ଗଞ୍ଜାମରେ ସରିଗଲା ଧାନକ୍ରୟ ଟାର୍ଗେଟ: ୧୨ ହଜାର ଚାଷୀ ଟୋକନ୍‌ ଲାପ୍ସ ଚିନ୍ତାରେ, ଆନ୍ଧ୍ର ଦଲାଲ୍‌ ଭରସା

ବ୍ରହ୍ମପୁର/ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଧାନକ୍ରୟ ଟାର୍ଗେଟ ପ୍ରାୟ ସରିଗଲାଣି। କିନ୍ତୁ ଏବେ ବି ଆହୁରି ବହୁ ଚାଷୀ ଧାନ ଧରି ଜଗି ରହିଛନ୍ତି। ଧାନ ଧରି ଜଗି ରହିଥିବା ପ୍ରାୟ ୧୨ହଜାର ଚାଷୀଙ୍କ ଧାନ କିଏ କିଣିବ ବୋଲି ଚାଷୀ ସଙ୍ଗଠନ ତରଫରୁ ପ୍ରଶ୍ନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ଗତ ଖରିଫ୍‌ ଋତୁରେ ଭଲ ଅମଳ ହୋଇଥିଲା। ପ୍ରଶାସନ ତରଫରୁ ଧାନମଣ୍ଡି ଖୋଲା ଯାଇ ନଥିବାରୁ ଶୀଘ୍ର ଅମଳ କରିଥିବା ଚାଷୀ ବାଧ୍ୟ ହୋଇ ଦଲାଲ୍‌ଙ୍କ ହାତରେ କମ୍‌ ମୂଲ୍ୟରେ ଧାନ ଟେକି ଦେଇଥିଲେ। ଏବେ ଟାର୍ଗେଟ ସରି ଯାଇଥିବାରୁ ଚାଷୀ ପୁଣିଥରେ ଆନ୍ଧ୍ର ଦଲାଲ୍‌ଙ୍କ ଭରସାରେ ରହିଥିବା ଦେଖିବାକୁ ମିଳୁଛି। ଏଣୁ ପ୍ରଶାସନ ତରଫରୁ ତୁରନ୍ତ ଟାର୍ଗେଟ ବୃଦ୍ଧି କରି ପଞ୍ଜୀକରଣ କରିଥିବା ସମସ୍ତ ଚାଷୀଙ୍କ ଧାନକ୍ରୟ କରିବାକୁ ଦାବି ହୋଇଛି।

