ରାଜ୍ୟରେ ୧୦ବର୍ଷରେ ୨୨୦୬ କୋଟିର ଅଖା ଦୁର୍ନୀତି, ଦୋଷୀଙ୍କ ବିରୋଧରେ କଂଗ୍ରେସର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ରାଜ୍ୟରେ ଗତ ୧୦ବର୍ଷରେ ଧାନବସ୍ତା ବାବଦରେ ୨୨୦୬ କୋଟି ଟଙ୍କା ହରିଲୁଟ୍‌ ହୋଇଛି। ଚାଷୀ ବସ୍ତା ବାବଦରେ ଟଙ୍କା ପାଇ ନ ଥିବା ବେଳେ ବର୍ଷକୁ ବର୍ଷ ବସ୍ତା ପାଇଁ ଟେଣ୍ଡର ଆହ୍ବାନ କରାଯିବା ପଛରେ କ’ଣ କାରଣ ରହିଛି; ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟବାସୀଙ୍କ ସାମ୍ନାରେ ଏହାର ଉତ୍ତର ରଖିବା ଦରକାର। ଅନ୍ୟଥା ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରାଜ୍ୟ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ବୁଧବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ ଓ ଅମିୟ ପାଣ୍ଡବ କହିଲେ, ମଣ୍ଡି ହାଣ୍ଡେଲିଂ ବାବଦରେ ଏସବୁ ଅର୍ଥ ଅନ୍ୟ କାହା ପକେଟକୁ ଯାଇଛି। ବିଭାଗୀୟ ମନ୍ତ୍ରୀ, ସଚିବ, ଯୋଗାଣ ନିଗମର ପରିଚାଳନା ନିର୍ଦେଶକ, ମିଲ୍‌ ମାଲିକ ଓ ସିଏସ୍‌ଓ ପ୍ରଭୃତିଙ୍କ ଅସାଧୁ ମେଣ୍ଟ ରାଜ୍ୟର ଚାଷୀମାନଙ୍କୁ ବର୍ଷ ବର୍ଷ ଧରି ଲୁଟ୍‌ କରି ଚାଲିଛନ୍ତି। ଏହାର ବିରୋଧରେ ବିଧାନସଭା ଗୃହରେ ଓ ଗୃହ ବାହାରେ ଦୃଢ଼ ଜବାବ ଦିଆଯିବ। ରିଜର୍ଭ ବ୍ୟାଙ୍କ ଗାଇଡଲାଇନ୍ ଅନୁଯାୟୀ ଚାଷୀଙ୍କଠାରୁ ଧାନ ସଂଗ୍ରହ କଲା ବେଳେ ଅଗ୍ରୀମ ଅର୍ଥ ପ୍ରଦାନ ପାଇଁ ସୁପାରିସ୍ କରିଥିଲେ ହେଁ ରାଜ୍ୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଅନେକ ଦୁର୍ନୀତି ପ୍ରସଙ୍ଗରେ ୯ବର୍ଷ କାଳ ଏକାଠି ରାଜ୍ୟବାସୀଙ୍କୁ ମିଳିମିଶି ଲୁଟିଥିବା ବିଜେପି ଦଳ ମଧ୍ୟ ନିରବ ରହିଛି। ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ମିଛିମିଛିକା ନାକଟ କରୁଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ କଂଗ୍ରେସ ଚାଷୀମାନଙ୍କୁ ସାଥୀରେ ଧରି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର