ବ୍ରହ୍ମପୁର : ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ୟାକ୍ସ୍ କମ୍ପ୍ୟୁଟରୀକରଣ କାର୍ଯ୍ୟକ୍ରମ କଚ୍ଛପ ଗତିରେ ଚାଲିଛି। ଗତ ୩ ବର୍ଷରେ ମାତ୍ର ୩୦ ପ୍ରତିଶତ ପ୍ୟାକ୍ସ କମ୍ପ୍ୟୁଟରୀକରଣ ହୋଇପାରିଛି। ବିଳମ୍ବ ଲାଗି ସୋସାଇଟି ସମ୍ପାଦକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାର ୩ଟି ବ୍ଲକ୍ର ୧୪ଜଣ ସୋସାଇଟି ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଚାକିରିରୁ କାହିଁକି ବହିଷ୍କାର କରା ନଯିବ, ଏସଂକ୍ରାନ୍ତରେ କୈଫିୟତ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପାତ୍ରପୁର ବ୍ଲକ୍ର ପାତ୍ରପୁର, ଜରଡ଼ା ଓ ଅଭୟପୁର, ସାନଖେମୁଣ୍ଡି ବ୍ଲକ୍ର ପୁରୁଣାଗଡ଼, ପୁଡ଼ାମାରୀ, ଭୁଡ଼ୁକି, ସିଦ୍ଧେଶ୍ବର, ଫାସିଗୁଡ଼ା ଓ ବାସୁଦେବପୁର, ଦିଗପହଣ୍ଡି ବ୍ଲକ୍ର କୁଶପଡ଼ା, କୁମରଡ଼ା, ବଡ଼ଡୁମୁଳା, ଗୋକର୍ଣ୍ଣପୁର ଓ କଇଠଖଣ୍ଡି ସୋସାଇଟି ସମ୍ପାଦକଙ୍କୁ ଏହି ନୋଟିସ୍ ଜାରି ହୋଇଛି।
Quoraକୃଷି ଓ କୃଷକଙ୍କ ଲାଗି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ୍) ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାଏ। ଅବିଭକ୍ତ ଗଞ୍ଜାମ (ଗଞ୍ଜାମ ଓ ଗଜପତି) ଜିଲ୍ଲାରେ ସମୁଦାୟ ୪୪୮ଟି ପ୍ୟାକ୍ସ୍ ରହିଛି। ଏଥିମଧ୍ୟରୁ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ଅଧୀନ ୨୫୭ଟି ଏବଂ ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧୀନରେ ୧୯୧ଟି ପ୍ୟାକ୍ସ୍ ରହିଛି। ଚାଷୀ ପଞ୍ଜୀକରଣ, ଧାନ କ୍ରୟ, ବିହନ ଓ ସାର ବିକ୍ରି, ଖରିଫ ଓ ରବିରେ କୃଷି ଋଣ, ଜେଏଲ୍ଜି ଋଣ ପ୍ରଦାନ ଆଦି କାର୍ଯ୍ୟ ପ୍ୟାକ୍ସ୍ ସମ୍ପାଦିତ କରେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପ୍ୟାକ୍ସ୍କୁ କମ୍ପ୍ୟୁଟରୀକରଣ କରି ସେଣ୍ଟ୍ରାଲ ବ୍ୟାଙ୍କିଂ ସିଷ୍ଟମ୍( ସିବିଏସ୍) କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ୨୦୧୮ରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗଞ୍ଜାମ ଜିଲ୍ଲା ଲାଗି ‘ଭି ସଫ୍ଟ’ ନାମକ ଏକ ସଂସ୍ଥାକୁ ଏହି କାର୍ଯ୍ୟ ନିମନ୍ତେ ନିୟୋଜିତ କରାଯାଇଛି।
