ଭଞ୍ଜନଗର : ଭଞ୍ଜନଗର ମେଡିକାଲରେ ଅକ୍ସିଜେନ୍‌ ପ୍ଳାଣ୍ଟ୍‌ ସ୍ଥାପନ ନେଇ ଆମେରିକାନ୍ ଇଣ୍ଡିଆ ଫାଉଣ୍ଡେସନ୍(ଏଆଇଏଫ୍‌) ଅର୍ଥ ପ୍ରଦାନ କରିଥିବା ବେଳେ ଗୁଜରାଟ ଅହମ୍ମଦାବାଦ ଲ୍ୟାବ୍‌ ଗ୍ରୁପ୍‌ ପ୍ଳାଣ୍ଟ୍‌ ସ୍ଥାପନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ କରିଥିଲା। ଗତବର୍ଷ ଅଗଷ୍ଟ ମାସରେ ପ୍ଳାଣ୍ଟ୍‌ ସ୍ଥାପନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏଥିସହ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରତି ଡାକ୍ତରଖାନାର ପ୍ରତି ବିଭାଗର ପ୍ରତି ବେଡ୍‌ ନିକଟକୁ ଅକ୍ସିଜେନ୍‌ ପାଇପ୍‌ ଯୋଗେ ପହଞ୍ଚାଇବା ପାଇଁ ପାଇପ୍ ବିଛା କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ହୋଇସାରିଛି। ଉଭୟ କାର୍ଯ୍ୟ ସମ୍ପନ୍ନ ହେବା ପରେ ପରୀକ୍ଷଣ କରିବା ସମୟରେ ଅକ୍ସିଜେନ୍‌ ପ୍ଳାଣ୍ଟ୍‌ରେ ଥିବା ମେସିନ୍‌ରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଉକ୍ତ କମ୍ପାନିକୁ ଅବଗତ କରିବାପରେ ଏହା ମଧ୍ୟରେ ତାକୁ ମଧ୍ୟ ସଜଡ଼ା ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ଲାଣ୍ଟ୍‌ କାର୍ଯ୍ୟକ୍ଷମ ହୋଇପାରି ନାହିଁ।

Advertisment

ରାଜ୍ୟର ୪୦ଟି ସ୍ଥାନରେ ଅକ୍ସିଜେନ୍‌ ପ୍ଳାଣ୍ଟ୍‌ ସ୍ଥାପନ ପାଇଁ ରାଜ୍ୟ ସରକାର ସେହି ସମୟରେ ନିଷ୍ପତ୍ତି ନେଇଥିବା ବେଳେ ପୂର୍ବରୁ ବ୍ରହ୍ମପୁର ଏମ୍‌କେସିଜି ପରିସରରେ ଅକ୍ସିଜେନ୍‌ ପ୍ଳାଣ୍ଟ୍‌ କାର୍ଯ୍ୟକ୍ଷମ ହୋଇଛି। ଏଥିସହିତ, ଜିଲ୍ଲାର ଦ୍ବିତୀୟ ଅକ୍ସିଜେନ୍‌ ପ୍ଳାଣ୍ଟ୍‌ ଛତ୍ରପୁର ହସ୍‌ପିଟାଲ୍‌ ପରିସରରେ ହେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତେଣୁ ଜିଲ୍ଲା ମୁଖ୍ୟାଳୟ ଏବଂ ଏମ୍‌କେସିଜି ମେଡ଼ିକାଲ୍‌ରୁ ଭଞ୍ଜନଗର ଡାକ୍ତରଖାନା ୮୦ ରୁ ୧୦୦ କିମି ଦୂର ହେଉଥିବାରୁ ଭଞ୍ଜନଗରରେ ଗୋଟିଏ ଅକ୍ସିଜେନ୍‌ ପ୍ଳାଣ୍ଟ୍‌ ପ୍ରତିଷ୍ଠା କରିବା ନେଇ ନିଷ୍ପିତ୍ତି ହୋଇଥିଲା। ଏହାପରେ ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏ ସଂର୍ପକରେ ଅବଗତ ହେବା ପରେ ଭଞ୍ଜନଗର ଠାରେ ଏକ ଅକ୍ସିଜେନ୍‌ ପ୍ଳାଣ୍ଟ୍‌ ସ୍ଥାପନ ନେଇ ଯୋଜନା ପ୍ରସ୍ତୁତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଅକ୍ସିଜେନ୍‌ ପ୍ଳ‌ାଣ୍ଟ୍ ସ୍ଥାପନ ନେଇ ଶିଳାନ୍ୟାସ ହୋଇଥିଲା।

ହେଲେ, ଭଞ୍ଜନଗରରେ ପ୍ଳାଣ୍ଟ୍‌ ପ୍ରତିଷ୍ଠା ପରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାରେ କାହିଁକି ଆନ୍ତରିକତା ଦେଖାଯାଉନି, ତାହା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ପ୍ଳାଣ୍ଟ୍‌ ଥାଇ ୮୦ କିମି ଦୂରରୁ ସିଲିଣ୍ଡର କାହିଁକି ଅଣାଯିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ୮୦ କିମି.ରୁ ଅଧିକ ରାସ୍ତା ଅତିକ୍ରମ କରି ଗୋଟିଏ ଗାଡ଼ି ଦ୍ବାରା ଅକ୍ସିଜେନ୍‌ ସିଲିଣ୍ଡର ଆଣିଲେ ହିଁ ରୋଗୀମାନଙ୍କ ଚିକିତ୍ସା ହୋଇପାରୁଛି। ଅକ୍ସିଜେନ୍‌ ପାଇଁ ସୁଦୂର ବ୍ରହ୍ମପୁର ଉପରେ ନିର୍ଭର କରିବା ବଦଳରେ ଏଠାରେ ସ୍ଥାୟୀ ଭାବେ ନିର୍ମାଣ ହୋଇଥିବା ଅକ୍ସିଜେନ୍‌ ପ୍ଳାଣ୍ଟ୍‌କୁ କାର୍ଯ୍ୟକ୍ଷମ କରାଗଲେ ହଜାର ହଜାର ରୋଗୀ ଉପକୃତ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି। ବରିଷ୍ଠ ଆଇନଜୀବୀ ତଥା ଘୁମୁସର ସଂଗ୍ରାମ ସମିତିର ଆବାହକ ଖରାଂଶୁ ଶେଖର ଦାଶଙ୍କ କହିବା ଅନୁସାରେ , ବର୍ତ୍ତମାନ ରୋଗୀଙ୍କ ପାଇଁ ଅକ୍ସିଜେନ୍‌ର ଆବଶ୍ୟକତା ବେଶ ଗୁରୁତ୍ବପୂର୍ଣ୍ଣ।