ପୋକ କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ୍‌

ଭୁବନେଶ୍ୱର : ଯେଉଁ ଚାଷୀମାନେ ଜମିରେ ନିଆଁ ଲଗାଇ ଦେଇଛନ୍ତି, ସେମାନଙ୍କୁ କ୍ଷତିପୂରଣ ମିଳିବା ଉପରେ ଦୁଇଦିନ ତଳେ ପ୍ରଶ୍ନ ଚିହ୍ନ ଲଗାଇଥିଲେ କୃଷି ମନ୍ତ୍ରୀ ଦାମୋଦର ରାଉତ। ଆଜି କିନ୍ତୁ କୃଷି କ୍ୟାବିନେଟ୍‌ ପରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କୃଷି ମନ୍ତ୍ରୀଙ୍କ ମନ୍ତବ୍ୟକୁ ଏଡାଇ ଯାଇ ଆଶ୍ୱାସନା ଦେଇଛନ୍ତି ଯେ ପୋକ ଆକ୍ରମଣରେ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ସରକାରୀ ସହାୟତା ମିଳିବ। ଏଥିସହିତ ପୋକ ଆକ୍ରମଣରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ୍‌ ଘୋଷଣା କରିଛନ୍ତି।

ଅପରାହ୍ନରେ ପ୍ରଥମେ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା କୃଷି କ୍ୟାବିନେଟ୍‌ ବୈଠକ। ବୈଠକ ପରେ ରିଲିଫ୍‌ କୋଡ୍‌କୁ ଆଧାର କରି ସରକାରଙ୍କ ପକ୍ଷରୁ ପୋକ ପ୍ରଭାବିତ ଚାଷୀଙ୍କ ଲାଗି ପ୍ୟାକେଜ୍‌ ଘୋଷଣା କରାଯାଇଥିଲା।

ମନ୍ତ୍ରୀ କହିଥିଲେ, ପୂର୍ବରୁ ମରୁଡି ସହାୟତା ବେଳେ ଯେଉଁ ଆଧାରରେ ଇନ୍‌ପୁଟ୍‌ ସବ୍‌ସିଡି  ଘୋଷଣା ହୋଇଥିଲା, ଅନୁରୂପ ଭାବେ ଚକ଼ଡ଼ା ଓ ଅନ୍ୟ ପୋକ ଦ୍ୱାରା ପ୍ରଭାବିତ ଚାଷୀଙ୍କୁ ଇନ୍‌ପୁଟ ସବ୍‌ସିଡି ଓ ଅନ୍ୟାନ୍ୟ ସହାୟତା ଦିଆଯିବ।  ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିବା ଜଳସେଚିତ ଜମି ପାଇଁ ହେକ୍ଟର ପିଛା ଚାଷୀଙ୍କୁ ୧୩ ହଜାର ୫୦୦ ଟଙ୍କା ଓ ଅଣଜଳସେଚିତ ଜମି ପାଇଁ ୬ ହଜାର ୮ଶହ ଟଙ୍କା ସହାୟତା ଦିଆଯିବ। ଏମାନଙ୍କ ବ୍ୟତୀତ ଅନ୍ୟ ଚାଷୀ, ଯେଉଁମାନଙ୍କର ୨ ହେକ୍ଟର ଯାଏ ଚାଷଜମି ରହିଛି ଓ ଫସଲ କ୍ଷତି ସହିଛନ୍ତି, ସେମାନଙ୍କୁ ମଧ୍ୟ ଏହି ସହାୟତା ପ୍ରଦାନ କରାଯିବ। ତେବେ ପ୍ରକୃତ ଚାଷୀଙ୍କୁ ହିଁ ଏହି ଅର୍ଥ ପ୍ରଦାନ କରାଯିବ।

କୀଟନାଶକ ଉପରେ ସବ୍‌ସିଡି ହାରକୁ ବୃଦ୍ଧି କରାଯାଇଛି। ପୂର୍ବରୁ ରୋଗପୋକ ପାଇଁ ୫୦ ପ୍ରତିଶତ ସବସିଡି ଦରରେ କୀଟନାଶକ ଦିଆଯାଉଥିବା ବେଳେ ଏଣିକି ଏ କ୍ଷେତ୍ରରେ ୭୫ ପ୍ରତିଶତ ସବସିଡି ପ୍ରଦାନ କରାଯିବ। ପୋକ ପ୍ରଭାବିତ ଅଞ୍ଚଳରେ କୀଟନାଶକ କିଭଳି ସହଜରେ ଉପଲବ୍ଧ ହେବ, ସେ ନେଇ ବ୍ୟବସ୍ଥା ହେବ। ତେବେ ୨ ହେକ୍ଟର ଜମି ଥିବା ଚାଷୀ ଏହି ସୁବିଧା ପାଇବେ। ୫୦ ପ୍ରତିଶତ ସବ୍‌ସିଡି (ସର୍ବାଧିକ ୩ହଜାର ଟଙ୍କା ଯାଏଁ)ରେ ଚକଡ଼ା ପୋକ ଦ୍ୱାରା କ୍ଷତିଗ୍ରସ୍ତ ୧୦ହଜାର ଚାଷୀଙ୍କୁ ସ୍ପ୍ରେୟର ଦିଆଯିବ। ୫୦ ହଜାର ଭୂମିହୀନ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବିକଳ୍ପ ଜୀବନଧାରଣ ପାଇଁ ସହାୟତା ସ୍ୱରୂପ କୁକୁଡା ଚିଆଁ ଆଦି ପ୍ରଦାନ କରାଯିବ।

କ୍ଷତିଗ୍ରସ୍ତ ଚାଷୀଙ୍କୁ ରବି ଋତୁ ପାଇଁ ଏକ ଲକ୍ଷ ଧାନ ବିହନ, ତେଳବୀଜ ଓ ଡାଲିଜାତୀୟ  ମିନି କିଟ୍‌, ୫୦ ହଜାର ପରିବା ମିନିକିଟ୍‌ ଯୋଗାଇ ଦିଆଯିବ। ୫୦ପ୍ରତିଶତ ରିହାତିରେ (୧୫ହଜାର ଟଙ୍କା ଯାଏ) ୫ ହଜାର ପାଣି ପମ୍ପ ପ୍ରଦାନ କରାଯିବ। ଭାଗଚାଷୀ ଓ ପ୍ରକୃତ ଚାଷୀଙ୍କୁ ରବି ଋଣ ଦେବା ଉପରେ ଗୁରୁତ୍ୱ ଦେବେ ସରକାର। ସେହିଭଳି ପୋକ ଆକ୍ରମଣରେ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ସାନି ରବି ଋଣ ମିଳିବ। ଖରିଫ୍‌ ଋଣକୁ ସ୍ୱଳ୍ପ ମିଆଦି ଋଣରୁ ମଧ୍ୟମ ମିଆଦି ଋଣରେ ପରିବର୍ତନ କରାଯିବ। ଏହି ଅବସରରେ ସ୍ୱଳ୍ପ ମିଆଦି ଖରିଫ ଋଣ ପରିଶୋଧର ସମୟସୀମା ୨୦୧୮ ସେପ୍‌ଟେମ୍ବର ୩୦ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ୩ ପ୍ରତିଶତ ସୁଧ ଛା଼ଡ ଲାଗି ମଧ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିବେ ବୋଲି ଜଣାଇଛନ୍ତି।

ସାହୁକାର ଓ ମହାଜନମାନେ ଚାଷୀଙ୍କ ଉପରେ ଜୁଲମ କରିପାରନ୍ତି, ଏମିତି ଆଶଙ୍କା କରି ପୁଲିସକୁ ନଜର ରଖିବାକୁ କୁହାଯାଇଛି। ଏଭଳି ଅଭିଯୋଗ ଆସିଲେ ସଂପୃକ୍ତ ସାହୁକାର ବା ମହାଜନଙ୍କ ବିରୋଧରେ ଓଡ଼ିଶା ମନି ଲେଣ୍ଡର୍ସ ଆକ୍ଟ ଓ ସିଆର୍‌ପିସିର ବିଭିନ୍ନ ସେକ୍ସନ ଅନୁଯାୟୀ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏସ୍‌ପିଙ୍କୁ ଏଥିପାଇଁ ଦାୟିତ୍ୱ ଦିଆଯାଇଥିବା ବେଳେ ନିୟମିତ ବ୍ୟବଧାନରେ ସମୀକ୍ଷା ପାଇଁ ଡିଆଇଜିମାନଙ୍କୁ କୁହାଯାଇଛି। ଉଠାଜଳସେଚନ ପଏଣ୍ଟକୁ ତୁରନ୍ତ ମରାମତି କରିବା ଲାଗି କୁହାଯାଇଛି। ସବୁ ଉଠାଜଳସେଚନ ପଏଣ୍ଟକୁ ବିଦ୍ୟୁତ ସଂଯୋଗକୁ ଶକ୍ତି ବିଭାଗ ନିଶ୍ଚିତ କରିବେ। ୩୧ ଡିସେମ୍ବର ସୁଦ୍ଧା ଏସବୁ ସୁଦ୍ଧା ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିଭଳି ଦୀର୍ଘ ଦିନ ଧରି ପଡିରହିଥିବା ଗଭୀର ନଳକୂପକୁ ବିଦ୍ୟୁତ ସଂଯୋଗକୁ ପ୍ରାଥମିକତା ଦେବା ଲାଗି କୁହାଯାଇଛି।

ପ୍ରଭାବିତ ଅଞ୍ଚଳର ସରକାରୀ ସ୍କୁଲ ଓ କଲେଜ ପିଲାଙ୍କ ଟ୍ୟୁସନ ଫି ସମ୍ପୂର୍ଣ୍ଣ ଛାଡ଼ କରାଯାଇଥିବା ବେଳେ ଜଳକର ଆଦାୟ କରାଯିବ ନାହିଁ। ସେହିଭଳି ଚଳିତବର୍ଷ ପାଇଁ ୫୦ ପ୍ରତିଶତ ଖଜଣା ରିହାତି ଦିଆଯାଇଛି। ତେବେ ବାକି ୫୦ ପ୍ରତିଶତ ଆସନ୍ତାବର୍ଷ ଆଦାୟ ହେବ। ଅର୍ଥାତ୍‌ ଏବର୍ଷ ଖଜଣା ଆଦାୟ ମଧ୍ୟ ହେବ ନାହିଁ।

ସମ୍ବନ୍ଧିତ ଖବର