ଦାଦନ ରୋକିବାକୁ ନବୀନଙ୍କ ପ୍ୟାକେଜ୍ : ୨୦୦ ଦିନ କାମ, ମଜୁରି ୨୮୬ ଟଙ୍କା

ମନରେଗାରେ ପ୍ରବାସୀ ଶ୍ରମିକଙ୍କ ପାଇଁ ହାତ ଖୋଲିଲେ
ପ୍ରଥମ ପର୍ଯ୍ୟାୟରେ ୪ ଜିଲ୍ଲାର ୨୦ ବ୍ଲକ୍‌
ଗଠନ ହେଲା ୫୦୦ କୋଟିର କର୍ପସ ପାଣ୍ଠି
ମହିଳାଙ୍କୁ ନେଇ ହେବ ସ୍ବୟଂ ସହାୟକ ଗୋଷ୍ଠୀ
ସବୁ ଶ୍ରମିକ ବୀମା ଭୁକ୍ତ ହେବେ

ଭୁବନେଶ୍ବର : ବରଗଡ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି ଜିଲ୍ଲାର ୨୦ଟି ଅତି ସମ୍ବେଦନଶୀଳ ବ୍ଲକରେ ମନରେଗାରେ ୨୦୦ ଦିନର କାର୍ଯ୍ୟ ଯୋଗାଇ ଦିଆଯିବ। ମନରେଗାରେ ଏମାନଙ୍କ ପ୍ରାପ୍ୟକୁ ରାଜ୍ୟ ସରକାରଙ୍କ ଅଣକୁଶଳୀ ଶ୍ରମିକଙ୍କ ପ୍ରାପ୍ୟ ସହିତ ସମାନ କରାଯିବ। ଅର୍ଥାତ୍ ଏଣିକି ସେମାନେ ଦୈନିକ ୨୮୬ଟଙ୍କା ୩୦ ପଇସା ହିସାବରେ ମଜୁରି ପାଇବେ। (ଏବେ ସେମାନଙ୍କୁ ୧୮୮ ଟଙ୍କା ମିଳୁଛି)। ଏହି ଯୋଜନାରେ ସେମାନଙ୍କ ପାଇଁ ନିରନ୍ତର ପ୍ରାପ୍ୟ ପ୍ରଦାନ ଲାଗି ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ କରିବେ ରାଜ୍ୟ ସରକାର।

ପ୍ରବାସୀ ଶ୍ରମିକ (ଦାଦନ ଶ୍ରମିକରେ ଯାଉଥିବା ବ୍ୟକ୍ତି)ଙ୍କ ସୁରକ୍ଷା ଓ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଭଳି ଢଙ୍ଗରେ ଏକ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ଆଜି ମକର ସଂକ୍ରାନ୍ତିରେ ସରକାରୀ ଛୁଟି ଥିଲେ ହେଁ ଏ ସଂକ୍ରାନ୍ତରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଷ୍ଟ୍ର ନିର୍ମାଣରେ ଶ୍ରମିକମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଶ୍ରମିକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟର କିଛି ଜିଲ୍ଲାରେ ଦେଶାନ୍ତର ସମସ୍ୟା ରହିଛି। ଏହାକୁ ନଜରରେ ରଖି ୧୧ଟି ଜିଲ୍ଲା ପାଇଁ ରାଜ୍ୟ ସରକାର ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ୨୦ଟି ବ୍ଲକର ସମସ୍ତ ପଞ୍ଚାୟତକୁ ଜୀବିକା ମିସନ ଅଧୀନରେ ସଘନ ପଞ୍ଚାୟତ ଭାବେ ଗ୍ରହଣ କରାଯିବ। ଏହି ପଞ୍ଚାୟତେ ଥିବା ସମସ୍ତ ପରିବାରର ମହିଳା ସଦସ୍ୟଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀରେ ସାମିଲ କରାଯିବ। ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ପାଇଁ ବୀମା ସୁବିଧା ଯୋଗାଇ ଦେବେ ସରକାର। ବ୍ୟାଙ୍କିଙ୍ଗ୍ ସୁବିଧା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ବ୍ୟାଙ୍କ ମିତ୍ର ଭାବେ ନିଯୁକ୍ତି ଦିଆଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ୨୦ଟି ବ୍ଲକର ପକ୍କାଘର ନ ଥିବା ସମସ୍ତ ପରିବାରଙ୍କ ପାଇଁ ସରକାର ପକ୍କା ଘର ସୁବିଧା ଯୋଗାଇ ଦେବେ। ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ପ୍ରତି ପଞ୍ଚାୟତରେ ଶ୍ରମିକ ମିତ୍ର ମଧ୍ୟ ନିଯୁକ୍ତି ପାଇବେ। ଆର୍ଥିକ ସଶକ୍ତୀକରଣ ପାଇଁ ବିଡିଓଙ୍କ ନିରାପତ୍ତା ପାଣ୍ଠିରୁ ଆର୍ଥିକ ସାହୟତା ଆବେଦନ ସୁବିଧା ଉପଲବ୍ଧ ହେବ। ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ମାଧ୍ୟମରେ ବିଭିନ୍ନ ସହାୟତା ଯେମିତିକି ବିବାହ ସହାୟତା, ପେନସନ୍, ଶିକ୍ଷା ସହାୟତା ଆଦିପ୍ରଦାନ କରାଯିବ, ଯାହା ସରକାର ଆଗରୁ ଦେଇ ଆସୁଛନ୍ତି। ସଠିକ୍ ଭାବେ ସହାୟତା େଯାଗାଇ ଦେବା ପାଇଁ ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରବାସୀ ଶ୍ରମିକମାନଙ୍କର ଡାଟାବେସ୍ ପ୍ରସ୍ତୁତ କରାଯିବାକୁ ସ୍ଥିର ହୋଇଛି। ସେମାନଙ୍କ ମଧ୍ୟରେ ସଚେତନତା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ପ୍ରତି ପରିବାରର ଜଣେ ଯୋଗ୍ୟ ଯୁବକ (୧୮ରୁ ୩୫ ବର୍ଷ ମଧ୍ୟରେ)ଙ୍କୁ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ମାଗଣାରେ ଶ୍ରମିକ ସହାୟତା ହେଲ୍‌ପଲାଇନ ନମ୍ବର ଓ ଅନଲାଇନ୍ ଅଭିଯୋଗ ଗ୍ରହଣ ବ୍ୟବସ୍ଥା ଇ-ଶ୍ରମିକ ସମାଧାନ ପୋର୍ଟାଲ ଆରମ୍ଭ ହୋଇଛି। ରାଜ୍ୟ ଭିତରେ ସହାୟତା ନମ୍ବର ୧୫୫୩୬୮ ଓ ରାଜ୍ୟ ବାହାରେ ୧୮୦୦୨୪୫୬୭୦୩ ନମ୍ବରରେ ଯୋଗାଯୋଗ କରି ଶ୍ରମିକମାନେ ଅଭିଯୋଗ ଜଣାଇପାରିବେ।

ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ବର୍ଷତମାମ କର୍ମନିଯୁକ୍ତି ପାଇଁ ଏହି ସ୍ବତନ୍ତ୍ର ପ୍ୟାକେଜ୍ ସହାୟକ ହୋଇପାରିବ। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ କହିଲେ ଯେ ରାଜ୍ୟରେ ୨୯ଲକ୍ଷରୁ ଅଧିକ ଶ୍ରମିକ ଏ ପର୍ଯ୍ୟନ୍ତ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ପିଲାମାନଙ୍କ ପାଠପଢ଼ା, ବାହାଘର ଓ ଅନ୍ୟ ସାମାଜିକ ସୁରକ୍ଷାରେ ସେମାନଙ୍କୁ ସାମିଲ କରାଯାଇଛି। ଦେଶରେ ମହାରାଷ୍ଟ୍ର ପରେ ଓଡ଼ିଶା ଦ୍ବିତୀୟ ରାଜ୍ୟ ଭାବେ ସର୍ବାଧିକ କୁଶଳୀ ଶ୍ରମିକ ରହିଥିବା ଶ୍ରୀ ସିଂ କହିଥିଲେ। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ ଯେ ପ୍ରବାସୀ ଶ୍ରମିକଙ୍କ ପାଇଁ ଜାରି ହୋଇଥିବା ହେଲ୍‌ପ ଲାଇନ ନମ୍ବର ଜରିଆରେ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିବ।

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ କହିଲେ ଯେ ଶ୍ରମ ଓ ପଞ୍ଚାୟତିରାଜ ବିଭାଗର ମିଳିତ ଉଦ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ପ୍ରବାସୀ ଶ୍ରମିକଙ୍କ ପାଇଁ ଏବେ ତେଲେଙ୍ଗାନା, ଆନ୍ଧ୍ର, ଦିଲ୍ଲୀରେ ହେଲ୍‌ପ ଡେସ୍କ ରହିଥିବା ବେଳେ ଆଗାମୀ ଦିନରେ ତାମିଲନାଡ଼ୁ, କର୍ଣ୍ଣାଟକ, କେରଳ ଓ ଗୁଜୁରାଟରେ ଏଭଳି ହେଲ୍‌ପ ଡେସ୍କ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଏହାସହ ଅନ୍ୟ ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଶା ସଂଗଠନଙ୍କ ମଧ୍ୟ ସହାୟତା ନିଆଯାଇଛି। ଚେନ୍ନାଇରେ ଥିବା ଓଡ଼ିଆଙ୍କ ସହାୟତାରେ ଏକ ସ୍ବାସ୍ଥ୍ୟ କ୍ୟାମ୍ପ ଆୟୋଜିତ ହୋଇଥିବା ଶ୍ରୀମତୀ ଗର୍ଗ କହିଥିଲେ। ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଡି.କେ ସିଂ ଧନ୍ୟବାଦ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ଓଡିଶାରୁ ଅଧିକ ଦାଦନ ଶ୍ରମିକ ଯାଉଥିବା ୧୧ଟି ସମ୍ବେଦନଶୀଳ ଜିଲ୍ଲା ନେଇ ଇତିମଧ୍ୟରେ ସରକାରୀ ତନାଘନା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଯେଉଁ ୨୦ଟି ବ୍ଲକ ହାତକୁ ନେଇଛନ୍ତି, ତା ଅନ୍ତର୍ଗତ ୪୭୭ ପଞ୍ଚାୟତ ଏହି ସୁବିଧା ପାଇପାରିବେ।

ସମ୍ବନ୍ଧିତ ଖବର