ଭୁବନେଶ୍ବର/ବରଗଡ଼/ସମ୍ବଲପୁର : ପାଖାପାଖି ଗୋଟିଏ ମାସ ବିଳମ୍ବରେ ଧାନ ସଂଗ୍ରହ ଆରମ୍ଭ ହେଲା। ତାହା ପୁଣି ବିଭ୍ରାଟରୁ। ପ୍ରଥମ ଦିନରେ ବରଗଡ଼ ଜିଲ୍ଲାର ମାତ୍ର ୨୨ ମଣ୍ଡିକୁ ଆସିଥିବା ୬୨୨୭ କ୍ବିଣ୍ଟାଲ ଧାନ ଉଠିପାରିଲା ନାହିଁ। କେବଳ ଉପନିର୍ବାଚନ ହେଉଥିବା ପଦ୍ମପୁର ଉପଖଣ୍ଡରେ ଧାନ ଉଠିଛି। ବାକି ସ୍ଥାନରେ ଖୋଲା ଆକାଶ ତଳେ ଧାନ ପଡ଼ି ରହିଛି। ବରଗଡ଼ ଜିଲ୍ଲାର ସମସ୍ତ ଅଧିକାରୀ ଉପନିର୍ବାଚନରେ ବ୍ୟସ୍ତ ରହିଛନ୍ତି। ସେପଟେ ବିଳମ୍ବରେ ଧାନ ସଂଗ୍ରହ ଯୋଗୁଁ ପଶ୍ଚିମ ଓଡ଼ିଶାର ଅନେକ ଚାଷୀ ଖୋଲା ବଜାରରେ ଧାନ ବିକ୍ରି କରି ଦେଇଥିବା ଖବର ଆସିବାରେ ଲାଗିଛି। ସ୍ଥିତି ଏତେ ଗମ୍ଭୀର ଆଡ଼କୁ ଯାଉଛି ଯେ ଧାନ ବିକ୍ରିକୁ ନେଇ ଚାଷୀ ସମସ୍ୟା ଆଗକୁ ଆହୁରି ଜଟିଳ ହୋଇପାରେ। ଏ ମଧ୍ୟରେ ପଶ୍ଚିମଓଡ଼ିଶା କୃଷକ ସମନ୍ବୟ ସମିତି ଖୋଲା ଧମକ ଦେଇଛି ଯେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଧାନ ସଂଗ୍ରହ ବେଳେ କଟନିଛଟନି ହେଲେ, ବରଦାସ୍ତ କରାଯିବନାହିଁ।
ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ଧାନ ସଂଗ୍ରହ ପାଇଁ କେବଳ ୪ ଜିଲ୍ଲା ବରଗଡ଼, ସମ୍ବଲପୁର, କଳାହାଣ୍ଡି ଏବଂ ବଲାଙ୍ଗୀରର ୩ ଲକ୍ଷ ୩୯ ହଜାର ୫୦୬ ଚାଷୀଙ୍କ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଯାଞ୍ଚ କାର୍ଯ୍ୟ ସମାପ୍ତ ହୋଇଛି। ଏଥିରେ ବରଗଡ଼ର ସର୍ବାଧିକ ୧ ଲକ୍ଷ ୩୭ ହଜାର ୭୨୪, ବଲାଙ୍ଗୀରରେ ୭୨ ହଜାର ୨୮୯, କଳାହାଣ୍ଡି ୭୩ ହଜାର ୬୭୭, ସମ୍ବଲପୁରରେ ୫୫ ହଜାର ୮୧୬ ଚାଷୀ ରହିଛନ୍ତି। ପ୍ରଥମ ଦିନରେ ବରଗଡ଼ ଜିଲ୍ଲାର ସମୁଦାୟ ୧୫୦ ମଣ୍ଡିରୁ ୧୫ ହଜାର ୭୮୬ ପ୍ୟାକେଟରେ ୬୬୪୭.୬୩ କ୍ବିଣ୍ଟାଲ ଧାନ ପହଞ୍ଚିଥିଲା। ହେଲେ ତାହା ମଧ୍ୟ ଉଠିଲା ନାହିଁ।
ପ୍ରଥମ ଦିନରେବି ବରଗଡ଼ରୁ ଉଠିପାରିଲାନି ୬୨୨୭ କ୍ବିଣ୍ଟାଲ ଧାନ
ବଲାଙ୍ଗୀରରେ ମିଲରେ ଧାନ ଭର୍ତ୍ତି ହେଲାଣି
ସମ୍ବଲପୁର ଚାଷୀଙ୍କୁ କଟନିଛଟନି ଭୟ
୪ ଜିଲ୍ଲାରେ ସରିଛି ଚାଷୀ ପଞ୍ଜୀକରଣ ଯାଞ୍ଚ
/sambad/media/post_attachments/wp-content/uploads/2022/01/Mkg-paddy-jabat-1-750x364.jpg)
