ପକ୍କା ଘର ଚୋରି ଘଟଣା : ୩ ବର୍ଷ ପରେ ଲେଉଟିଲା ଭିଜିଲାନସ୍

ଯାଜପୁର/ରଗଡ଼ି : କୋରେଇ ବ୍ଲକ୍ ତାହାରପୁର ପଞ୍ଚାୟତରେ ଶହ ଶହ ପକ୍କା ଘର ଚୋରି ଘଟଣାର ପୁଣି ତଦନ୍ତ ଆରମ୍ଭ ହୋଇଛି। ଭିଜିଲାନସ ଅଧିକାରୀମାନେ ଆଜି ସକାଳୁ ତାହାରପୁର ପଞ୍ଚାୟତର ତେନ୍ତୁଲିଖୁଣ୍ଟା ଗ୍ରାମରେ ହଠାତ ପହଞ୍ଚି ଶହ ଶହ ପକ୍କା ଘର ଚୋରି ମହାଦୁର୍ନୀତି ତଦନ୍ତ ଆରମ୍ଭ କରିବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ତଦନ୍ତକାରୀ ଟିମ୍ ଆବାସ ଯୋଜନାର ହିତାଧିକାରୀଙ୍କ ବୟାନ ରେକର୍ଡ଼ କରିବା ସହିତ ଅଧା ଘର ଓ ପକ୍କା ଘର ବଦଳରେ ଚାଳ ଘରଗୁଡ଼ିକର ପ୍ରମାଣ ଯୋଗାଡ଼ କରିବା ସହିତ ମାପଚୁପ କରି ଗ୍ରାମବାସୀଙ୍କର ମତାମତ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ଲୋକଙ୍କ ନାମରେ ଜାଲ କାଗଜପତ୍ର କରି ଲୋକମାନଙ୍କର ଇନ୍ଦିରାବାସ, ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଡ଼ପ କରିଥିବା ଲକ୍ଷ ଲକ୍ଷର ତଦନ୍ତ ପୁଣି ୩ବର୍ଷ ପରେ ଆରମ୍ଭ ହୋଇଥିବାରୁ ସେତେ ବେଳର ପଞ୍ଚାୟତ ଲୋକ ପ୍ରତିନିଧି, ଭିଏଲଡବ୍ଲୁ ତଥା ଅସାଧୁ ମେଣ୍ଟ ଛାନିଆ ହୋଇ ପଡ଼ିଛନ୍ତି।

୨୦୧୬ ମସିହାରେ ତାହାରପୁର ପଞ୍ଚାୟତର ଦଳିତ ସାହି, ତେନ୍ତୁଲିଖୁଣ୍ଟା, ଅଧଗାଁ, ମୁଳୁସରଗଡ଼ା, କଙ୍କଡ଼ା, ଗଡ଼ିଆ, ସାନ୍ତରାପୁର ଓ ଜଇଁତଳ ଗ୍ରାମର ଶହ ଶହ ‌ଗରିବ ଲୋକଙ୍କ ପରିବାର ନାମରେ ସରକାର ବିଭିନ୍ନ ଯୋଜନାରେ ଯୋଗାଇ ଥିବା ପକ୍କା ଘର ‌ଅସାଧୁ ମେଣ୍ଟ ହଡ଼ପ କରିଥିଲେ। ତାହାର ସବିଶେଷ ତଥ୍ୟ ସମ୍ବାଦ ଅନୁସନ୍ଧାନ ଟିମ୍ ଆରଟିଆଇ ତଥ୍ୟକୁ ଭିତ୍ତି କରି ଲଗାତର ଖବର ପ୍ରକାଶ କରିଥିଲା। ସେତେବେଳେ ଲୋକଙ୍କର ଅଭିଯୋଗକୁ ଭିତ୍ତି କରି ଭିଜିଲାନସ ଟିମ୍ କୋରେଇ ବ୍ଲକରେ ଚଢ଼ଉ କରି ଏହି ମହାଦୁର୍ନୀତି ସମ୍ପର୍କିତ ଫାଇଲ ମାଗିଥିଲେ। ତେବେ ବ୍ଲକ୍ ପ୍ରଶାସନ ଫସିଯିବା ଭୟରେ ଫାଇଲ ଦେବାକୁ କାଳକ୍ଷେପଣ ନୀତି ଗ୍ରହଣ କରିଥିଲା। ଅଭିଯୋଗର ୩ବର୍ଷ ପରେ ଭିଜିଲାନସ ଟିମ୍ ଆଜି ହଠାତ୍ ତେନ୍ତୁଲିଖୁଣ୍ଟା ଗାଁରେ ପହଞ୍ଚିବା ପରେ ଆବାସ ମହାଦୁର୍ନୀତିରେ ସଂପୃକ୍ତ କର୍ମଚାରୀ ଛାନିଆ ହୋଇପଡ଼ିଛନ୍ତି।

ଭିଜିଲାନସ ଡିଏସପି ବନମାଳୀ ଧଳ, ଇନିସ୍ପେକ୍ଟର ଅନସୂୟା ସେନାପତି ଓ ତହସିଲର କର୍ମଚାରୀ, ଭିଏଲଡବ୍ଲୁ ହୃଷୀକେଶ ସିଂହ ପ୍ରମୁଖ ଆଜି ତତ୍କାଳୀନ ଭିଏଲଡ଼ବ୍ଲୁ ସଯୁକ୍ତା ସାହୁ, ତାଙ୍କ ପୁଅ ଅମରେନ୍ଦ୍ର ସାହୁ( ପାଟରଙ୍ଗା ଭିଏଲଡ଼ବ୍ଲୁ)ଙ୍କ ଉପସ୍ଥିତିରେ ତଦନ୍ତ କରିଛନ୍ତି। ଭିଜିଲାନସ ଟିମ୍ ତେନ୍ତୁଳିଖୁଣ୍ଟା ଗ୍ରାମର କଳ୍ପନା ପଣ୍ଡା, କମଳା ପଣ୍ଡା, ବଳରାମ ପଣ୍ଡା, ଯୋଗେନ୍ଦ୍ର ମଲିକ, ଭରତ ମଲିକ, ଟୁନାକର ଯେନା, ଟିକିନା ଯେନା, କବିତା ଯେନା, ପଦ୍ମନାଭ ମଲିକ, ନାନୁ ମଲିକ, ପୁରୁଷୋତ୍ତମ ‌‌ଯେନା, ସ୍ବର୍ଗତ ରଙ୍ଗଲତା ଯେନା ଓ ଜଇଁତଳର ନୀଳମଣି ମିଶ୍ର ପ୍ରମୁଖଙ୍କ ଫାଇଲ ନେଇଛନ୍ତି ଏବଂ ସେମାନଙ୍କ ଘର ମାପଚୁପ କରିଛନ୍ତି।

ହିତାଧିକାରୀ ପ୍ରକାଶ କରିଛନ୍ତି ଯେ ତାଙ୍କ ନାମରେ ପକ୍କା ଘର ଟଙ୍କା ଆସିଥିବା ସ‌ତ୍ତ୍ବେ ସେମାନେ ପଇସା ପାଇନାହାନ୍ତି। ଆବାସ ଯୋଜନା ମୁତାବକ ଘର ତିଆରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟର କାମ ଶେଷ ପରେ ଅନୁଦାନ ଯୋଗାଣର ବ୍ୟବସ୍ଥା ରହିଛି। ଘର ନଥାଇ ସମସ୍ତ ଅନୁଦାନ ଉଠାଣ ହେଲା କିପରି? ଏହି ଘୋଟାଲା ସମୟରେ ପଞ୍ଚାୟତର ଦାୟିତ୍ବରେ ଥିବା ଭିଏଲଡବ୍ଲୁ, ସରପଞ୍ଚ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ତଦନ୍ତ ପରିସରଭୁକ୍ତ ହେବେ ତ? ହିତାଧିକାରୀ ସେମାନଙ୍କର ଘର ବାବଦରେ ଅନୁଦାନ ପାଇବେ ତ? ନା କାଗଜପତ୍ରରେ ପକ୍କା ଘର ରହୁଥିବା ହତିଧିକାରୀ କଣ ବାସ୍ତବରେ ଚାଳ ଘରେ ପଡ଼ି ରହି ପ୍ରାକୃତିକ ବିପର୍ଯ୍ୟୟ ଝଡତୋଫାନ ବେଳେ ବିପଦକୁ ସବୁ ‌େବଳେ ସମ୍ମୁଖୀନ ହେଉଥିବେ ବୋଲି ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର