ପିଏ ମୃତ୍ୟୁ ମାମଲା: ପୁଣି ତଦନ୍ତ ଆରମ୍ଭ କଲା କ୍ରାଇମ୍‌ବ୍ରାଞ୍ଚ୍‌

ଜୟପୁରରେ ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌, ପତ୍ନୀ ଓ ଝିଅକୁ ପୁଣି ପଚରାଉଚୁରା

ଜୟପୁର : ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୁଣି ତନାଘନା କରିଛି କ୍ରାଇମବ୍ରାଞ୍ଚ। ଗୁରୁବାର ଦିନ ଜୟପୁରରେ ରହୁଥିବା ଦେବ ନାରାୟଣଙ୍କ ପତ୍ନୀ ବନଜା ଏବଂ ଝିଅ ନିବେଦିତାଙ୍କୁ ପଚରାଉଚୁରା କରାଯାଇଛି। ପ୍ରାୟ ଗୋଟିଏ ଘଣ୍ଟା ଧରି ପଚରାଉଚୁରା ଚାଲିଥିବା ସୂଚନା ମିଳିଛି। ଅନ୍ୟପଟେ କ୍ରାମଇବ୍ରାଞ୍ଚର ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ବ୍ୟକ୍ତି କରିଛନ୍ତି ପରିବାର ଲୋକ।

କ୍ରାଇମବ୍ରାଞ୍ଚକୁ ଏହି ହାଇ ପ୍ରୋଫାଇଲ ମାମଲା ହସ୍ତାନ୍ତର ହେବାପରେ କିଶୋର ଦାସଙ୍କ ନେତୃତ୍ବରେ ଗୋଟିଏ ଟିମ୍‌ ତଦନ୍ତ ଆରମ୍ଭ ହୋଇଥିଲା। ତେବେ ଶ୍ରୀ ଦାସଙ୍କ ପଦୋନ୍ନତି ସହ ବଦଳି ହୋଇଯାଇଥିବାରୁ ଡିଏସ୍‌ପି ଦେବବ୍ରତ ଖଟୁଆଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ବ ମିଳିଛି। ଯାହାକୁ ନେଇ ବନଜା ପ୍ରଶ୍ନ ଉଠାଇଛନ୍ତି। ବାରମ୍ବାର ତଦନ୍ତକାରୀ ଅଧିକାରୀଙ୍କ ବଦଳି ଯୋଗୁଁ ତଦନ୍ତ ପ୍ରକ୍ରିୟା ବିଳମ୍ବିତ ହେଉଛି। ସେହିପରି ମାମଲାର ଅଭିଯୁକ୍ତ ତଥା ତତ୍କାଳୀନ ଜିଲ୍ଲାପାଳ ଜଣେ ଆଇଏଏସ୍‌ ଅଧିକାରୀ। ତତ୍କାଳୀନ ଏସ୍‌ପିଙ୍କ ଭୂମିବାକୁ ନେଇ ବି ସନ୍ଦେହ ପ୍ରକାଶ ପାଇଥିଲା। ସେ ବି ଜଣେ ଆଇପିଏସ୍‌ ଅଧିକାରୀ। ତେଣୁ ଏଭଳି ଉଚ୍ଚ ଅଧିକାରୀଙ୍କୁ କିଭଳି ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀ ଜେରା କରିପାରିବେ ବୋଲି ବନଜା ପ୍ରଶ୍ନ କରିଛନ୍ତି। ତେଣୁ ମାମଲାର ତଦନ୍ତ ସିବିଆଇ ଦ୍ବାରା ହିଁ କରାଯାଉଛି। ଏଥିପାଇଁ ସେ ପୁଲିସ ମହାନିର୍ଦ୍ଦେଶଙ୍କୁ ଅନୁରୋଧ କରିଥିବା ଜଣାଇଛନ୍ତି। ଅପରପକ୍ଷରେ ଆଜି ଡିଏସ୍‌ପି ଶ୍ରୀ ଖଟୁଆଙ୍କ ନେତୃତ୍ବରେ ଜୟପୁର ଆସିଥିବା ଟିମ୍‌ ପୂର୍ବରୁ ଯେଉଁ ତଦନ୍ତ ହୋଇଥିଲା ସେଥିରେ କିଛି ତ୍ରୁଟି ରହିଥିଲା କି ନାହିଁ ଜାଣିବା ପାଇଁ ପ୍ରୟାସ କରିଥିଲା। ତେବେ ଆବଶ୍ୟକ ପଡ଼ିଲେ ପୁଣି ତଦନ୍ତ ଟିମ୍‌ ଜୟପୁର ଆସିବ ବୋଲି ଶ୍ରୀ ଖଟୁଆ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବର ୨୭ ତାରିଖରେ ଦେବ ନାରାୟଣ ନିଖୋଜ ହୋଇଯାଇଥିଲେ। ପରଦିନ ସତୀଗୁଡ଼ା ଡ୍ୟାମରୁ ତାଙ୍କ ଶବ ଉଦ୍ଧାର ହୋଇଥିଲା। ଏହାପରେ ପତ୍ନୀ ବନଜା ହତ୍ୟା ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର