କେନ୍ଦୁପତ୍ର ତୋଳାଳି, କର୍ମଚାରୀଙ୍କ ପାଇଁ ପ୍ୟାକେଜ୍‌: ପ୍ରଥମ ପର୍ଯ୍ୟାୟରେ ତୋଳାଳିଙ୍କୁ ହଜାରେ, ସିଜିନାଲ୍‌ ଷ୍ଟାଫ୍‌ଙ୍କୁ ୧୫୦୦

ଜିଏସ୍‌ଟି ଉଚ୍ଛେଦ ପାଇଁ ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ୟାକେଜ୍ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରତି ତୋଳାଳୀଙ୍କୁ ୧୦୦୦ ଟଙ୍କା ଓ ପ୍ରତ୍ୟେକ ସିଜିନାଲ ଷ୍ଟାଫ୍‌ ଓ ବାଇଣ୍ଡର୍‌ଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯିବ। ସବୁ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ। କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପିଲାଙ୍କୁ ବୃତ୍ତି ପ୍ରଦାନ କରାଯିବ। ମେଧାବୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ସ୍ତରରେ ପୁରସ୍କୃତ କରାଯିବ। ସର୍କଲ ଚେକର୍ସ ଓ ବାଇଣ୍ଡିଂ ଚେକର୍ସମାନଙ୍କ ଗ୍ରାଚୁଇଟି ଦେୟ ସାତ ଦିନରୁ ବୃଦ୍ଧି କରି ୧୫ ଦିନ କରାଯିବ। ସମସ୍ତ ତୋଳାଳୀଙ୍କୁ ତୋଳାଳୀ ପରିଚୟ ପତ୍ର ପ୍ରଦାନ କରାଯିବ।

ଏହି ପ୍ୟାକେଜ୍ ଘୋଷଣା ସହ କେନ୍ଦୁପତ୍ର ବ୍ୟବସାୟ ଉପରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ଉଚ୍ଛେଧ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। କେନ୍ଦୁପତ୍ର ବ୍ୟବସାୟ ଉପରେ ୧୮% ଜିଏସ୍‌ଟି ବହୁତ ଅଧିକ। କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀମାନେ ସମସ୍ତେ ଗରିବ ଲୋକ। ତେଣୁ କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଠାଇ ଦେବା ପାଇଁ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର କୁହାଯାଉଛି। ଗରିବ ଲୋକଙ୍କ ହିତ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ନିକଟରେ ପୁନର୍ବାର ଏହି ଦାବି କରାଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ରାଜ୍ୟରେ ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ଅଛନ୍ତି। ଏମାନେ ଗରିବ ଲୋକ। ବହୁ ଜନଜାତି ମା’ମାନେ ମଧ୍ୟ କେନ୍ଦୁପତ୍ର ତୋଳିବା କାମ କରନ୍ତି। କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ମୋ ସରକାର ସବୁବେଳେ କାମ କରି ଆସୁଛି। ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ କେନ୍ଦୁପତ୍ର ତୋଳାଳୀମାନଙ୍କୁ ବୋନସ୍‌ ଦିଆଯାଉଛି। ଆମର ଏହି ନୀତି ଅନ୍ୟ ରାଜ୍ୟ ମାନଙ୍କ ପାଇଁ ମଡେଲ ହୋଇଛି। ଗତ ସପ୍ତାହ ମଧ୍ୟରେ ମୁଁ କେନ୍ଦୁପତ୍ର ତୋଳାଳୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ତିନି ତିନିଥର ଆଲୋଚନା କରିଛି। ଏହି ଆଲୋଚନା ପରେ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ୟାକେଜ ଘୋଷଣା କରାଯାଉଛି।

ସମ୍ବନ୍ଧିତ ଖବର