ଗଞ୍ଜାମ ଜିଲ୍ଲାରେ ୨୦୨୨-୨୩ ଖରିଫ୍‌ ଋତୁରେ ଧାନକ୍ରୟ କରିବା ପାଇଁ ୧ଲକ୍ଷ ୩୧ହଜାର ୨୩୭ ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ଡିସେମ୍ବର ୧୬ ତାରିଖରୁ ଗଞ୍ଜାମ ଜିଲ୍ଲାରେ ମଣ୍ଡି ଜରିଆରେ ଧାନକ୍ରୟ ଆରମ୍ଭ ହୋଇଥିଲା। ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଧାନକ୍ରୟ ଚାଲିବ। ପ୍ରଥମେ ୪୦ଲକ୍ଷ କ୍ବିଣ୍ଟାଲ୍‌ ଧାନକ୍ରୟ ଟାର୍ଗେଟ ଆସିଥିଲା। ଜିଲ୍ଲାରେ ଭଲ ଅମଳ ହୋଇଥିବାରୁ ପର୍ଯ୍ୟାୟ କ୍ରମେ ଟ‌ାର୍ଗେଟ ବୃଦ୍ଧି କରାଯାଇଥିଲା। ଏବେ ଗଞ୍ଜାମ ଜିଲ୍ଲାକୁ ୫୦ଲକ୍ଷ ୮୧ହଜାର କ୍ବିଣ୍ଟାଲ୍‌ ଧାନକ୍ରୟ ଟାର୍ଗେଟ ମିଳିଛି। ତନ୍ମଧ୍ୟରୁ ୧ଲକ୍ଷ ୧୮ହଜାର ଚାଷୀଙ୍କ ୫୦ଲକ୍ଷ ୩୭ହଜାର କ୍ବିଣ୍ଟାଲ୍‌ ଧାନକ୍ରୟ ସରିଲାଣି। ଏବେ ଆହୁରି ପ୍ରାୟ ୧୨ହଜାର ଚାଷୀ ଧାନ ଧରି ଅପେକ୍ଷା କରି ରହିଛନ୍ତି। କିନ୍ତୁ ଜିଲ୍ଲାର ଅଧିକାଂଶ ବ୍ଲକ୍‌ର ସମବାୟ ସମିତିକୁ ମିଳିଥିବା ଟାର୍ଗେଟ ପୂରଣ ହୋଇ ସାରିଛି। ଏଣୁ ବଳକା ରହିଥିବା ଚାଷୀଙ୍କ ଧାନ କିଣିବାକୁ ସମିତି କର୍ମଚାରୀମାନେ ମନା କରୁଛନ୍ତି। ଫଳରେ ଚାଷୀ କାହାକୁ ଧାନ ବିକ୍ରି କରିବେ ବୋଲି ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ପ୍ରଶ୍ନ କରିଛନ୍ତି। ବହୁ ଚାଷୀ ଏବେ ଘରେ ଧାନ ଗଦା କରି ରଖିଛନ୍ତି। ଧାନ ବିକ୍ରି ହୋଇପାରି ନଥିବାରୁ ଚାଷୀଙ୍କୁ ଋଣ ପରିଶୋଧ ଚିନ୍ତା ଘାରିଛି। ଏଭଳି ସ୍ଥିତିରେ ଧାନ ବିକ୍ରି ନହେଲେ ଚାଷୀ ଚଳିବେ କେମିତି ବୋଲି ଶ୍ରୀ ନାହାକ ପ୍ରଶ୍ନ କରିଛନ୍ତି।

ସେହିପରି ଧାନ ବିକ୍ରି ହେଉ ନଥିବାରୁ ଟୋକନ୍‌ ଲାପ୍ସ ହୋଇଯିବା ସ୍ଥିତି ଦେଖା ଦେଲାଣି। ତୁରନ୍ତ ଟାର୍ଗେଟ ନଆସିଲେ ବହୁ ଚାଷୀଙ୍କ ଟୋକନ୍‌ ଲାପ୍ସ ହୋଇଯିବ। କିଛି ଚାଷୀଙ୍କ ଟୋକନ୍‌ ଲାପ୍ସ ହେବାରୁ ସେମାନେ ବେପାରୀଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଓଡ଼ିଶା କୃଷକ ସଭା ତରଫରୁ କୁହାଯାଇଛି। ତୁରନ୍ତ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବାକୁ ସଭାର ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡି ଦାବି କରିଛନ୍ତି। ଶ୍ରୀ ରେଡ୍ଡିଙ୍କ ନେତୃତ୍ବରେ ଗଞ୍ଜାମ ବ୍ଲକ୍‌ ଖଣ୍ଡଦେଉଳି ସମିତିର ଚାଷୀମାନେ ଜିଲ୍ଲାପାଳ ଓ ଜିଲ୍ଲା‌ ଯୋଗାଣ ଅଧିକାରୀଙ୍କୁ ସାକ୍ଷାତ କରି ସମସ୍ୟା ଜଣାଇଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ନାୟକଙ୍କ ସମେତ ସୁଶାନ୍ତ ପ୍ରଧାନ, ଲକ୍ଷ୍ମୀଚରଣ ସ୍ୱାଇଁ, ସୌର ଜେନା, ଶ୍ରୀକାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର