ମାଡ଼ିଲାଣି ସ୍କ୍ରବ୍ ଟାଇଫସ୍‌: କୀଟ କାମ଼ୁଡୁଛି, ପ୍ରାଣ ଯାଉଛି

ସ୍ବାସ୍ଥ୍ୟ ବିଭାଗର ନିଦ କେବେ ଭାଙ୍ଗିବ ?

ଭୁବନେଶ୍ବର: ମ୍ୟାଲେରିଆ, ଡେଙ୍ଗୁ ପରେ ଏବେ ସ୍କ୍ରବ୍ ଟାଇଫସ୍‌ ଓଡ଼ିଶାରେ ଡରାଇବାକୁ ଆରମ୍ଭ କଲାଣି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଚିହ୍ନଟ ହେଉଛନ୍ତି। ଏମିତିକି କୀଟ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଲାଣି। ହେଲେ ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗୁନି। ବିଶେଷକରି ସ୍କ୍ରବ୍ ଟାଇଫସ୍‌କୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁଭଳି ଭାବେ ସଚେତନତା ଓ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ କରାଯିବା କଥା ତାହା ଏଯାଏ କରାଯାଉନାହିଁ। ଓଲଟା ଆକ୍ରାନ୍ତଙ୍କୁ ଯଥାସମ୍ଭବ ଲୁଚାଇ ରଖିବା ଲାଗି ଏକପ୍ରକାର ଉଦ୍ୟମ ଚାଲିଛି।

ସାଧାରଣତଃ ଜୁଲାଇରୁ ନଭେମ୍ବର ମାସରେ ସ୍କ୍ରବ୍ ଟାଇଫ୍‌ସ ସଂକ୍ରମଣ ଦେଖିବାକୁ ମିଳିଥାଏ। ସ୍ଥଳ ବିଶେଷରେ ଡିସେମ୍ବର ପର୍ଯ୍ୟନ୍ତ ମାଡ଼ିଥାଏ। ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ବାରା ଲୋକଙ୍କ ଶରୀରରେ ସଂକ୍ରମଣ ଆରମ୍ଭ ହୋଇଥାଏ। ସର୍ବସାଧାରଣ ପୋଖରୀ, ବିଲ ଓ ଜଙ୍ଗଲକୁ ଯାଉଥିବା ଲୋକ ଏଥିରେ ଆକ୍ରାନ୍ତ ହୋ‌ଇଥାନ୍ତି। ପୂର୍ବରୁ ଓଡ଼ିଶାରେ ସ୍କ୍ରବ୍ ଟାଇଫସ ଦେଖିବାକୁ ମିଳୁ ନ ଥିବା ବେ‌ଳେ ବିଗତ କିଛିବର୍ଷ ହେବ ଏଥିରେ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି। ବୟସ୍କଙ୍କ ତୁଳନାରେ ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହେଉଛନ୍ତି। କେବଳ ଯେ ଗ୍ରାମାଞ୍ଚଳରେ ଏହି ସଂକ୍ରମଣ ହେଉଛି ତା ନୁହେଁ, ବରଂ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଏହି ସଂକ୍ରମଣ ହୋଇଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି।

ଅଗଷ୍ଟ-ସେପ୍ଟେମ୍ବରରେ ହୋଇଥାଏ ସର୍ବାଧିକ ସଂକ୍ରମଣ
ସ୍କ୍ରବ୍‌ ଟାଇଫସ୍‌ ମୃତ୍ୟୁରେ ଦେଶର ଶୀର୍ଷ ୩ ସ୍ଥାନରେ ଓଡ଼ିଶା
ବରପାଲିର ଜଣେ ଯୁବକ ସ୍କ୍ରବ୍ ଟାଇଫସ୍‌ରେ ପ୍ରାଣ ହରାଇଥିବା ଅଭିଯୋଗ

ସ୍କ୍ରବ୍ ଟାଇଫସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ତୀବ୍ର ଜ୍ବର ସାଙ୍ଗକୁ ତଳିପେଟରେ ଯନ୍ତ୍ରଣା, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଦେଖାଦେଇଥାଏ। ଯେଉଁ ସ୍ଥାନକୁ ଏହି କୀଟ କାମୁଡ଼ିଥାଏ ସେହି ସ୍ଥାନର ଚର୍ମ ମୃତ ହୋଇଯାଏ। ଯାହାକୁ ଏସ୍ଚର ଭାବେ ବିବେଚନା କରାଯାଉଛି। ଚଳିତବର୍ଷ ରାଜ୍ୟର ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ ଭଳି ଜିଲ୍ଲାରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କେନ୍ଦୁଝରରୁ ସର୍ବାଧିକ ମାମଲା ଆସିଥିବା ସୂଚନା ମିଳିଛି। ବରପାଲି ଅଞ୍ଚଳର ଜଣେ ଯୁବକ ସ୍କ୍ରବ୍ ଟାଇଫସ୍‌ରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ମାତ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବର୍ତ୍ତମାନସୁଦ୍ଧା ରାଜ୍ୟରେ ଏଥିରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ତାହା ସଂପର୍କରେ କିଛି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇନାହିଁ। ତେଣୁ ରାଜ୍ୟରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ଲୋକ ଓ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କେତେ ସଚେତନରୁ ଏଥିରୁ ଜଣାପଡ଼ୁଛି। ୨୦୨୨ ମସିହାରେ ଜର୍ଣ୍ଣାଲ ଅଫ୍‌ ଆପ୍ଲାଏଡ୍‌ ବାୟୋଲୋଜି ଓ ବାୟୋଟେକ୍‌ନୋଲୋଜିରେ ଓଡ଼ିଶା ସମେତ ଦେଶରେ ହୋଇଥିବା ସ୍କ୍ରବ୍ ଟାଇଫସ୍‌ ସଂପର୍କିତ ଏକ ସନ୍ଦର୍ଭ ପ୍ରକାଶ ପାଇଥିଲା। ଡା.ଶୁଭସ୍ମିତା ପଣ୍ଡା. ଡା.ସୁବ୍ରତ କୁମାର ସ୍ବାଇଁ ଓ ଡା.ରଚିତା ଷଡ଼ଙ୍ଗୀ ସ୍କ୍ରବ୍ ଟାଇଫସ୍ ଉପରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ସନ୍ଦର୍ଭରେ କୁହାଯାଇଛି‌ ଯେ ୨୦୧୪ ମସିହାରେ ହଠାତ୍ ରାଜ୍ୟରେ ବହୁ ସଂଖ୍ୟାରେ ସ୍କ୍ରବ୍ ଟାଇଫସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ଭୁବନେଶ୍ବର ଅଞ୍ଚଳରୁ ୨୫ଜଣ ଶିଶୁ କିମ୍‌ସ ହସ୍ପିଟାଲରେ ଭର୍ତି ହୋଇଥିଲେ। ୨୦୧୧-୨୦୨୦ ମସିହା ମଧ୍ୟରେ ଓଡ଼ିଶାରେ କେବଳ ୭୯୮ ଜଣ ଆକ୍ରାନ୍ତ ବାହାରିଛନ୍ତି। ଦେଶରେ ସ୍କ୍ରବ୍‌ ଟାଇଫସ୍‌ରେ ଭିନ୍ନ ଭିନ୍ନ ବର୍ଷରେ ହୋଇଥିବା ମୃତ୍ୟୁରେ ରାଜସ୍ଥାନ ଶୀର୍ଷରେ ରହୁଥିବା ବେଳେ ଓଡ଼ିଶା ଦ୍ବିତୀୟ ଓ ତାମିଲନାଡ଼ୁ ରହିଛି। ମାତ୍ର ନିୟମିତଭାବେ ଉତ୍ତର-ପୂର୍ବ ଭାରତର ରାଜ୍ୟମାନେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁରେ ଶୀର୍ଷରେ ରହିଥିବା ଗବେଷକମାନେ ଦର୍ଶାଇଛନ୍ତି।

ତେବେ ସ୍କ୍ରବ୍ ଟାଇଫସ୍‌ରେ ହୋଇଥିବା ମୃତ୍ୟୁ ପଛର ପ୍ରମୁଖ କାରଣ ରହିଛି ରୋଗକୁ ବିଳମ୍ବରେ ଚିହ୍ନଟ, ଭୁଲ ଡାଏଗ୍ନୋସିସ୍ ଓ ଡ୍ରଗ୍ ରେଜିଷ୍ଟାନ୍‌ସ। ଏହାସହ ଅନେକ ରୋଗୀଙ୍କଠାରେ ମୃତ ଚର୍ମ ବା ଏସ୍ଚର ଦେଖିବାକୁ ନ ମିଳିବା ମଧ୍ୟ ରୋଗର ବିଳମ୍ବିତ ଚିହ୍ନଟର ଅନ୍ୟତମ କାରଣ। ଡକ୍ସିସାଇକ୍ଲିନ୍‌ ଓ ଆଜିଥ୍ରୋମାଇସିନ୍ ଦ୍ବାରା ଏହା ଭଲ ହୋଇପାରିବ। ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ବିଶେଷ ତଥ୍ୟ ନ ଥିବାରୁ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି ସେମାନେ ଉଲ୍ଲେଖ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି, ସବୁ ଜିଲ୍ଲା ହସ୍ପିଟାଲର ଡିପିଏଚ୍‌ଏଲରେ ଏଲିସା ପଦ୍ଧତିରେ ଏହାର ଚିହ୍ନଟ କରାଯିବାର ବ୍ୟବସ୍ଥା ରହିଛି। ଯେଉଁମାନଙ୍କର ଦୀର୍ଘଦିନ ଧରି ଜ୍ବର କମୁନାହିଁ ସେମାନେ ପରୀକ୍ଷା କରିବା ଜରୁରୀ। ସାଧାରଣ ଆଣ୍ଟିବାୟୋଟିକ୍ ଦ୍ବାରା ଏହା ଭଲ ହୋଇପାରିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର