କେମିତି ଜୁମ୍ ଆପରେ କଲ କରି ନିଯୁକ୍ତିର ମିଛ ଜାଲ ବିଛାଉଥିଲା ଆକାଶ? ଗୋଟି ଗୋଟି କରି ସବୁ କହିଲେ ଡେଭିଡ୍

ପୁଣେ: ପୁଣେରୁ କିଭଳି ଲୋକଙ୍କୁ ଠକୁଥିଲା ଆକାଶ ପାଠକ୍? କିଭଳି ନିଯୁକ୍ତିର ମିଛ ଜାଲରେ ଫଶାଉଥିଲା ? କ୍ରାଇମବ୍ରାଞ୍ଚ ସାମ୍ନାରେ ଠକ ଆକାଶ ପାଠକର ଗୋଟି ଗୋଟି କରି ଗୁମର ଖୋଲିଛି ବ୍ୟକ୍ତିଗତ ସଚିବ ଡେଭିଡ୍ ପିଟର୍ । ଟାଟା ମୋଟର୍ସ ଏମଡି ଭାବେ ପରିଚୟ ଦେଇ ଡେଭିଡ୍ ପିଟରକୁ ନିଜ ବ୍ୟକ୍ତିଗତ ସଚିବ କରି ରଖିଥିଲା ଆକାଶ । ଏବେ ପିଟରକୁ ଅଟକ ରଖି ଜେରା କରାଯିବା ପରେ ଗୋଟି ଗୋଟି ସବୁ ଗୁମର ଖୋଲିଛି ।

ଜେରା ସମୟରେ ପିଟର କହିଛନ୍ତି ଯେ, ପ୍ରଥମେ ମେଲରେ ଆସୁଥିଲା ଚାକିରି ପାଇଁ ଆବେଦନ କରିଥିବା ଆବେଦନକାରୀଙ୍କ ନାଁ । ଏହାପରେ ଆରମ୍ଭ ହେଉଥିଲା ଛାନଭିନର ପ୍ରକ୍ରିୟା । ଭିଡିଓ କଲ୍ ଆପ୍ ଜୁମ୍ ଜରିଆରେ ଚାଲୁଥିଲା ସାକ୍ଷାତକାର । ଇଂଟରଭ୍ୟୁ ବେଳେ ନିଜେ ଆକାଶ ଉପସ୍ଥିତ ବି ରହୁଥିଲେ । ଆଉ ଏହାପରେ ଡେଭିଡ୍ ବି ନେଇଥିଲେ ଆଶାୟୀଙ୍କ ସାକ୍ଷାତକାର । ଫେଜ ପରେ ଫେଜ୍ ଚାଲିଥିଲା ନିଯୁକ୍ତି ପ୍ରକ୍ରିୟା । ଯେଉଁମାନଙ୍କୁ ଚୟନ କରାଯାଉଥିଲା ସେମାନଙ୍କୁ ଅନଲାଇନରେ ଟ୍ରେନିଂ ଦେବାକୁ ଅନଲାଇନରେ ଟ୍ରେନର ବି ଥିଲେ । ହେଲେ ଦୀପାବଳି ଯୋଗୁଁ କାମ କିଛି ଦିନ ବନ୍ଦ ରହିଲା । ଆଉ ଏହା ପରେ ଠକ ଆକାଶର ପର୍ଦ୍ଦାଫାଶ ହୋଇଯାଇଥିଲା ।

ବଡ଼ କଥା ହେଉଛି, ନିଯୁକ୍ତି ନେଇ ବିଜ୍ଞାପନ ବି ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ଦିଆଯାଉଥିଲା । ସର୍ବେଶ୍ୱର ରାଓ ନାମକ ବ୍ୟକ୍ତିଙ୍କ ଜରିଆରେ ଆବେଦନକାରୀଙ୍କ ଡାଟାବେସ୍ ତିଆରି ହେଉଥିଲା । ଆଉ ଏହାରି ଆଧାରରେ ହିଁ ଆଗକୁ ବଢୁଥିଲା ଆବେଦନକାରୀଙ୍କୁ ଠକିବାର ମସୁଧା।

ପାଖାପାଖି ୯୦ ଜଣଙ୍କୁ ମିଛ ନିଯୁକ୍ତିପତ୍ର ଦିଆଯାଇଥିଲା । ଦେଶର ତିନୋଟି ସ୍ଥାନରେ ଗୁଜୁରାଟ, କର୍ଣ୍ଣାଟକ, ଆଉ ଲକ୍ଷ୍ନୌରେ ନୂଆ ପ୍ଲାଂଟ ଖୋଲୁଥିବା ଦର୍ଶାଇ ନିଯୁକ୍ତି ଦେବାର ଏହି ପୁରା ଡ୍ରାମା ରଚିଥିଲା ଆକାଶ । ଆଉ ଏବେ କ୍ରାଇମବ୍ରାଞ୍ଚ ସାମ୍ନାରେ ଡେଭିଡ୍ ପୁରା ତଥ୍ୟ ରଖିବା ପରେ ଆକଶଙ୍କ ଅଡୁଆ ଆହୁରି ବଢିବ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର