ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ପାଚିକା ସଂଘର ବିକ୍ଷୋଭ

ଖୋର୍ଦ୍ଧା: ୧୨ ଦଫା ଦାବି ପୂରଣ ନେଇ ଗୁରୁବାର ଖୋର୍ଦ୍ଧା ଜିଲ୍ଲାର ସିଟୁ ଅନୁବନ୍ଧିତ ଓଡ଼ିଶା ମିଡ୍‌ ଡେ ମିଲ୍‌ ୱାର୍କସ ୟୁନିଅନ ପକ୍ଷରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗୁରୁବାର ମଧ୍ୟାହ୍‌ଣରେ ଶତାଧିକ ପାଚିକାମାନେ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ଏହାପରେ ପାଚିକା ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ଦେବାକୁ ଯାଇଥିଲେ, କିନ୍ତୁ ଜିଲ୍ଲା ଶିକ୍ଷାଧିକାରୀ ଅନୁପସ୍ଥିତ ଥିବାରୁ ସେ ଆସିବା ଯାଏଁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପରେ ଜିଲ୍ଲାଶିକ୍ଷାଧିକାରୀ, ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ଧାରଣାସ୍ଥଳରେ ପହଞ୍ଚିଥିଲେ। ସଂଘର କର୍ମକର୍ତାଙ୍କ ଠାରୁ ଦାବିପତ୍ର ଗ୍ରହଣ କରିବା ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ଗୁରୁବାର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା ସଂଘର ସଭାପତି ଶୈଳେଶ କୁମାର ବଳିଆରସିଂହ, ସଂଗଠନର ରାଜ୍ୟ ଉପସଭାପତି ପୁଷ୍ପା ଦାଶ, ବାମପନ୍ଥୀ ନେତା ଅନନ୍ତ ମଙ୍ଗରାଜ, ଗିରୀଶ ଚନ୍ଦ୍ର ମହାରଣା, ମିନତୀ ପାଣିଗ୍ରାହୀ, ବିଧୂଭୂଷଣ ମହାରଣା, ପ୍ରଭାତ ପାଣିଗ୍ରାହୀ, ନିରଞ୍ଜନ ବେହେରା, କିଶୋର ଚନ୍ଦ୍ର ପରମଗୁରୁ ପ୍ରମୁଖ ଉପସ୍ଥିତ ଥିଲେ। ଦାବି ସମ୍ପର୍କରେ ଶ୍ରୀ ବଳିଆରସିଂହ କହିଛନ୍ତି ଯେ ୧୨ଟି ଦାବିମଧ୍ୟରୁ ପ୍ରତିମାସର ପ୍ରଥମ ସପ୍ତାହରେ ପାଚିକାଙ୍କ ଦରମା ପ୍ରଦାନ, ରୋଷେଇ ବ୍ୟତୀତ ଅନ୍ୟକାର୍ଯ୍ୟରେ ନିୟୋଜିତ କରିବା, ବକେୟା ଏରିୟର ପାଇନଥିବା ପାଚିକା ସହାୟିକାଙ୍କୁ ବକେୟା ପ୍ରଦାନ କରିବା, ୪ର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ସହ ମାସିକ ୧୦ହଜାର ପେନ୍‌ସନ ପ୍ରଦାନ ଆଦି ଦାବି ରହିଛି। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର