ଭୁବନେଶ୍ବର : ଏକାମ୍ର ଯୋଜନାରେ ଯେଉଁ ଜମି ଅଧିଗ୍ରହଣ ହେବ, ତାହା ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ହିଁ ରେକର୍ଡ କରାଯିବ। ଜମି ଦାନ କରିଥିବା ସବୁ ବ୍ୟକ୍ତିଙ୍କ ନାମ ପ୍ରକଳ୍ପ ଅଞ୍ଚଳରେ ଫଳକରେ ରଖାଯିବ।
ଏଭଳି ନିର୍ଦେଶ ଦେବା ସହିତ ଆଜି ପୁରୀ ଓ କଟକ ପରେ ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଅର୍ଥାତ୍ ଏହି ଯୋଜନା ପାଇଁ ସ୍ଥାନାନ୍ତର ଆବଶ୍ୟକତା ଥିବା ବାସଗୃହ, ମଠ ଓ ଦୋକାନ ଘର ଲାଗି ଆର୍ଥିକ ସହାୟତା େଘାଷଣା କରାଯାଇଛି।
ଏକାଦଶ ଶତାବ୍ଦୀର ଅନନ୍ୟ କୀର୍ତି ଶ୍ରୀଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନତି, ସୌନ୍ଦର୍ଯ୍ୟୀକରଣ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ ନିମନ୍ତେ ଚାରିପଟେ ଥିବା ଅଞ୍ଚଳର ବିକାଶ କରାଯିବ। ଶ୍ରୀଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ଅଞ୍ଚଳର ୬୫ ଏକର ପରିମିତ ଅଞ୍ଚଳରେ ଏହିସବୁ ଉନ୍ନତୀକରଣ ହେବ।
ଯେଉଁ ପ୍ୟାକେଜ୍ ଘୋଷଣା କରାଯାଇଛି, ସେଥିରେ ଆବାସିକ ଅଞ୍ଚଳରେ ସ୍ଥିତିବାନ ସତ୍ତ୍ବରେ ନିର୍ମିତ ବାସଗୃହକୁ ଓଡ଼ିଶା ସରକାରଙ୍କ ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କ୍ରୟ ଜରିଆରେ ଅଧିଗ୍ରହଣ ହେବ। ଜମି ଅଧିଗ୍ରହଣ ଆଇନ-୨୦୧୩ ଅନୁସାରେ କ୍ଷତିପୂରଣ ଦିଆଯିବ।
ଅଧିଗୃହୀତ ହେବାକୁ ଥିବା ଜମିର ବଜାର ଦର ତତ୍ତୁଲ୍ୟ କ୍ଷତିପୂରଣ ଦିଆଯିବ। ଏହା ପରିବର୍ତେ କୌଣସି ବ୍ୟକ୍ତି ଯଦି ଜମି ବଦଳରେ ଜମି ନେବାକୁ ଚାହିଁବେ, ତେବେ ସେମାନଙ୍କୁ ଅନ୍ୟତ୍ର ଜମି ଦିଆଯିବ। ଯଦି ଅନ୍ୟତ୍ର ଦିଆଯିବାକୁ ଥିବା ବିକଳ୍ପ ଜମିର ମୂଲ୍ୟ ଅଧିଗୃହୀତ ଜମିର ମୂଲ୍ୟ ଠାରୁ କମ୍ ହୁଏ, ତେବେ ନିୟମାନୁଯାୟୀ ଅବଶିଷ୍ଟ ପ୍ରାପ୍ୟ ଆର୍ଥିକ ସହାୟତା ଭାବରେ ଦିଆଯିବ।
