ପଦନୀପାଳ ପଞ୍ଚାୟତ କେଳେଙ୍କାରୀ : କାହା ଛତ୍ରଛାୟାରେ ୩ ଅଭିଯୁକ୍ତ? ସ˚ଗୀନ ଦଫା ଯୋଡ଼ି ପୁଲିସ ଚୁପ୍‌

କେନ୍ଦ୍ରାପଡ଼ା : ଦଫା ୪୧୭(ଠକିବା), ୪୦୬(ଅର୍ଥ ଆତ୍ମସାତ୍‌), ୪୦୯(ସରକାରୀ କର୍ମଚାରୀଙ୍କ ଦ୍ବାରା ଆତ୍ମସାତ୍‌), ୪୬୫(କାଗଜପତ୍ର ଜାଲିଆତି), ୪୬୮(ଠକେଇ ଉଦ୍ଦେଶ୍ୟରେ ଜାଲିଆତି), ୪୭୧(ଜାଲ୍‌ କାଗଜପତ୍ରକୁ ଠିକ୍‌ ଦେଖାଇବା), ୩୪ଆଇପିସିରେ ରୁଜୁ ହୋଇଛି ମାମଲା। ଏ ପ୍ରକାର ସ˚ଗୀନ ଦଫାରେ ଅଭିଯୁକ୍ତ ଦୋଷୀ ପ୍ରମାଣିତ ହେଲେ ଆଜବୀନ କାରାଦଣ୍ତରେ ଦଣ୍ତିତ ହେବାର ଆଇନରେ ବ୍ୟବସ୍ଥା ରହିଛି। କିନ୍ତୁ ମାମଲା ରୁଜୁର ଦଶ ଦିନ ପରେ ବି ପୁଲିସ ହାତ ଖାଲି। ନା ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଉଛି ନା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ କୌଣସି ଉଦ୍ୟମ କରୁଛି। ଆଳି ବ୍ଲକ୍‌ ପଦନୀପାଳ ପଞ୍ଚାୟତରେ ରାଜୀବ ସେବା କେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ର ନାଁରେ ୨୧ଲକ୍ଷ ଟଙ୍କା ହଡ଼ପ ଘଟଣାରେ ଆଳି ପୁଲିସର ଏ ପ୍ରକାର ଚରମ ନିଷ୍କ୍ରିୟତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଲାଣି।

ଗୋଟିଏପଟେ ‘ମୋ ସରକାର ଓ ‘୫-ଟି ନୀତି ଲାଗୁ ପରେ ସରକାର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର ଅଥବା ବାଧୢତାମୂଳକ ଅବସର ଦେଉଥିବା ବେଳେ ଅନ୍ୟପଟେ ସରକାରୀ ଅର୍ଥ ହଡ଼ପ ନେଇ ସ˚ଗୀନ ଦଫାରେ ମାମଲା ରୁଜୁ ପରେ ବି ଅଭିଯୁକ୍ତ ଦୁଇ ଯନ୍ତ୍ରୀ ଓ ପଦନୀପାଳ ସରପଞ୍ଚଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଆଳି ପୁଲିସ ସିଧାସଳଖ ସରକାରଙ୍କ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା(ଜିରୋ ଟଲେରାନ୍ସ) ନୀତିକୁ ଫୁତକାର‌୍‌ ମାରି ଉଡ଼ାଇ ଦେଉଛି। ଆଳି ପୁଲିସର ଏ ପ୍ରକାର ଅଭିଯୁକ୍ତ ପ୍ରୀତିକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଲାଣି। କାହା ଚାପରେ ବଶବର୍ତ୍ତୀ ହୋଇ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛି, ତାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି।

ସୂଚନାନୁଯାୟୀ, ପଦନୀପାଳ ପଞ୍ଚାୟତରେ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ର ନାଁରେ ୨୧ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରାଯାଇଥିବା ସାମାଜିକ ଅଡିଟ୍‌ ଧରିଥିଲା। ଏ ନେଇ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସ˚ସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲୀପ ପରିଡ଼ା ସରକାରୀ ଅର୍ଥ ହଡ଼ପ ନେଇ ଆଳି ଥାନାରେ ଅଭିଯୋଗ କରିଥିଲେ। ପ୍ରଥମେ କନିଷ୍ଠ ଯନ୍ତ୍ରୀ ସନ୍ତୋଷ ବେହୁରା, ପଦନୀପାଳ ସରପଞ୍ଚ ରାକେଶ ରୋଶନ ରାଉତ ଏବ˚ ପରେ ସହକାରୀ ଯନ୍ତ୍ରୀ ଦୀପକ ପରିଡ଼ାଙ୍କ ନାଁରେ ଏତଲା ଦେଇଥିଲେ। ପୁଲିସ ଏତଲାକୁ ଭିତ୍ତି କରି ଗତ ୭ତାରିଖରେ ଅଭିଯୁକ୍ତ ଦୁଇ ଯନ୍ତ୍ରୀ ଓ ସରପଞ୍ଚଙ୍କ ବିରୋଧରେ ଉପରୋକ୍ତ ସ˚ଗୀନ ଦଫାରେ ମାମଲା(କେସ୍‌ ନ˚.୩୫/୨୦)ରେ ରୁଜୁ କରିଥିଲା। କିନ୍ତୁ ଇତିମଧୢରେ ମାମଲା ରୁଜୁକୁ ଦଶ ଦିନ ବିତିଗଲାଣି, ଅଥଚ ପୁଲିସ ହାତବାନ୍ଧି ବସିଛି। ତଦନ୍ତ ଆଗକୁ ବଢ଼ାଇବା ତ ଦୂରର କଥା, କେବେ ଅଭିଯୁକ୍ତ ଯନ୍ତ୍ରୀ ଓ ସରପ˚ଚଙ୍କୁ ଗିରଫ କରିବାକୁ ବି ସାମାନ୍ୟତମ ଉଦ୍ୟମ କରିନାହିଁ। ଓଲଟା ସେମାନେ ଫେରାର‌୍‌ ଥିବା ଦର୍ଶାଇ ହାତଝାଡ଼ି ବସିଯାଇଛି। ପୁଲିସର ଅଭିଯୁକ୍ତଙ୍କ ପ୍ରତି ଏ ପ୍ରକାର କୋହଳ ମନୋଭାବକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଲାଣି। ଅଭିଯୋଗ ହେଉଛି ଯେ ସରପଞ୍ଚ ଶାସକ ଦଳ ସମର୍ଥିତ ହୋଇଥିବାରୁ ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛି।

ଅନ୍ୟପକ୍ଷରେ ଆଳି ଥାନାଧିକାରୀ ସଲିଳ ପ୍ରଧାନ କହିଛନ୍ତି, ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି। ଏଥିସହ ମୋବାଇଲ୍‌ କଲ୍‌ ରେକର୍ଡ ଯାଞ୍ଚ କରାଯାଉଛି।

ସମ୍ବନ୍ଧିତ ଖବର