ଭୁବନେଶ୍ବର : ରାଜ୍ୟର ୯ଟି ଜିଲ୍ଲାର ୭୦ଟି ବ୍ଲକ ମରୁଡ଼ି ଓ ରୋଗପୋକ ଦ୍ବାରା ଆକ୍ରାନ୍ତ। ସେହି ଅଞ୍ଚଳର ପ୍ରଭାବିତ ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ ଅନୁଯାୟୀ ସଂପୃକ୍ତ ଚାଷୀମାନଙ୍କୁ ୨୦ ହଜାର ସଂଖ୍ୟକ ପନିପରିବା ବିହନ କିଟ୍ ମାଗଣା ବଣ୍ଟନ କରାଯିବ।
ଆଜି ଏ ନେଇ ଉଦ୍ୟାନ କୃଷି ବିଭାଗ ପକ୍ଷରୁ କିଟ୍ ବଣ୍ଟନ ସଂକ୍ରାନ୍ତ ନିୟମାବଳୀ ଜାରି କରି ସଂପୃକ୍ତ ଅଞ୍ଚଳର ଉଦ୍ୟାନ କୃଷି ଉପ ନିର୍ଦେଶକମାନଙ୍କୁ ନିର୍ଦେଶ ଦିଆଯାଇଛି। ପ୍ରତ୍ୟେକ କିଟ୍ରେ ୩୦୦ ଟଙ୍କା ମୂଲ୍ୟର ୧୨ଟି ପ୍ରକାର ଯଥା: କଖାରୁ, କଲରା, ଲାଉ, କାକୁଡ଼ି, ଝୁଡ଼ଙ୍ଗ, ବିନ୍, ଗୁଆଁର, ମୂଳା, ଭେଣ୍ଡି, ଶାଗ, ଜହ୍ନି ଆଦି ବିହନ ରହିବ। ଏହା ଡିସେମ୍ବର ଶେଷ ସୁଦ୍ଧା ବଣ୍ଟନ କରାଯିବ ବୋଲି ନିୟମାବଳୀରେ ଉଲ୍ଲେଖ କରାଯାଇଛି। ତେବେ ଆଉ ୪ ଦିନ ଭିତରେ କିପରି କିଟ୍ ବଣ୍ଟନ ହେବ ସେ ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ।
ଏହି ନିୟମାବଳୀ ଅନୁଯାୟୀ ଓଡ଼ିଶା ବିହନ ଯୋଗାଣ ନିଗମ କେନ୍ଦ୍ର ଗୁଣାତ୍ମକ ପନିପରିବା ବିହନ ଯୋଗାଇଦେବ। ପ୍ରତ୍ୟେକ ଉଦ୍ୟାନ କୃଷି ଉପ ନିର୍ଦେଶକ ନିଜ ନିଜ ଅଞ୍ଚଳର ପ୍ରକୃତ ଚାଷୀମାନଙ୍କୁ ଏହା ବଣ୍ଟନ କରିବେ। ସେମାନେ ପ୍ରଭାବିତ ଚାଷୀମାନଙ୍କ ନାମ ତାଲିକା ଜିଲ୍ଲା କୃଷି ଉପ ନିର୍ଦେଶକ କିମ୍ବା ଜିଲ୍ଲା ପ୍ରଶାସନ ନିକଟରୁ ସଂଗ୍ରହ କରିବେ। ଏହି କିଟ୍ ଯୋଗାଣ ବାବଦରେ ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ ହେବ ବୋଲି ଆକଳନ କରାଯାଇଛି।