ଓଡ଼ିଶାର ଆଉ ୮ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ, ଟ୍ବିଟ୍ କରି ସୂଚନା ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ବର : ପିଏମ କେୟାର୍ସ ଫଣ୍ଡରୁ ପୁଣି ଓଡ଼ିଶାର ୮ଟି ଜିଲ୍ଲାରେ ପ୍ରେସର ସ୍ୱିଙ୍ଗ ଆଡ଼ଜର୍ପସନ (ପିଏସଏ) ମେଡ଼ିକାଲ ଅକ୍ସିଜେନ୍ ପ୍ଲାଂଟ୍ ପ୍ରତିଷ୍ଠା ହେବ । ଏଥିପାଇଁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସମୟୋପଯୋଗୀ ପଦକ୍ଷେପ ଦ୍ୱାରା ଅନେକ ଲୋକଙ୍କ ଅମୂଲ୍ୟ ଜୀବନକୁ ରକ୍ଷା କରାଯାଇପାରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ରାଜ୍ୟର ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼ ଏବଂ ସୋନପୁର ଜିଲ୍ଲାରେ ଡ଼ିଆରଡ଼ିଓ ଦ୍ୱାରା ପିଏସଏ ଅକ୍ସିଜେନ୍ ପ୍ଲାଂଟ୍ ପ୍ରତିଷ୍ଠା କରାଯିବ । ଓଡ଼ିଶାର ବୌଦ୍ଧ ଏବଂ କଟକ ଜିଲ୍ଲାରେ ଡ଼ିଆରଡ଼ିଓ ପିଏସଏ ଅକ୍ସିଜେନ ପ୍ଲାଂଟ୍ ସ୍ଥାପନ କରୁଛି । ଅପରପକ୍ଷରେ ଓଡ଼ିଶାର ପ୍ରତ୍ୟେକଟି ଜିଲ୍ଲାରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ହସ୍ତକ୍ଷେପ ଲୋଡ଼ିଥିବା ପରିପ୍ରେକ୍ଷୀରେ ଢ଼େଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ରାୟଗଡ଼ା ଜିଲ୍ଲାରେ ପିଏସଏ ପ୍ଲାଂଟ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତିା

ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କ୍ୟାପଟିଭ୍ ମେଡ଼ିକାଲ ଅକ୍ସିଜେନ୍ ଜେନେରେସନ ପ୍ଲାଂଟ୍ ପ୍ରତିଷ୍ଠା ହେଲେ ରାଜ୍ୟର କୋଭିଡ୍-୧୯ ବିରୋଧୀ ଲଢ଼େଇକୁ ସଶକ୍ତ କରିବା ସହ ସ୍ୱାସ୍ଥ୍ୟ ଆହ୍ୱାନ ଗୁଡ଼ିକୁ ମୁକାବିଲା କରିବା ପାଇଁ ରାଜ୍ୟକୁ ପ୍ରସ୍ତୁତ ରଖିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ପୂର୍ବରୁ ରାଜ୍ୟରେ ପିଏମ କେୟାର୍ସ, ପେଟ୍ରୋଲିୟମ ମନ୍ତ୍ରାଣାଳୟର ପିଏସୟୁ, ଡିଆରଡିଓ ଏବଂ ଏନଏଚଏଆଇ ଦ୍ୱାରା ବିଭିନ୍ନ ଜାଗାରେ ପିଏସଏ ଅକ୍ସିଜେନ୍ ପ୍ଲାଂଟ୍ ସ୍ଥାପନ କରାଯାଉଛି ।

ସମ୍ବନ୍ଧିତ ଖବର