ବିସ୍ଥାପିତ ହେବାକୁ ଥିବା ପ୍ରତି ପରିବାରକୁ ପରିବହନ ଓ ତୁରନ୍ତ ବ୍ୟବସ୍ଥା ନିମନ୍ତେ ୧ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। ଜମି ଅଧିଗ୍ରହଣ ହେବା ଦିନଠାରୁ ୧୨ ମାସ ପର୍ଯ୍ୟନ୍ତ ପ୍ରତି ପରିବାରକୁ ୧୫ହଜାର ଟଙ୍କା ଲେଖାଏଁ ମାସିକ ସହାୟତା ଯୋଗାଇ ପାଇବେ। ବାସଗୃହ ହରାଉଥିବା ପ୍ରତି ଘର ମାଲିକଙ୍କୁ ଏକକାଳୀନ ୨୦ଲକ୍ଷ ଟଙ୍କା ଥଇଥାନ ଭତ୍ତା ବବାଦରେ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ସେହିପରି ସ୍ଥିତିବାନ ସତ୍ତ୍ବରେ ନିର୍ମିତ ବାଣିଜ୍ୟିକ ପ୍ରତିଷ୍ଠାନକୁ ଓଡ଼ିଶା ସରକାରଙ୍କର ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ। ଏ କ୍ଷେତ୍ରରେ ମଧ୍ୟ ୨୦୧୩ ଜମି ଅଧିଗ୍ରହଣ ଆଇନ ଅନୁସାରେ କ୍ଷତିପୂରଣ ମିଳିବ। ଦୋକାନ ଘର ମାଲିକଙ୍କୁ ସେମାନଙ୍କର ପରିବହନ ଖର୍ଚ୍ଚ ଓ ତୁରନ୍ତ ବ୍ୟବସ୍ଥା ନିମନ୍ତେ ୧ଲକ୍ଷ ଟଙ୍କା ଏକକାଳୀନ ଦିଆଯିବ। ୨୦୦ ବର୍ଗ ମିଟର କିମ୍ବା ତା ଠାରୁ କମ୍ ନିର୍ମାଣାଧୀନ ଅଞ୍ଚଳରେ ଦୋକାନ ପାଇଁ ଜମି ଅଧିଗ୍ରହଣ ହେବା ଦିନଠାରୁ ଦୋକାନ ଘର ମିଳିବା ପର୍ଯ୍ୟନ୍ତ ମାସିକ ୧୫ ହଜାର ଟଙ୍କା ଘରଭଡା ସହାୟତା ଦିଆଯିବାକୁ ସ୍ଥିର ହୋଇଛି। ୨୦୦ ବର୍ଗମିଟର ବା ତଦୁର୍ଧ୍ବ ନିର୍ମାଣାଧୀନ ଅଞ୍ଚଳରେ ନିର୍ମିତ ଦୋକାନ ପାଇଁ ମାସିକ ୨୦ ହଜାର ଟଙ୍କା ଘରଭଡା ସହାୟତା ଭାବେ ଯୋଗାଇ ଦିଆଯିବ।
ଥଇଥାନ ଯୋଜନାରେ ସରକାର ୩ଟି ବିକଳ୍ପ ରଖିଛନ୍ତି। ପ୍ରଥମତଃ, ସୁଲଭତା ଭିତ୍ତିରେ ବଜାର ଦରର ପଚାଶ ପ୍ରତିଶତ ମୂଲ୍ୟରେ ଦୋକାନ ଘର ଯୋଗାଇ ଦିଆଯିବ। ଦୋକାନ ଘରର ଅବଶିଷ୍ଟ ପଚାଶ ପ୍ରତିଶତ ମୂଲ୍ୟ ରାଜ୍ୟ ସରକାର ରିହାତି ଭାବେ ବହନ କରିବେ। ଦ୍ବିତୀୟତଃ, ଦୋକାନ ହରାଉଥିବା ପ୍ରତି ବ୍ୟକ୍ତି ନିର୍ମିତ ହେବାକୁ ଥିବା ମାର୍କେଟ କମ୍ପ୍ଲେକ୍ସରେ ନୂଆ ଦୋକାନ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ସେମାନେ ଏହାକୁ ବଜାର ଦରର ପଚାଶ ପ୍ରତିଶତ ମୂଲ୍ୟରେ କିଣିପାରିବେ। ଅନ୍ୟଥା ଦୋକାନ ମାଲିକ ଚାହିଁଲେ, ଏକକାଳୀନ ୨୦ଲକ୍ଷ ଟଙ୍କା ସହାୟତା ଭାବରେ ନେଇପାରିବେ।
ପ୍ରକଳ୍ପ ଅଞ୍ଚଳରେ ଥିବା ସମସ୍ତ ତାଲିକାଭୁକ୍ତ ଉଠା ଦୋକାନୀଙ୍କୁ ୩୦ ହଜାର ଟଙ୍କା ଏକକାଳୀନ ସହାୟତା ଭାବରେ ଦିଆଯିବ। ଦୁୁଇଟି କିସ୍ତିରେ ସେମାନେ ଏହି ସହାୟତା ପାଇପାରିବେ। ଆବଶ୍ୟକ ନିୟମ ଅନୁଯାୟୀ ଭେଣ୍ଡିଂ ପ୍ଲାନ୍ କରାଯାଇ ଉଠା ଦୋକାନୀଙ୍କୁ ବ୍ୟବସାୟ ପାଇଁ ଆବଶ୍ୟକ ସ୍ଥାନ ଆବଣ୍ଟନ କରାଯିବ।
ଏକାମ୍ର ଯୋଜନା ପାଇଁ ସ୍ଥାନାନ୍ତରିତ ହେବାକୁ ଥିବା ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନ ନିମନ୍ତେ ସହାୟତା କଣ ଦିଆଯିବ, ତାହା ଭୁବନେଶ୍ବର ମହାନଗର ନିଗମ କମିସନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସ୍ଥିର କରିବ। ସେହିପରି ଖୋର୍ଧା ଜିଲ୍ଲାପାଳ ଓ ହିତାଧିକାରୀମାନଙ୍କ ସହିତ ଆଲୋଚନା କରି ବିସ୍ଥାପିତ ହେବାକୁ ଥିବା ମଠଗୁଡିକୁ ଜମି ଆବଣ୍ଟନ, ସଂରକ୍ଷଣ ଆଦି କାର୍ଯ୍ୟ ସଂପର୍କରେ ଭୁବନେଶ୍ବର ମହାନଗର ନିଗମ କମିସନର ସ୍ଥିର କରିବେ। ପ୍ରତି ମଠର ପୁନର୍ବିନ୍ୟାସ ସମୟରେ ଏହାର ପୂର୍ବ ଢାଞ୍ଚାକୁ ଗୁରୁତ୍ବ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ଏହି ଥଇଥାନ ଓ ପୁନର୍ବାସ ନୀତି ଖୋର୍ଧା ଜିଲ୍ଲାପାଳଙ୍କ ସହ ଆଲୋଚନା କ୍ରମେ ମହାନଗର ନିଗମ କମିସନର କାର୍ଯ୍ୟକାରୀ କରିବେ। ଯେହେତୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପାରସ୍ପରିକ ଆଲୋଚନା ଭିତ୍ତିରେ ସଂପନ୍ନ କରାଯିବ, ଏଣୁ ଭୁବନେଶ୍ବର ମହାନଗର ନିଗମ କମିସନର ଖୋର୍ଧା ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସହାୟତା ରାଶିରେ ହ୍ରାସ ବା ପରିବର୍ତନ କରିପାରିବେ। ଏଥିପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ କମିସନରଙ୍କ ଅନୁମୋଦନ ଆବଶ୍ୟକ ହେବ। ଏହି ଯୋଜନା ନିମନ୍ତେ ପାଣ୍ଠି ମଧ୍ୟ ଭୁବନେଶ୍ବର ମହାନଗର ନିଗମ କମିସନରଙ୍କ ତତ୍ତ୍ବାବଧାନରେ ହେବ।
ସରକାରଙ୍କ ପକ୍ଷରୁ ଆହୁରି କୁହାଯାଇଛି ଯେ ୬ମାସ ମଧ୍ୟରେ ପ୍ରକଳ୍ପକୁ ଶେଷ କରିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଣୁ ଅଧିଗ୍ରହଣ ଅଧିସୂଚନା ପ୍ରକାଶିତ ହେବାର ୩୦ ଦିନ ମଧ୍ୟରେ ଯେଉଁ ବ୍ୟକ୍ତି ସ୍ବେଚ୍ଛାରେ ତାଙ୍କର ଜମି ଦିଅନ୍ତି, ତାଙ୍କୁ ଅତିରିକ୍ତ ୧୦ ପ୍ରତିଶତ ଅର୍ଥ ପ୍ରୋତ୍ସାହନ ରାଶି ଭାବେ ପ୍ରଦାନ କରାଯିବ।