ଭ ହୋଇଛି। ସାତଟି କ୍ରାୟୋଜେନିକ୍ କଣ୍ଟେନର୍ ଥିବା ଏହି ଅକ୍ସିଜେନ୍ ଟ୍ରେନ୍ କଳିଙ୍ଗନଗରରୁ ଦିଲ୍ଲୀକୁ ଯିବ। ଏଥିରେ ୧୩୨ ଟନ୍ ତରଳ ମେଡିକାଲ୍ ଅକ୍ସିଜେନ୍ ରହିଛି। ଟାଟା ଷ୍ଟିଲ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଟାଟାର ୩ଟି କାରଖାନା ଥିବା କଳିଙ୍ଗନଗର, ଢେଙ୍କାନାଳ ଓ ଜାମସେଦପୁର ୟୁନିଟ୍‌ରୁ ଭାରତର ବିଭିନ୍ନ ରାଜ୍ୟକୁ ସଡ଼କପଥ ୩୬୩୦ ଟନ୍ ତରଳ ମେଡିକାଲ ଅକ୍ସିଜେନ୍ ପଠାଯାଇସାରିଛି। ଦେଶରେ ଦେଖାଦେଇଥିବା କୋଭିଡ୍-୧୯ର ଦ୍ୱିତୀୟ ଲହରରେ ମେଡିକାଲ୍ ଅକ୍ସିଜେନ୍ ପରିବହନକୁ ନିଶ୍ଚିତ କରିବା ଲାଗି ରେଳୱେ ପକ୍ଷରୁ ଅକ୍ସିଜେନ୍ ଏକ୍ସପ୍ରେସ୍ ଅଭିଯାନର ଶୁଭାରମ୍ଭ କରାଯାଇଛି।

Advertisment

ଏହି ଜାତୀୟ ଜରୁରିକାଳୀନ ସ୍ଥିତିରେ ଟାଟା ଷ୍ଟିଲ୍ ୩ଟି କାରଖାନାରୁ ଦୈନିକ ତରଳ ମେଡିକାଲ୍ ଅକ୍ସିଜେନ୍ ଉରତ୍ତପ୍ରଦେଶ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଝାଡ଼ଖଣ୍ଡ, ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ହରିୟାଣା ଓ ଦିଲ୍ଲୀକୁ ଯୋଗାଇ ଦିଆଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶନ ଓ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ସହାୟତାରେ କଳିଙ୍ଗନଗର ଏବଂ ଢେଙ୍କାନାଳ ଟାଟା ଷ୍ଟିଲ୍ କାରଖାନାଗୁଡ଼ିକରୁ ଅକ୍ସିଜେନ୍ ଧାର୍ଯ୍ୟ କରାଯାଇଥିବା ରାଜ୍ୟଗୁଡ଼ିକୁ ପଠାଯାଉଛି। ଆଇସିୟୁ ସୁବିଧା ସହିତ ଟାଟା ଷ୍ଟିଲ୍ ମେଡିକା କୋଭିଡ୍ ହସ୍ପିଟାଲ୍ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଯାଜପୁର ଓ ଆଖପାଖ ଜିଲ୍ଲାର ରୋଗୀଙ୍କୁ ସେବା ଯୋଗାଉଛି । କମ୍ପାନି ପାଣ୍ଠିରେ ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲିଠାରେ ୫୫ଟି ଆଇସିୟୁ ଶଯ୍ୟା ଓ ‌ଭେଣ୍ଟିଲେଟର୍ ସମେତ ୨୦୦ ଶଯ୍ୟାର ଟାଟା କୋଭିଡ୍ ହସ୍ପିଟାଲ୍ ସ୍ଥାପନ କରି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ଯାହା ହାଇ-ଟେକ୍ ହସ୍ପିଟାଲ୍ ମାର୍ଗଦର୍ଶନରେ ପରିଚାଳିତ ହେଉଛି ‌ବୋଲି ଟାଟା ଷ୍ଟିଲ କର୍ତ୍ତୃପକ୍ଷ ଜଣାଇଛନ୍ତି।