ନୟାଗଡ଼ ଚିନିକଳ ପାଇଁ ପଦଯାତ୍ରା ୩୦ରେ, ପଦଯାତ୍ରାରେ ସାମିଲ ହେବେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଆଖୁଚାଷୀ

ସ୍ଥାନୀୟ ଚିନିକଳରୁ ଭୁବନେଶ୍ୱରର ନବୀନ ନିବାସ ଯାଏ ଅନୁଷ୍ଠିତ ହେବ ଐତିହାସିକ ପଦଯାତ୍ରା

ଭୁବନେଶ୍ବର : ନୟାଗଡ଼ ଚିନି କଳ ପୁନଃକାର୍ଯ୍ୟକ୍ଷମ ପାଇଁ ବାରମ୍ବାର ଦାବି ହୋଇଆସୁଥିଲେ ବି କାର୍ଯ୍ୟକ୍ଷମ ହେଉନି। ଆଖୁଚାଷୀଙ୍କ ବକେୟା ପ୍ରାପ୍ୟ ମିଳୁନି। ସରକାରଙ୍କଠାରୁ ଚିନି କଳ ପରିଚାଳନା ଦାୟିତ୍ବ ନେଇଥିବା ନୟାଗଡ଼ ସୁଗାର କମ୍ପ୍ଲେକ୍ସ କମ୍ପାନୀ ୨୦୧୫ ମସିହାରୁ ବେଆଇନ ଭାବେ ଏହି କମ୍ପାନୀକୁ ବନ୍ଦ କରିଦେଇଛି। ଏହାର ପ୍ରତିବାଦ ସ୍ବରୁପ ଆସନ୍ତା ୩୦ ତାରିଖରେ ମହାତ୍ମାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରୁ ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ ଚିନିକଳରୁ ଭୁବନେଶ୍ବର ନବୀନ ନିବାସ ଯାଏ ଏକ ଐତିହାସିକ ପଦଯାତ୍ରା ଅନୁଷ୍ଠିତ ହେବ। ସ୍ଥାନୀୟ ଅଞ୍ଚଳର ହଜାର ହଜାର ଆଖୁଚାଷୀ ଏହି ପଦଯାତ୍ରାରେ ସାମିଲ ହେବେ।

ଚିନିକଳକୁ କାର୍ଯ୍ୟକ୍ଷମ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। କମିଟି ଦର୍ଶାଇଛି, ଓଡ଼ିଶାର ଶିଳ୍ପବିହୀନ ଜିଲ୍ଲା ଭାବେ ନୟାଗଡ଼ ପରିଚିତ। ଜିଲ୍ଲାର ଆର୍ଥିକ ମେରୁଦଣ୍ଡ ଭାବେ ଆଖୁଚାଷ ହିଁ ହଜାର ହଜାର ଚାଷୀଙ୍କ ଭାତହାଣ୍ଡି। ୧୯୮୮ ମସିହାରେ ନୟାଗଡ଼ ପାଣିପୋଇଲାଠାରେ ପ୍ରତିଷ୍ଠା ହୋଇଥିବା ଏହି ଚିନିକଳ ରାଜ୍ୟର ତୃତୀୟ ଚିନିକଳ ଭାବେ ଜିଲ୍ଲାର ହଜାର ହଜାର ଆଖୁଚାଷୀଙ୍କୁ ଆତ୍ମନିର୍ଭରଶୀଳ କରାଇବା ସହ ବେକାର ଯୁବକଯୁବତୀଙ୍କ ପାଇଁ ରୋଜଗାରର ବାଟ ଫିଟାଇ ପାରିଥିଲା। ଆଖପାଖ ୭ଟି ଜିଲ୍ଲାର ଆଖୁଚାଷୀ ଏହି ଚିନିକଳ ଉପରେ ନିର୍ଭର କରି ଚଳୁଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସରକାର ଏହାର ପରିଚାଳନା ଦାୟିତ୍ବ ନୟାଗଡ଼ ସୁଗାର କମ୍ପ୍ଲେକ୍ସ ନାମକ ଘରୋଇ କମ୍ପାନୀକୁ ପ୍ରଦାନ କରିଥିଲେ। କିନ୍ତୁ ଆଖୁଚାଷୀଙ୍କ ୭ କୋଟି ଟଙ୍କାର ପ୍ରାପ୍ୟ ପ୍ରଦାନ ନ କରି ୨୦୧୫ ମସିହାରୁ କମ୍ପାନୀ ତାଲା ପକାଇ ରଖିଛି। ଫଳରେ ଜିଲ୍ଲାରେ ଏବେ ଆଖୁଚାଷ ବୁଡ଼ିଯିବାକୁ ବସିଲାଣି। ପ୍ରତ୍ୟକ୍ଷଭାବେ ଓ ପରୋକ୍ଷଭାବେ ଆଖୁଚାଷ ଓ ଚିନିକଳ ସହ ଜଡ଼ିତ ଲୋକେ ଏବେ ଜୀବୀକା ହରାଇଛନ୍ତି। ଚିନିକଳ କାର୍ଯ୍ୟକ୍ଷମ ନ ହେବା ଯୋଗୁଁ ନୟାଗଡ଼ ଜିଲ୍ଲାର କୃଷି ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଯାଇଛି। ଉଦବେଗର ବିଷୟ ବ୍ୟାଙ୍କ ଋଣ ଖିଲାପ କାରଣରୁ କମ୍ପାନୀ ପରିଚାଳନା କର୍ତ୍ତୃପକ୍ଷ ଚିନିକଳକୁ ଶାଗମାଛ ଦରରେ ବିକ୍ରି ପାଇଁ ବାରମ୍ବାର ମସୁଧା କରି ଚାଲିଛନ୍ତି। ଚଳିତ ବର୍ଷ ଆଖୁ ଅମଳ ପୂର୍ବରୁ ଚିନିକଳକୁ ପୁନଃକାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରି କ୍ରିୟାନୁଷ୍ଠାନ କମିଟି ଅନୁରୋଧ କରିଛି।

ସମ୍ବନ୍ଧିତ ଖବର