ଅବିଭକ୍ତ ଗଞ୍ଜାମରେ ପ୍ୟାକ୍ସ୍ କମ୍ପ୍ୟୁଟରୀକରଣ ସ୍ଥିତି ଧିମା ରହିଛି। ଗଞ୍ଜାମ ଜିଲ୍ଲାର ୩୯୮ଟି ମଧ୍ୟରୁ ମାତ୍ର ୧୧୬ଟି ଏବଂ ଗଜପତି ଜିଲ୍ଲାର ୫୦ଟିରୁ ମାତ୍ର ୧୫ଟି ପ୍ୟାକ୍ସ୍ କମ୍ପ୍ୟୁଟରୀକରଣ କାର୍ଯ୍ୟ ଶେଷ ହୋଇଛି। ପ୍ୟାକ୍ସ୍ ଗୁଡ଼ିକର ଦିନକୁ ଦିନ ଦାୟିତ୍ବ ବଢୁଥିଲେ ହେଁ, ପର୍ଯ୍ୟାପ୍ତ ଭିତ୍ତିଭୂମି ନାହିଁ। ଅଧିକାଂଶ ପ୍ୟାକ୍ସ୍ର ସମ୍ପାଦକ କମ୍ପ୍ୟୁଟର ପରିଚାଳନାରେ ଅଭିଜ୍ଞ ନୁହନ୍ତି। ସବୁ କିଛି କାର୍ଯ୍ୟ ଅନଲାଇନ୍ ଜରିଆରେ ହେବା ପରେ ପ୍ରତି ପ୍ୟାକ୍ସ୍ରେ ଜଣେ ଲେଖାଏଁ ଡାଟା ଏଣ୍ଟ୍ରି ଅପରେଟର୍ଙ୍କୁ ସୋସାଇଟିସ୍ତରରେ ମାସିକ ୫ହଜାର ଟଙ୍କା ଦରମାରେ ନିଯୁକ୍ତି ଦିଆଯାଇଛି। ଉପଯୁକ୍ତ ଦରମା ଓ ଚାକିରିର କିଛି ସ୍ଥିତି ନ ଥିବାରୁ ଡାଟା ଏଣ୍ଟ୍ରି ଅପରେଟର୍ ମାନେ ପ୍ୟାକ୍ସ୍ ଗୁଡ଼ିକରେ କାମ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। କିଛି ସ୍ଥାନରେ ସୋସାଇଟି ଗୁଡ଼ିକ ଭଡ଼ା ଘରେ ଚାଲିଛି। ଜିଲ୍ଲାରେ କମ୍ପ୍ୟୁଟରୀକରଣ କାର୍ଯ୍ୟ କରିବା ଲାଗି ଦାୟିତ୍ବ ନେଇଥିବା ‘ଭି ସଫ୍ଟ୍’ ସଂସ୍ଥାର ମାତ୍ର ୨ଜଣ ବୈଷୟିକ କର୍ମଚାରୀ ଅବିଭକ୍ତ ଗଞ୍ଜାମ ଜିଲ୍ଲା ପାଇଁ ରହିଛନ୍ତି। ଫଳରେ କମ୍ପ୍ୟୁଟରୀକରଣ ଧିମା ହୋଇଥିବା ଜଣାପଡ଼ିଛି। ଏହାର ଅଗ୍ରଗତି ନ ହେବା ପରେ ଗତ ୧ ବର୍ଷ ହେଲା ଡିଆର୍ସିଏସ୍, ଏଆର୍ସିଏସ୍ ଓ ବ୍ୟାଙ୍କ ସମ୍ପାଦକଙ୍କୁ ତଦାରଖ ଦାୟିତ୍ବ ଦିଆଯାଇଛି। ଏଥିରେ ବ୍ୟାଙ୍କ ସମ୍ପାଦକଙ୍କ ବିଶେଷ ସହଯୋଗ ରହୁ ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କିଛି ପ୍ୟାକ୍ସ୍ରେ ବି ଡାଟା ଏଣ୍ଟ୍ରି ଅପରେଟର୍ ନାହାନ୍ତି। ପ୍ୟାକ୍ସ୍ କମ୍ପ୍ୟୁଟରୀକରଣ କାର୍ଯ୍ୟ ଏହି ସବୁ ସମସ୍ୟା ମଧ୍ୟରେ ଧନ୍ଦି ହେଉଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାର କ୍ୟାସ୍ଲେସ୍ ମାଧ୍ୟମରେ ଚାଷୀଙ୍କୁ ଏଣିକି ବିହନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ପୁଣି ପ୍ରତି ସୋସାଇଟିକୁ କ୍ୟୁ ଆର୍ କୋଡ୍ ଓ ଇଣ୍ଟରନେଟ୍ ବ୍ୟାଙ୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/paddy-mandi.jpg)