ନିଶାମୁକ୍ତ ଓଡ଼ିଶା ପାଇଁ ମା’ଘରର ପଦଯାତ୍ରା : ବାଲେଶ୍ୱରରୁ ଭୁବନେଶ୍ୱର ଚାଲିବେ ୫୦୦ ମହିଳା, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦିଆଯିବ ସ୍ମାରକ ପତ୍ର

ଭୁବନେଶ୍ୱର : ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ମା’ ଘର ଫାଉଣ୍ଡେସନ ପକ୍ଷରୁ ଆସନ୍ତା ୨୬ତାରିଖରୁ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆୟୋଜନ ହେବ। ଏଥିରେ ୫୦୦ ମହିଳାଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନ, ଯୁବ ସଂଗଠନ ସାମିଲ୍‌ ହେବେ। ସପ୍ତାହବ୍ୟାପୀ ଚାଲିବାକୁ ଥିବା ଏହି ପଦଯାତ୍ରା ବାଲେଶ୍ୱର ଜିଲ୍ଲାର ଫକୀରମୋହନ (ଶାନ୍ତି କାନନ) ପାର୍କରୁ ବାହାରି ଶେରଗଡ଼ ବାହାନାଗା, ସୋର, ଭଦ୍ରକ, ପାଣିକୋଇଲି, ଧର୍ମଶାଳା, ଚଣ୍ଡୀଖୋଲ, ଟାଙ୍ଗୀ, ଫୁଲନଖରା ହୋଇ ଭୁବନେଶ୍ୱର ଆସିବ। ଏହି ପଦଯାତ୍ରା ଅକ୍ଟୋବର ୨ରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ଦେବ ବୋଲି ମା’ ଘରର ମୁଖ୍ୟ ଋତୁପର୍ଣ୍ଣା ମହାନ୍ତି କହିଛନ୍ତି।

ଆଜି ବୁଦ୍ଧ ମନ୍ଦିରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମହାନ୍ତି କହିଲେ ଯେ, ଓଡ଼ିଶାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ଏହି ପଦଯାତ୍ରା। ମହାତ୍ମା ଗାନ୍ଧୀ ଓ କସ୍ତୁରବାଙ୍କର ୧୫୦ତମ ଜୟନ୍ତୀ ସାରା ଭାରତବର୍ଷ ପାଳନ କରୁଥିବାବେଳେ ତାଙ୍କର ସବୁଠୁ ବଡ଼ ସ୍ୱପ୍ନ ଭାରତକୁ ହିଂସାମୁକ୍ତ ଓ ନିଶା ମୁକ୍ତ କରିବା ଏବେବି ପୂରଣ ହୋଇପାରିନାହିଁ। ଅପରପକ୍ଷେ ନିଶା ହିଁ ହିଂସାର କାରଣ ସାଜିଛି। ନିକଟରେ ରାଜ୍ୟ ସରକାର ଅହିଂସା ବିଲ୍‌ ଆଣିଥିଲେ ହେଁ ଏହା ସେତେବେଳେ ସଫଳ ହେବ ଯେତେବେଳେ ରାଜ୍ୟରେ ସମ୍ପୂର୍ଣ୍ଣ ନିଶା ନିବାରଣ ହୋଇପାରିବ।

ଏହି ପଦଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ସର୍ବ ଧର୍ମ ପ୍ରାର୍ଥନା, ମଦ ବୋତଲ ଭଙ୍ଗା ହେବ। ଏହାସହ ଆମର ସ୍ଲୋଗାନ ରହିବ ‘ନିଶାମୁକ୍ତ ଓଡ଼ିଶା କରିବ ଯିଏ, ମହିଳା ଭୋଟ୍‌ ପାଇବ ସିଏ’। ଯେଉଁ ରାଜନୈତିକ ଦଳ ଆସନ୍ତା ନିର୍ବାଚନରେ ସେମାନଙ୍କ ଇସ୍ତାହାରରେ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ପ୍ରତିଶ୍ରୁତି ଦେବେ ସେହି ଦଳକୁ ହିଁ ମହିଳାମାନେ ଭୋଟ୍‌ ଦେବାକୁ ଆମେ ପ୍ରଚାର କରିବୁ ବୋଲି ମା’ ଘର ପକ୍ଷରୁ କୁହାଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ କହିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ୧୯୫୬ ମସିହାରେ ଆଗତ ହୋଇଥିବା ସଂପୂର୍ଣ୍ଣ ନିଶା ନିବାରଣ ଆଇନ ବର୍ତ୍ତମାନ ସୁଦ୍ଧା ସରକାରଙ୍କର ଗେଜେଟ୍‌ ବିଜ୍ଞପ୍ତିକୁ ଅପେକ୍ଷା କରିଛି। ଏହାକୁ ରାଷ୍ଟ୍ରପତି ଅନୁମୋଦନ କରିଥିଲେ ହେଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଏନେଇ କିଛି ପଦକ୍ଷେପ ନେଇନାହାନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ନିଶା ମୁକ୍ତ ଓଡ଼ିଶା ହିଁ ଶ୍ରେଷ୍ଠ ଭେଟି ହେବ। ଏଥିରେ ସମସ୍ତ ରାଜନୈତିକ ଦଳ ଏବଂ ସଂଗଠନ ସାମିଲ୍‌ ହେବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଥିଲେ ଯେ, ନିଶାମୁକ୍ତ ଓଡ଼ିଶା ପାଇଁ ହେବାକୁ ଥିବା ପଦଯାତ୍ରାକୁ କଂଗ୍ରେସ ସମର୍ଥନ କରୁଛି। ଏହି ସାମ୍ବାଦିକ ସମ୍ମିଳନୀରେ ଏନ୍‌ଓ୍ଵାଇପିର ରାଜ୍ୟ ନିର୍ଦ୍ଦେଶକ ତଥା ସମାଜସେବୀ ମଧୁସୂଦନ ଦାଶ, ମହାବୋଧି ସୋସାଇଟିର ସୌରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର