ବାଲେଶ୍ବର ପାଇଁ ପ୍ୟାକେଜ୍, ପିପିଲିକୁ ନଜର; ପ୍ରଥମ ଦଫାରେ ପୌରାଞ୍ଚଳ ପାଇଁ ୧୫୫ କୋଟି

ବରିଷ୍ଠ ଅଧିକାରୀଙ୍କ ଅନୁଧ୍ୟାନ ପରେ ଘୋଷଣା, ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆଜିଠାରୁ ଆରମ୍ଭ ହେଲା

ଭୁବନେଶ୍ବର: ବିଜେପୁର ଉପନିର୍ବାଚନରେ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେବେ କହିଥିଲେ, ବିଜେପୁର କଥା ମୁଁ ନିଜେ ବୁଝିବି। ନବୀନଙ୍କ ଏହି ପ୍ରତିଶ୍ରୁତି ବିେଜପୁର ଉପନିର୍ବାଚନରେ ବିଜେଡିକୁ ବଡ଼ ସଫଳତା ଦେଇଥିଲା। ପରେ ବିଜେପୁର ପାଇଁ ବିଶାଳ ପ୍ୟାକେଜ୍ ଘୋଷଣା ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବାଲେଶ୍ବର ଉପନିର୍ବାଚନରେ ବି ସମାନ ଚାଲ୍ ଖେଳିଥିଲେ ମୁଖ୍ୟମନ୍ତ୍ରୀ। ବିଜେଡି ଜିତିଲା। ଆଜି ପ୍ରଥମ ଦଫାରେ ବାଲେଶ୍ବର ପୌରାଞ୍ଚଳର ସାମଗ୍ରିକ ବିକାଶ ପାଇଁ ୧୫୫ କୋଟି ଟଙ୍କାର ଗୋଟିଏ ପ୍ୟାକେଜ୍ ଘୋଷଣା କରାଯାଇଛି। ଆଜି ସକାଳେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ‘୫ଟି’ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଏବଂ ପୂର୍ତ୍ତ ସଚିବ ଡାକ୍ତର କ୍ରିଷନ୍ କୁମାର ପ୍ରମୁଖ ବାଲେଶ୍ବର ଯାଇ ସରଜମିନ୍ ସ୍ଥିତି ଅନୁଧ୍ୟାନ କରିଥିଲେ। ଆଉ ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ୟାକେଜ୍ ଘୋଷଣା କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଆଜିର ଘୋଷଣା ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଛି।

ଗତକାଲି ମୁଖ୍ୟମନ୍ତ୍ରୀ ପିିପିଲି-ଡେଲାଙ୍ଗ କଥା ସେ ନିଜେ ବୁଝିବେ ବୋଲି ପ୍ରତିଶ୍ରୁତି ଦେବାର ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ବିକାଶ ପାଇଁ କାର୍ଯ୍ୟାରମ୍ଭ ଘଟଣାକୁ ରାଜନୈତିକ ମହଲ ଅନେକ ଗୁରୁତ୍ବ ଦେଉଛନ୍ତି। ଗୋଟିଏ ମହଲର ମତ ହେଉଛି ଯେ ଏହାଦ୍ବାରା ମୁଖ୍ୟମନ୍ତ୍ରୀ ପରୋକ୍ଷରେ ପିପିଲିବାସୀଙ୍କ ଭିତରେ ଗୋଟିଏ ବିଶ୍ବାସ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି ଯେ ସେ ଯାହା କହନ୍ତି, ତାହା କରନ୍ତି। ଅନ୍ୟ ଗୋଟିଏ ଗୋଷ୍ଠୀର କହିବା କଥା ହେଉଛି, ବିଜେଡି ଭୋଟ ବ୍ୟାଙ୍କ ପଛର ବଡ଼ ଶକ୍ତି ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ଉପରେ ଭରସା ହିଁ ସିଂହଭାଗ ବିଜେଡି ନେତାଙ୍କ ବିଜୟ ପଛର ମୂଳ ରହସ୍ୟ। ବାଲେଶ୍ବରର ଆଜିର ପ୍ୟାକେଜ୍ ଏହାକୁ ଅାହୁରି ଅଧିକ ବଳିଷ୍ଠ କରିଛି।

ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘‘ବାଲେଶ୍ବର ପୌରାଞ୍ଚଳର ସାମଗ୍ରିକ ବିକାଶ ଦୁଇଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟ ଲାଗି ଆଜିର ୧୫୫ କୋଟି ଟଙ୍କା ଉଦ୍ଦିଷ୍ଟ। ବାଲେଶ୍ବର ହେଉଛି ଓଡିଶାର ଅନ୍ୟତମ ମୁଖ୍ୟ ସହର। ଏହା ମୋର ପ୍ରିୟ ଲେଖକ ଫକୀର ମୋହନ ସେନାପତିଙ୍କ ଜନ୍ମସ୍ଥାନ। ନିକଟରେ ମୁଁ ବାଲେଶ୍ବର ବାସୀଙ୍କୁ କଥା ଦେଇଥିଲି ଯେ ବାଲେଶ୍ବର ମ୍ୟୁନିସିପାଲିଟିର ବିକାଶ ଉପରେ ଆମେ ଧ୍ୟାନ ଦିଆଯିବ। ଆଜି ଏହାର କାର୍ଯ୍ୟାନ୍ବୟନ ପ୍ରକ୍ରିୟା ଆରମ୍ଭ ହୋଇଛି।’’ ପ୍ୟାକେଜ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୮ କୋଟି ଟଙ୍କା ବ୍ୟୟରେ ବାଲେଶ୍ବର ସହଦେବଖୁଣ୍ଟା ବସଷ୍ଟାଣ୍ଡର ବିକାଶ କରାଯିବ। ତୁମୁଳିଆ ଗେଟ ଫ୍ଲାଇଓଭର ଠାରୁ ଷ୍ଟେସନଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ଛଅ ଥାକିଆ କରାଯିବ। ଏହି ରାସ୍ତାରେ ଆଧୁନିକ ଷ୍ଟ୍ରିଟ୍‌ ଲାଇଟ୍ ବ୍ୟବସ୍ଥା ହେବ। କେବଳ ସେତିକି ନୁହେଁ, ବାଲେଶ୍ବର ପୌରାଞ୍ଚଳର ସବୁ ମୁଖ୍ୟ ରାସ୍ତାର ଉନ୍ନତିକରଣ କରାଯିବ। ଏଥିରେ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି। ଏହାଦ୍ବାରା ସହରର ଟ୍ରାଫିକ ସମସ୍ୟା ଦୂର ହେବ।

ବାଲେଶ୍ବରର କ୍ରୀଡାବିତ୍‌ମାନଙ୍କ ଭିତରେ ଥିବା ପ୍ରତିଭାର ବିକାଶ ପାଇଁ ବାଲେଶ୍ବର ପୌରାଞ୍ଚଳରେ ୧୪ କୋଟି ଟଙ୍କା ବ୍ୟୟରେ ବହୁମୁଖୀ ଇଣ୍ଡୋର ହଲ୍‌, ସୁଇମିଂ ପୁଲ୍ ବା ସନ୍ତରଣାଗାର ଆଦି ଉନ୍ନତ କ୍ରୀଡା ଭିତ୍ତିଭୂମିର ବିକାଶ କରାଯିବ। ଏହାସହିତ କ୍ରୀଡାବିତ୍‌ମାନଙ୍କ ପାଇଁ ଉଚ୍ଚ ମାନର ତାଲିମ ବ୍ୟବସ୍ଥା କରାଯିବ। ବୁଢାବଳଙ୍ଗ ନଦୀ ବାଲେଶ୍ବର ପୌରାଞ୍ଚଳର ଜୀବନରେଖା। ୫୩ କୋଟି ଟଙ୍କା ଖର୍ଚ୍ଚରେ ବୁଢାବଳଙ୍ଗ ନଦୀବନ୍ଧର ସୁରକ୍ଷା ସହିତ ସୌନ୍ଦର୍ଯୀକରଣ କରାଯିବ। ବାଲେଶ୍ବର ସହରବାସୀଙ୍କ ପାଇଁ ଅବସର ବିନୋଦନ ନିମନ୍ତେ ବୁଢାବଳଙ୍ଗ ନଦୀତଟର ମଧ୍ୟ ବିକାଶ କରାଯିବ। ପୌରାଞ୍ଚଳରେ ଥିବା ଗଡଗଡିଆ ପୋଖରୀ, ଶୋଭାରାମପୁର ପୋଖରୀ, ବଡଖୁଆ ପୋଖରୀ, ନୂଆ ପୋଖରୀ ଓ ହରଗଙ୍ଗା ପୋଖରୀ ଆଦିର ସୌନ୍ଦର୍ଯୀକରଣ ଏବଂ ବିକାଶ କରାଯିବ। ସମସ୍ତ ଡେନେଜ୍‌ ଓ ତତସଂଯୁକ୍ତ ରାସ୍ତା ଗୁଡିକର ବିକାଶ ପାଇଁ ୭ କୋଟି ଟଙ୍କା ବ୍ୟୟ ହେବ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଥିଲେ ଯେ ବାଲେଶ୍ବର ମେଡିକାଲ କଲେଜର ପ୍ରଶିକ୍ଷଣ ହସ୍ପିଟାଲ ନିମନ୍ତେ ୨୭୫କୋଟି ଟଙ୍କାର କାମ ଚାଲୁ ରହିଛି। ଗତ ଚାରି ପାଞ୍ଚ ମାସ ହେବ ସ୍ଥାନୀୟ ପୌରାଞ୍ଚଳ ପକ୍ଷରୁ ୧୬କୋଟି ଟଙ୍କା ବ୍ୟୟରେ ସହରରେ ସିମେଣ୍ଟ କଂକ୍ରିଟ୍‌ ରୋଡ , କମ୍ୟୁନିଟି ସେଣ୍ଟର ଆଦି ବିଭିନ୍ନ ଭିତ୍ତିଭୂମି ବିକାଶ କାମ ମଧ୍ୟ ଜାରି ରହିଛି। ଏହି ଅବସରରେ ସେ ଦୃଢୋକ୍ତି ପ୍ରକାଶ କରିଥିଲେ ଯେ ଆମେ କଥା ନୁହେଁ ସବୁବେଳେ କାମରେ ବିଶ୍ବାସ କରୁ। ଏ ସବୁ କାମ ଶୀଘ୍ର ଆରମ୍ଭ ହେବ ଓ ପ୍ରାଥମିକତାର ସହ କାର୍ଯ୍ୟକାରୀ କରାଯିବ। ବାଲେଶ୍ବର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଦୋହରାଇବା ସହିତ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଥିଲେ।

ସମ୍ବନ୍ଧିତ ଖବର