ଭୁବନେଶ୍ବର : ପାଚିକା ସହାୟିକାମାନଙ୍କୁ ଶ୍ରମିକ ମାନ୍ୟତା, ସର୍ବନିମ୍ନ ମାସିକ ୧୮ହଜାର ଟଙ୍କା ମଜୁରି, ବାକିଥିବା ୨୮ମାସର ଏରିଅର ପ୍ରଦାନ, ପ୍ରାପ୍ୟ ନିୟମିତ ପ୍ରଦାନ, ୧୦ମାସ ବଦଳରେ ୧୨ମାସର ପ୍ରାପ୍ୟ ପ୍ରଦାନ, ପ୍ରସୂତୀକାଳୀନ ୬ମାସ ଛୁଟି ସହ ମଜୁରି ପ୍ରଦାନ, ବର୍ଷକୁ ଦୁଇ ଯୋଡ଼ା ଶାଢ଼ି ପ୍ରଦାନ, ସ୍ବାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଭଳି ୧୦ଦଫା ଦାବି ନେଇ ନିଖିଳ ଉତ୍କଳ ଏମଡିଏମ୍ ପାଚିକା ସହାୟିକା ସଂଘ ପକ୍ଷରୁ ଲୋୟର୍ ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ସଂଘ ପକ୍ଷରୁ ଦାବି କରାଯାଇଛି ଯେ, ସ୍କୁଲ ଗୁଡ଼ିକରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ପାଚିକା ଓ ସହାୟିକା ମାନେ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସର୍ବନିମ୍ନ ମଜୁରି ପାଆନ୍ତିନାହିଁ। ସେମାନଙ୍କର ସାମାଜିକ ସୁରକ୍ଷାର ବ୍ୟବସ୍ଥା ମଧ୍ୟ ନାହିଁ। ଯାହା ପ୍ରାପ୍ୟ ମିଳେ ତାହା ମଧ୍ୟ ନିୟମିତ ଭାବେ ମିଳେନାହିଁ ବୋଲି ସଂଘ ଅଭିଯୋଗ କରିଛି। ତେବେ ସଂଘ ଆଜି ଗଣଶିକ୍ଷାମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବାକୁ ଯାଇଥିବା ବେଳେ ମନ୍ତ୍ରୀଙ୍କ ସେକ୍ରେଟାରିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ୫ତାରିଖରେ ରାଜ୍ୟ ପାଚିକା ନେତୃତ୍ବ ମଣ୍ଡଳୀ ସହ ଆଲୋଚନା କରିବେ ବୋଲି ଫୋନ୍ ଯୋଗେ ମନ୍ତ୍ରୀ କହିଥିବା ସଂଘ ପକ୍ଷରୁ କୁହାଯାଇଛି। ବିକ୍ଷୋଭରେ ସଂଘର ସଭାପତି ଦେବାଶିଷ ଘୋଷ, ଏଆଇଟିୟୁସିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ଜୟନ୍ତ ଦାସ, ସୁର ଜେନା, କମଳ ଷଣ୍ଢ, ମାଧବୀ କୁଲତା ପ୍ରମୁଖ ନେତୃତ୍ବ ନେଇଥିଲେ।