ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ଜବରଦଖଲ ଉଚ୍ଛେଦ : କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ପ୍ୟାକେଜ୍‌

ଭୁବନେଶ୍ବର : ଏକାମ୍ର କ୍ଷେତ୍ରର ବିକାଶ ଯୋଜନା ଘୋଷଣା କରିବା ସହ ଜୀବିକା ହରାଉଥିବା ଉଠା ଦୋକାନୀଙ୍କ ଥଇଥାନ ପ୍ୟାକେଜ୍‌ ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଠା‌େଦାକାନୀଙ୍କୁ ଦୁଇଟି କିସ୍ତିରେ ୩୦ ହଜାର ଟଙ୍କା ଏକକାଳୀନ ସହାୟତା ଦିଆଯିବ ଏବଂ ଭେଣ୍ଡିଂ ଜୋନ୍ କରାଯାଇ ସେମାନଙ୍କୁ ଥଇଥାନ କରାଯିବ। ପକ୍କା ଘରେ ଥିବା ଦୋକାନ ଘରର ଉଚ୍ଛେଦ ନିମନ୍ତେ ବ୍ୟବସାୟୀଙ୍କୁ ୧୨ ମାସ ନିମନ୍ତେ ମାସିକ ୧୦ ହଜାର ଟଙ୍କା ଲେଖାଏ ସହାୟତା ଦିଆଯିବ। ପରବର୍ତ୍ତୀ ସ‌ମୟରେ ବିଏମ୍‌ସି, ପର୍ଯ୍ୟଟନ ବିଭାଗ ଦ୍ବାରା ନିର୍ମିତ ମାର୍କେଟ୍‌ରେ କିମ୍ବା ନୂଆ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ସେମାନଙ୍କୁ ଥଇଥାନ କରାଯିବ। ସ୍ଥିତିବାନ ଆବାସିକ ଗୃହ/ବ୍ୟବସାୟିକ ଗୃହ ଉଚ୍ଛେଦ କ୍ଷେତ୍ର‌ର କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରାଯାଇ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଆଜି ସକାଳେ ଜୀବିକା ହରାଇଥିବା ଉଠା ଦୋକାନୀମାନେ ସ୍ଥାନୀୟ ବିଧାୟକ ତଥା‌ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଭେଟିଥିଲେ। ସେମାନେ ୧୦୨ ଜଣ ଉଠା ଦୋକାନୀଙ୍କ ଏକ ତାଲିକା ମନ୍ତ୍ରୀଙ୍କୁ ଦେଇଥିଲେ। ସନ୍ଧ୍ୟାରେ ଲୋକସେବା ଭବନରେ ହୋଇଥିବା ବୈଠକରେ ଶ୍ରୀ ପଣ୍ଡା ଏହି ତାଲିକା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ତାଲିକାକୁ ମୁଖ୍ୟମନ୍ତ୍ରୀ ବିଏମ୍‌ସି କମିସନର୍‌ଙ୍କୁ ଦେବା ସହ ଯାଞ୍ଚ୍ କରି ଥଇଥାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଗଣମାଧ୍ୟମକୁ ଶ୍ରୀ ପଣ୍ଡା କହିଥିଲେ ଯେ ଏକାମ୍ର କ୍ଷେତ୍ରର ସଂସ୍କୃତି ଓ ଐତିହ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି। ଏଥିରେ ସ୍ଥାନୀୟ ଅଧିବାସୀ ସହଯୋଗ କରିବେ। ଜୀବିକା ହରାଉଥିବା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ସେମାନଙ୍କୁ ତୁରନ୍ତ ଥଇଥାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧିତ ଖବର