ଯୋଗାଣ ମନ୍ତ୍ରୀଙ୍କ ବିବୃତି : ଗତ ବର୍ଷ ଠାରୁ ଧାନ ସଂଗ୍ରହ ବଢ଼ିଛି

ବିରୋଧୀଙ୍କ ଅଭିଯୋଗକୁ ଛୁଇଁଲେନି

ଭୁବନେଶ୍ୱର : ଧାନ ସଂଗ୍ରହରେ ମହାଦୁର୍ନୀତିର ଅଭିଯୋଗ କରିଥିଲେ ବିରୋଧୀ ଦଳ। ଚାଷୀଙ୍କୁ ଶୋଷଣ କରାଯାଉଛି ବୋଲି ଆରୋପ ଲଗାଇଥିଲେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଗୃହରେ ଉତ୍ତର ରଖିଲେ। ଧାନ ସଂଗ୍ରହ କିପରି କରାଯାଉଛି, ସେହି ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଲେ। ବର୍ତ୍ତମାନ ଧାନ ସଂଗ୍ରହ ଗତ ବର୍ଷ ଠାରୁ କିପରି ବଢ଼ିଛି, ତାହାର ତୁଳନାତ୍ମକ ଚିତ୍ର ଦେଲେ। କିନ୍ତୁ ବିରୋଧୀ ଉଠାଉଥିବା ମହାଦୁର୍ନୀତି ନେଇ ପାଟି ଫିଟାଇଲେନି। ଧାଡ଼ିଏ ବି ସେ ସମ୍ପର୍କରେ କହିବାକୁ ଉଚିତ ମଣିଲେ ନାହିଁ।

ମନ୍ତ୍ରୀ ଶ୍ରୀ ପାତ୍ର କହିଲେ, ୧୩.୧୨.୨୦୧୭ ସୁଦ୍ଧା ୧୪ଟି ଜିଲ୍ଲା ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ୍‌ ହୋଇଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଉଛି ଅନୁଗୁଳ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୋନପୁର। ମୋଟ୍‌ ୯୯,୯୦୭ ଜଣ ଚାଷୀଙ୍କ ଠାରୁ ୬.୨୯ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କ୍ରୟ କରାଯାଇଛି। ଏହାର ମୂଲ୍ୟ ହେଉଛି ୯୭୬ କୋଟି ଟଙ୍କା। ଏହା ମଧ୍ୟରୁ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଅନ୍‌ଲାଇନ୍‌ ମାଧ୍ୟମରେ ୭୫୦ କୋଟି ଟଙ୍କା ସିଧାସଳଖ ହସ୍ତାନ୍ତରିତ ହୋଇଛି। ଅନ୍ୟ ଜିଲ୍ଲାଗୁଡ଼ିକ ଡିସେମ୍ବର ୩୧ ତାରିଖ ସୁଦ୍ଧା ଖରିଫ ଧାନ ସଂଗ୍ରହରେ ସାମିଲ ହେବେ। ଚଳିତ ଖରିଫ୍‌ରେ ରାଜ୍ୟ ସରକାର ସର୍ବନିମ୍ନ ୪୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହର ଆଶା ରଖିଛନ୍ତି। ଗତ ବର୍ଷ ତୁଳନାରେ ଚଳିତ ଖରିଫ୍‌ରେ ଧାନ ସଂଗ୍ରହ ଅଧିକ ରହିଛି। ୧୩.୧୨.୨୦୧୭ ସୁଦ୍ଧା ଚଳିତ ବର୍ଷ ୬.୨୯ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଥିବା ସ୍ଥଳେ ଗତ ବର୍ଷ ଏହି ଦିବସ ସୁଦ୍ଧା ୩.୭୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗୃହୀତ ହୋଇଥିଲା।

ମନ୍ତ୍ରୀ ଆହୁରି କହିଥିଲେ, ଧାନ ସଂଗ୍ରହ ନିମନ୍ତେ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଧାନର ମାନକୁ ପାଥେୟ କରି ଧାନ କ୍ରୟ କେନ୍ଦ୍ରରେ ଧାନ କିଣାଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଧାନର ମାନରେ କୌଣସି ଗୋଟିଏ ଉପାଦାନରେ ବ୍ୟତିକ୍ରମ ହେଲେ ସେହି ଧାନ କ୍ରୟଯୋଗ୍ୟ ନୁହେଁ। ଚଳିତ ବର୍ଷ ରାଜ୍ୟର କେତେକ ଅଞ୍ଚଳରେ ମରୁଡ଼ି, ପୋକ ଓ ଅଦିନିଆ ବର୍ଷା ଆଦି ପ୍ରାକୃତିକ ଦୁର୍ବିପାକ ହେତୁ ଧାନ ଫସଲର ଗୁଣାତ୍ମକ ମାନ ହ୍ରାସ ପାଇଥିବାରୁ ଭାରତର ଖାଦ୍ୟ ମନ୍ତ୍ରୀଙ୍କୁ ଏଫ୍‌ଏକ୍ୟୁ ମାନ କୋହରଳ କରିବା ପାଇଁ ଗତ ୧ ତାରିଖରେ ଅନୁରୋଧ କରାଯାଇଛି। ଅଣ ଏଫ୍‌ଏକ୍ୟୁ ଧାନ ନିର୍ଦ୍ଧାରିତ ଦର ଠାରୁ କମ୍‌ ମୂଲ୍ୟରେ କ୍ରୟ କରିବାର କୌଣସି ନିର୍ଦ୍ଦେଶନାମା କେନ୍ଦ୍ର ସରକାରଙ୍କ ଠାରୁ ହସ୍ତଗତ ହୋଇ ନାହିଁ। ତେବେ ଅଣ ଏଫ୍‌ଏକ୍ୟୁ ଧାନକୁ ଏଫ୍‌ଏକ୍ୟୁ ମାନରେ ପରିଣତ କରିବା ପାଇଁ ସୋସାଇଟିମାନଙ୍କୁ ଆବଶ୍ୟକୀୟ ଯନ୍ତ୍ରପାତି ଯୋଗାଇ ଦେବା ପାଇଁ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର