ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଖରିଫ୍‌ ଚାଷ ଏବେ ଜୋର୍‌ ଧରିଛି। ଗତ ମାସରେ ହୋଇଥିବା ଲଘୁଚାପ ବର୍ଷା ପରେ ଚାଷ କାର୍ଯ୍ୟ ଆଗେଇଛି। କ୍ଷେତ୍ରରେ ଧାନଗଛ ବଢ଼ିବା ଆରମ୍ଭ ହୋଇଥିବା ବେଳେ ଏବେ ସାର ପ୍ରୟୋଗ କରିବାର ସମୟ ଆସିଛି। ହେଲେ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କୁ ଆବଶ୍ୟକ ପରିମାଣ ସାର ମିଳୁ ନଥିବା ବିଭିନ୍ନ ମହଲରେ ଅଭିଯୋଗ ହୋଇଛି। ଏ ପର୍ଯ୍ୟନ୍ତ ଜିଲ୍ଲାର ବହୁ ସମବାୟ ସମିତି ସାର ଉଠାଇ ନାହାନ୍ତି। ଏଣୁ ଚାଷୀଙ୍କୁ ଡିଲର୍‌ ଓ ଖୁଚୁରା ବେପାରୀଙ୍କ ଉପରେ ଭରସା କରିବାକୁ ପଡ଼ୁଛି। କେତେକ ବ୍ଲକ୍‌ର ପଞ୍ଚାୟତରେ ଡିଲର୍‌ ମଧ୍ୟ ନାହାନ୍ତି। ମୁନାଫାଖୋର୍‌ ବ୍ୟବସାୟୀ ଏହାର ଫାଇଦା ଉଠାଇ ଦୁଇଗୁଣା ଦରରେ ସାର ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହାଦ୍ବାରା ଚାଷୀ ଅଯଥାରେ କେବଳ ଖର୍ଚ୍ଚାନ୍ତ ହେଉନାହାନ୍ତି, ସାର କିଣି ଲୁଟି ହେଉଛନ୍ତି। ଏହାକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ତୁରନ୍ତ ସାର ସମସ୍ୟା ସମାଧାନ ନହେଲେ ଆଗକୁ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

Advertisment

ଗଞ୍ଜାମ ଜିଲ୍ଲାରେ ୪୬୪ଟି ପ୍ରାଥମିକ ସେବା ସମବାୟ ସମିତି(ପ୍ୟାକ୍ସ) ରହିଛି। ସେହିପରି ପ୍ରାୟ ୩ହଜାର ଡିଲର୍‌ ରହିଛନ୍ତି। ସରକାର ମାର୍କଫେଡ୍‌ ଜରିଆରେ ସମିତି ଓ ଡିଲର୍‌ଗୁଡ଼ିକୁ ସାର ଯୋଗାଇଥାନ୍ତି। ଏଥର ଅଗ୍ରୀମ ଟଙ୍କା ପୈଠ କରିବା ପରେ ସାର ଯୋଗାଣ କରାଯାଉଛି। ଚଳିତ ବର୍ଷ ଜିଲ୍ଲାର ୩୮୩ ସମିତି ସାର ବିକ୍ରି କରିବା ପାଇଁ ଲାଇସେନ୍ସ ପାଇଛନ୍ତି। ସେମାନଙ୍କୁ ପିଓଏସ୍‌ ମେସିନ୍‌ ମଧ୍ୟ ପ୍ରଦାନ କରାଯାଇଛି। ସରକାରୀ ଧାର୍ଯ୍ୟ ଦରରେ ସାର ବିକ୍ରି କରିବା ପାଇଁ ସମିତିଗୁଡ଼ିକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ୩୮୩ଟି ସମିତି ଗତକାଲି ସୁଦ୍ଧା ୨୬ହଜାର ମେଟ୍ରିକ୍‌ ଟନ୍‌(ଏମ୍‌ଟି) ସାର ଉଠାଇଛନ୍ତି। ଗଞ୍ଜାମ ଜିଲ୍ଲା ପାଇଁ ଖରିଫ୍‌ ଋତୁରେ ପ୍ରାୟ ୭୨ହଜାର ଏମ୍‌ଟି ସାର ଆବଶ୍ୟକ ପଡ଼ିଥାଏ।

