ଅଦିନିଆ ବର୍ଷାରେ ଭିଜିଲା ହଜାର ହଜାର ବସ୍ତା ଧାନ 

ଟାର୍‌ଗେଟ୍ ନଥିବା କାରଣରୁ ମଣ୍ଡିରେ ପଡ଼ି ରହିଥିଲା ଧାନ

ସମ୍ବଲପୁର : ସରକାରୀ ଅବହେଳା ପରେ ‌ଏବେ ଦାଉ ସାଧିଛି ବର୍ଷା। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ମଣ୍ଡିରେ ପଡ଼ି ରହିଥିବା ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଅଦିନିଆ ବର୍ଷାରେ ଭିଜି ଯାଇଛି। ଏହି ଅପ୍ରତ୍ୟାଶିତ ବର୍ଷା ପାଇଁ ପୂର୍ବ ପ୍ରସ୍ତୁତି ନଥିବାରୁ ବହୁ ଚାଷୀ ନିଜ ଧାନକୁ ପଲିଥିନ୍ ବି ଘୋଡ଼ାଇ ପାରି ନାହାନ୍ତି। ତିନ୍ତି ଯାଇଛି ସେମାନଙ୍କ ୬ ମାସର ପରିଶ୍ରମ ଓ କଷ୍ଟୋପାର୍ଜିତ ଫସଲ।

ମିଲ୍‌ ଗୁଡ଼ିକର ଟାର୍‌ଗେଟ୍ ପୂରା ହୋଇଯିବାରୁ କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ୩ଟି ବ୍ଲକ୍‌ର ବହୁ ଚାଷୀଙ୍କ ଧାନ ଟୋକନ୍ ଥିବା ସତ୍ତ୍ବେ ଉଠାଯାଇ ନଥିଲା। ଚାଷୀ ମାନେ ମଣ୍ଡିରେ ଧାନ ରଖି ଶୀତକାକରରେ ଜଗି ରହିଲେ। କ୍ରମଶଃ ଚାଷୀଙ୍କ ଟୋକନ୍ ଗୁଡ଼ିକର ବୈଧତା ଶେଷ ହେବାକୁ ଲାଗିଲା, ହେଲେ ଧାନ ଉଠିଲା ନାହିଁ। ଚାଷୀ ମାନେ ଆନ୍ଦୋଳନ କଲେ, ରାସ୍ତାରୋକ କଲେ। କିନ୍ତୁ କିଛି ଲାଭ ହେଲା ନାହିଁ। ସରକାରୀ ଦରରେ ଧାନ ବିକିବା ଆଶାରେ ଦଲାଲକୁ ନଦେଇ ଚାଷୀ ମାନେ ମଣ୍ଡିରେ ଅପେକ୍ଷା କରି ରହିଲେ। ହେଲେ ସେମାନଙ୍କ ସବୁ ଆଶାକୁ ଧୋଇ ଦେଇଛି ଅଦିନିଆ ବର୍ଷା। ପୂର୍ବରୁ ବିନା କାରଣରେ କଟ୍‌ନିଛଟ୍‌ନି କରୁଥିବା ମିଲର୍ସ ମାନଙ୍କୁ ଏବେ ଓଦା ଧାନରେ କଟ୍‌ନିଛଟ୍‌ନି କରିବାର ଅପୂର୍ବ ସୁଯୋଗ ମିଳି ଯାଇଛି।