ରାଜ୍ୟରେ ଧାନ ସଂଗ୍ରହ ବିଭ୍ରାଟ ନୂଆ କଥା ନୁହେଁ। କିନ୍ତୁ ପ୍ରଥମ ସପ୍ତାହରେ କମ ପରିମାଣରେ ଧାନ ପହଞ୍ଚୁଥିବାରୁ ସାଧାରଣତଃ ସମସ୍ୟା ହୁଏ ନାହିଁ। ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଉପଜିଲ୍ଲାପାଳ, ସିଏସଓ ଏବଂ ଡିଆରସିଏସ ଏହାକୁ ଶୃଙ୍ଖଳିତ କରିବାକୁ ଲାଗି ପଡ଼ନ୍ତି। ତେଣୁ ଯାହା ଅସୁବିଧା ହୁଏ ପରବର୍ତ୍ତୀ ପର୍ଯ୍ୟାୟରେ ସୃଷ୍ଟି ହୁଏ। କିନ୍ତୁ ଚଳିତ ବର୍ଷ ଆରମ୍ଭରୁ ହିଁ ଅଧିକାରୀମାନେ ପଦ୍ମପୁର ବ୍ୟତୀତ ଅନ୍ୟ ଉପଖଣ୍ଡର ଧାନ ସଂଗ୍ରହକୁ ଗୁରୁତ୍ବ ଦେଉନଥିବାରୁ ଏଭଳି ଅବସ୍ଥା ହୋଇଛି। ଜିଲ୍ଲାରେ ୧୪୦ ମିଲକୁ ଟ୍ୟାଗ କରାଯାଇଛି। ସରକାରଙ୍କ ଠାରୁ ପ୍ରାପ୍ୟ ନେଇ ମଧ୍ୟ ମିଲ ମାଲିକ ସରକାରୀ ଅଧିକାରୀଙ୍କ ମାନୁନଥିବା ଏହି ସ୍ଥିତି ପାଇଁ ଦାୟୀ ବୋଲି ଅଭିଯୋଗ ହେଉଛି।
ଅନ୍ୟପଟରେ ବରଗଡ଼ ଜିଲ୍ଲାରେ ପ୍ରଥମ ଏବଂ ଦ୍ବିତୀୟ ସପ୍ତାହରେ ଧାନ ଅମଳ ଏବଂ କଟା ସରିଲାଣି। ଭିତ୍ତିଭୂମି ଅଭାବରୁ ଅନେକ ଚାଷୀ ସିଧାସଳଖ ଧାନ ବ୍ୟବସାୟୀଙ୍କୁ ବିକ୍ରି କରି ଦେଇଛନ୍ତି। ୨୨ ତାରିଖରୁ ସମ୍ବଲପୁର ସଦର ଉପଖଣ୍ଡ, ୨ ତାରିଖରୁ କୁଚିଣ୍ଡା ଏବଂ ୯ ତାରିଖରୁ ରେଢାଖୋଲ ଉପଖଣ୍ଡରେ ଧାନ ସଂଗ୍ରହ ହେବ। କିଛି ଦିନ ପୂର୍ବରୁ ସମ୍ବଲପୁର ଜିଲ୍ଲା ଗୋଶାଳା ରାସ୍ତାରେ ସ୍ଥିତ ସାନସିଂହାରୀ, ରଘୁନାଥପାଲିରେ ଦଲାଲ ନେଇ ଯାଉଥିବା ୩୦୬ କ୍ବିଣ୍ଟାଲ ଧରା ପଡ଼ିଥିଲା। ବିଳମ୍ବରେ ଧାନ ସଂଗ୍ରହ ଲାଭ ଉଠାଇ ବ୍ୟବସାୟୀଙ୍କ ଜରିଆରେ ମିଲର୍ସ ମଣ୍ଡି ଖୋଲିବା ପୂର୍ବରୁ ଅଳ୍ପ ଅର୍ଥରେ ଧାନ ନେଇ ସାରିଛନ୍ତି। ତେଣୁ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ସମସ୍ୟା ସୃଷ୍ଟି କରିବା ସ୍ପଷ୍ଟ ଅଟେ। ଏଥିପ୍ରତି ପ୍ରଶାସନ ସଜାଗ ରହିବାକୁ ଚାଷୀ ସଙ୍ଗଠନ କହିଛି।
ବଲାଙ୍ଗୀର ଜିଲ୍ଲାରେ ନଭେମ୍ବର ୨୫ ତାରିଖ ମଣ୍ଡି ଖୋଲାଯିବ କିନ୍ତୁ ବର୍ତ୍ତମାନ ଠାରୁ ବିଭିନ୍ନ ମିଲକୁ ଅଣ୍ଡରରେଟରେ ଧାନ ପହଞ୍ଚି ସାରିଛି। ତେଣୁ ମିଲମାଲିକମାନେ ଆଗାମୀ ଦିନରେ କଟନିଛଟନି, ଲିଫ୍ଟିଂ ଆଦିରେ ସମସ୍ୟା ସୃଷ୍ଟି କରି ବିଭ୍ରାଟ କରିବା ନେଇ ସ୍ପଷ୍ଟ ହୋଇଛି। ପ୍ରଥମ ଥର ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଖୋଲାଖୋଲି ଭାବରେ ମଣ୍ଡିରେ ମିଲର୍ସ ରହିପାରିବେ ବୋଲି ଘୋଷଣା କରିଛନ୍ତି। ପୂର୍ବରୁ ମଧ୍ୟ ମିଲର୍ସ ମଣ୍ଡିରେ ରହୁଥିଲେ ଓ ଏହା ଅନୌପଚାରିକ ଘଟଣା ଥିଲା। ଏଭଳି ସ୍ଥିତିରେ ୨୦୦୩ ପୂର୍ବର ଲେଭି ସ୍ଥିତିକୁ ବଲାଙ୍ଗୀର ଜିଲ୍ଲା ପହଞ୍ଚିଯିବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି। କଳାହାଣ୍ଡିରେ ୨୫ରୁ ୩୦ ତାରିଖ ମଧ୍ୟରେ ଧାନ ସଂଗ୍ରହ ହେବ ବୋଲି ଘୋଷଣା ହେବ ବୋଲି ଡିଏଲପିସି ବୈଠକରେ କୁହାଯାଇଥିଲେ ମଧ୍ୟ ପ୍ରକୃତ ତାରିଖ କିନ୍ତୁ ଆଜି ଯାଏ ଘୋଷଣା ହୋଇ ପାରିଲାନି।