ତନ୍ମଧ୍ୟରୁ ୬୮ହଜାର ଏମ୍‌ଟି ସାର ଜିଲ୍ଲାରେ ପହଞ୍ଚି ସାରିଛି। ତନ୍ମଧ୍ୟରୁ ସିଂହଭାଗ ସାର ଡିଲର୍‌ମାନେ ଉଠାଇଥିବା ବେଳେ ପ୍ରାୟ ୩୮ରୁ ୪୦ ପ୍ରତିଶତ ସାର ସମିତିଗୁଡ଼ିକ ଉଠାଇଛନ୍ତି। ସମିତିଗୁଡ଼ିକ କମ ପରିମାଣ ସାର ଉଠାଉଥିବାରୁ ତାହା ଶୀଘ୍ର ସମାପ୍ତ ହୋଇଯାଉଛି। ଫଳରେ ଚାଷୀଙ୍କୁ ଡିଲର୍‌ଙ୍କ ଉପରେ ଭରସା କରିବାକୁ ପଡ଼ୁଛି। ଯେଉଁ ପଞ୍ଚାୟତରେ ଡିଲର୍‌ ନାହାନ୍ତି ସେଠାରେ ଚାଷୀ ଶୋଷଣର ଶିକାର ହେଉଛନ୍ତି। ସେପଟେ ଜିଲ୍ଲା କୃଷି ଅଧିକାରୀ ଦିଲ୍ଲୀପ ଖୁଣ୍ଟିଆ କହନ୍ତି, ସାର କଳାବଜାର ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ପିଓଏସ୍‌ ମେସିନ୍‌ରେ ବିଲ୍‌ ଦେଇ ସାର ବିକ୍ରି କରିବା କୁହାଯାଇଛି। ଯଦି କୌଣସି ସ୍ଥାନରେ ଅଧିକ ଦରରେ ସାର ବିକ୍ରି ଅଭିଯୋଗ ଆସିବ ତେବେ ସେଠାରେ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ କହନ୍ତି, ଜିଲ୍ଲାରେ ଥିବା ସମିତିଗୁଡ଼ିକୁ ୭୦ ପ୍ରତିଶତ ସାର ଯୋଗାଣ କରିବାକୁ ବହୁବାର ଦାବି କରାଯାଇଛି। ହେଲେ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉ ନାହିଁ। ସମିତିଗୁଡ଼ିକ ଅଳ୍ପ ପରିମାଣ ସାର ଆଣୁଛନ୍ତି। କାରଣ ଅଧିକାଂଶ ‌ସମିତିର ଗୋଦାମ ଗୃହ ନାହିଁ। ସାର ଆସିବା କ୍ଷଣି ପ୍ରଥମେ ସମିତିର ସଦସ୍ୟମାନେ କିଣୁଛନ୍ତି। ବଳକା ରହିଲେ ସାଧାରଣ ଚାଷୀ ପାଉଛି, ନହେଲେ ନାହିଁ। ଏଣୁ ସାର ପାଇଁ ଚାଷୀ ବାଧ୍ୟ ହୋଇ ଡିଲର୍‌ ଓ ଖୁଚୁରା ବେପାରୀଙ୍କ ନିକଟକୁ ଦୌଡ଼ିବାକୁ ବାଧ୍ୟ ହେଉଛନ୍ତି। ଚାଷୀଙ୍କ ସୁବିଧା ପାଇଁ ପ୍ରତ୍ୟେକ ସୋସାଇଟିକୁ କିପରି ସାର ଯୋଗାଣ କରାଯାଇ ସଠିକ୍‌ ଦରରେ ଚାଷୀଙ୍କୁ ଦିଆଯିବ ସେ ଦିଗରେ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।