ଆମ କୁଚିଣ୍ଡା ପ୍ରତିନିଧିଙ୍କ ସୂଚନା ଅନୁଯାୟୀ କୁଚିଣ୍ଡା ବ୍ଲକ୍‌ର କୁଟୁରାଚୁଆଁ ମଣ୍ଡିରେ ୪୮ ଚାଷୀଙ୍କ ୮ ହଜାର ବସ୍ତା, ଧୁଡ଼ିପାଲି ମଣ୍ଡିରେ ୯୧ ଚାଷୀଙ୍କ ୮୫୦୦ ବସ୍ତା, ସୁବର୍ଣ୍ଣପାଲି ମଣ୍ଡିରେ ୧୯ ଚାଷୀଙ୍କ ୧୬୧୪ ବସ୍ତା, ଗୁଣ୍ଡୁରୁଚୁଆଁ ମଣ୍ଡିରେ ୯ ଚାଷୀଙ୍କ ୧୨୧୦ ବସ୍ତା ଧାନ ପଡ଼ି ରହିଛି। ସେହିପରି ଜମନକିରା ପ୍ରତିନିଧି ଦେଇଥିବା ତଥ୍ୟ ଅନୁଯାୟୀ, ସେହି ବ୍ଲକ୍‌ର ଜମନକିରା ମଣ୍ଡିରେ ୨୭୭ ଜଣ ଚାଷୀଙ୍କ ୨୭ ହଜାର ବସ୍ତା, ଫାଶୀମାଲ ମଣ୍ଡିରେ ୪୨ ଜଣ ଚାଷୀଙ୍କ ୩ ହଜାର ବସ୍ତା, ଗୁଣ୍ଡୁରୁଚୁଆଁ ମଣ୍ଡିରେ ୯ ଜଣ ଚାଷୀଙ୍କ ୧୨୧୦ ବସ୍ତା, ଧୁଡ଼ିପାଲି ମଣ୍ଡିରେ ୯୧ ଚାଷୀଙ୍କ ୮୫୦୦ ବସ୍ତା, ସୁବନପାଲି ମଣ୍ଡିରେ ୧୯ ଚାଷୀଙ୍କ ୧୬୨୪ ବସ୍ତା, ଡୁମେରମୁଣ୍ଡା ମଣ୍ଡିରେ ୩୭ ଚାଷୀଙ୍କ ୫୮୦୦ ବସ୍ତା, ଭୋଜପୁର ମଣ୍ଡିରେ ୩୩ ଚାଷୀଙ୍କ ୪୫୦୦ ବସ୍ତା ଧାନ ପଡ଼ି ରହିଛି। ଜମନକିରା ମଣ୍ଡିକୁ ବାଦ ଦେଲେ ବ୍ଲକ୍‌ର ଅନ୍ୟ କୌଣସି ମଣ୍ଡିରେ ସେଡ୍‌ ନଥିବା ଜଣା ପଡ଼ିଛି। ସେହିପରି ଆମ ବାମରା ପ୍ରତିନିଧିଙ୍କ ସୂଚନା ଅନୁସାରେ, ଉଚକାପାଟ ମଣ୍ଡିରେ ପ୍ରାୟ ୧୨ ଜଣ ଚାଷୀଙ୍କ ୯୦୦ କୁଇଣ୍ଟାଲ, କେଶାଇବାହାଲ୍‌ରେ ୮ ଜଣ ଚାଷୀଙ୍କ ୬୩୦ କୁଇଣ୍ଟାଲ, ବାବୁନିକ୍‌ତିମାଲ ମଣ୍ଡିରେ ୨୯ ଜଣ ଚାଷୀଙ୍କ ୧୦୬୩ କୁଇଣ୍ଟାଲ୍‌ ଧାନ ପଡ଼ି ରହିଛି। ଶୁକ୍ରବାର ସମଗ୍ର ଜିଲ୍ଲାରେ ଅଧଘଣ୍ଟାରୁ ନେଇ ୨ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷାରେ ମଣ୍ଡିରେ ଥିବା ଧାନ ଗୁଡ଼ିକ କିଛି ମାତ୍ରାରେ ପ୍ରଭାବିତ ହୋଇଥିବା ଆଶଂକା କରାଯାଉଛି। ଏଥି ପାଇଁ ଚାଷୀ ମାନେ ସଂପୂର୍ଣ୍ଣଭାବେ ସରକାରଙ୍କୁ ଦାୟୀ କରିଛନ୍ତି। ତୁରନ୍ତ ଚାଷୀଙ୍କ ଧାନ ଉଠାଯାଉ ତଥା ଯାହା କିଛି କ୍ଷତି ହୋଇଛି ବା ଯେଉଁ ଚାଷୀଙ୍କ ଯେତିକି ଧାନ କଟ୍‌ନି କରାଯିବ ତା’କୁ ସରକାର କ୍ଷତିପୂରଣ ଆକାରରେ ଭରଣା କରନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର