ପାଚକ ପାଚିକା ମହାସଂଘର ବିକ୍ଷୋଭ

ଭୁବନେଶ୍ବର : ସରକାରଙ୍କ ଘୋଷଣା ମୁତାବକ ପାରିଶ୍ରମିକ ପ୍ରଦାନ ଦାବିରେ ନିଖିଳ ଓଡ଼ିଶା‌ ମିଳିତ ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହାସଂଘର ୩୦୦୦ରୁ ଊର୍ଦ୍ଧ୍ବ ସଦସ୍ୟ ମାଷ୍ଟରକ୍ୟାଣ୍ଟିନ୍‌ରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିବା ପରେ ସେଠାରେ ପ୍ରତିବାଦ ସଭା କରାଯାଇଥିଲା। ପାରିଶ୍ରମିକ ୧ହଜାରରୁ ୨ ହଜାର କରିିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ବିକ୍ଷୋଭ ସଭା‌େର ବିଜେଡି ନେତା ତଥା ବିଜୁ ଶ୍ରମିକ ସଂଗଠନର ସାଧାରଣ ସମ୍ପାଦକ ସୁବାସ ସିଂହ, ବିଜେଡି ନାରୀନେତ୍ରୀ ସୁଲତା ଦେଓ ଓ ଯୁବ ବିଜେଡି ରାଜ୍ୟ ଉପସଭାପତି ଦୁର୍ଗାପ୍ରସାଦ ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦାବି ପୂରଣ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମହାସଂଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବିଜୁ ଶ୍ରମିକ ସଂଗଠନର ନେତା ରାଜେନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ସରୋଜିନୀ କୁମୁରା, ଉପସଭା‌ନେତ୍ରୀ ଶାନ୍ତି ଲାହୋରା, ସାଧାରଣ ସମ୍ପାଦକ କାର୍ତ୍ତିକ ସା, ରାଜ୍ୟ ଉପଦେଷ୍ଟା ହରିହର ପ୍ରଧାନ, ସହ ସମ୍ପାଦକ ସୁରେନ୍ଦ୍ର ଧରୁଆ, ବିଜୟ ପୁଷେ, କୋଷାଧ୍ୟକ୍ଷ ଜନକ ପ୍ରଧାନ ପ୍ରମୁଖ ନେତୃତ୍ବ ନେଇଥିଲେ। ଦାବିଗୁଡ଼ିକ ମଧ୍ୟରେ ପାଚିକାଙ୍କୁ ସର୍ବନିମ୍ନ ୨୨୫ ଟଙ୍କା ମଜୁରି ସହ ଭବିଷ୍ୟନିଧି ଯୋଜନାରେ ସାମିଲ, ୪ର୍ଥ ଶ୍ରେଣୀ କର୍ମଚାରୀ ମାନ୍ୟତା, ସରକାରଙ୍କ ଘୋଷିତ ମାସିକ ୨ହଜାର ଟଙ୍କା ବେତନରୁ ୧୪୦୦ ପ୍ରଦାନ କରାଯାଉଥିବାରୁ ଜାନୁଆରିଠାରୁ ଏହି ୪ଶହ ଲେଖାଏଁ ବକେୟା ପାଉଣା ପ୍ରଦାନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସିଧା ସଳଖ ନିୟନ୍ତ୍ରଣ ଇତ୍ୟାଦି।

ସମ୍ବନ୍ଧିତ ଖବର