ବେଗୁନିଆପଡ଼ା/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଗତ ୧୬ତାରିଖରେ ଧାନମଣ୍ଡି ଖୋଲିଛି। ୧୦ଦିନ ପରେ ମଧ୍ୟ ଜିଲ୍ଲାରେ ଧାନକ୍ରୟ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରି ନାହିଁ। ଅଧିକାଂଶ ବ୍ଲକ୍‌ରେ ଧାନକ୍ରୟ ବ୍ୟବସ୍ଥା ଆଣ୍ଠେଇ ପଡ଼ିଛି। ବେଗୁନିଆପଡ଼ା ବ୍ଲକ୍‌ରେ ଏ ଯାବତ୍‌ ଜଣେ ହେଲେ ଚାଷୀ ଧାନ ବିକ୍ରି କରିପାରି ନାହାନ୍ତି। ଯାହାକି ଧାନ ଅଭାବୀ ବିକ୍ରି ପାଇଁ ବାଟ ଖୋଲି ଦେଇଛି। ଚାଷୀ ଧାନ ଧରି ବସିଥିବା ବେଳେ ଟୋକନ୍‌ ଆସି ନାହିଁ। ଏଣୁ ଜିଲ୍ଲାରେ ଆନ୍ଧ୍ର ମାଫିଆ ମାତିଗଲେଣି। ଗଳାବାଟ ଦେଇ ମାଫିଆମାନେ ଧାନ ବୋହିବାରେ ଲାଗିଥିବା ଅଭିଯୋଗ ଆସିଲାଣି। ଗତକାଲି ସୁଦ୍ଧା ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍‌ରୁ ୩ହଜାର ୮୮୨ଜଣ ଚାଷୀଙ୍କ ଠାରୁ ମୋଟ ୨ଲକ୍ଷ ୧୨ହଜାର କ୍ବିଣ୍ଟାଲ୍‌ ଧାନକ୍ରୟ କରାଯାଇଛି।

Advertisment

ଗଞ୍ଜାମ ଜିଲ୍ଲାର ଚାଷୀ ଚଳିତବର୍ଷ ବହୁ ପ୍ରତିକୁଳ ପରିସ୍ଥିତି ଦେଇ ଗତି କରୁଛନ୍ତି। ବର୍ଷ ଆରମ୍ଭରୁ ନିଅଣ୍ଟିଆ ବର୍ଷା ଚାଷ କାର୍ଯ୍ୟକୁ ପ୍ରଭାବିତ କରିଥିବା ‌ବେଳେ ଅମଳ ସମୟରେ ବାତ୍ୟା ଓ ବର୍ଷା ଫସଲ ଉଜାଡ଼ିଦେଲା। ତଥାପି କଷ୍ଟେମଷ୍ଟେ ଚାଷୀ ହାଡ଼ଭଙ୍ଗା ପରିଶ୍ରମ କରି ଧାନ ଅମଳ କରିଥିବା ବେଳେ ଏବେ ପ୍ରଶାସନର ଦୋମୁହାଁ ନୀତି ସେମାନଙ୍କୁ ହରଡ଼ଘଣାରେ ପକାଇଛି। ଚଳିତବର୍ଷ ଧାନକିଣା ବ୍ୟବସ୍ଥା ଠିକ୍‌ଠାକ୍ ଢଙ୍ଗରେ ପରିଚାଳିତ ହେବ ବୋଲି ପ୍ରଶାସନ ଘନ ଘନ ପ୍ରସ୍ତୁତି କରିଥିଲା। କିନ୍ତୁ ସବୁ କିଛି ଫସର ଫାଟିଯାଇଛି। ସଂରକ୍ଷଣ ଚିନ୍ତାରେ ଚାଷୀ ବର୍ତ୍ତମାନ ଶାଗମାଛ ଦରରେ ଆନ୍ଧ୍ର ଦଲାଲ୍‌ ହାତରେ ବସ୍ତା ବସ୍ତା ଧାନ ଟେକିଦେବାକୁ ବାଧ୍ୟ ହେଉଛି। ଏପଟେ ଜିଲ୍ଲା ପ୍ରଶାସନ ଗୋପାଳପୁର ମ‌ହୋତ୍ସବ ପରିଚାଳନାରେ ବ୍ୟସ୍ତ ରହିଛି। ସ୍ଥିତି ଏମିତି ହୋଇଛି, ଚାଷୀ ମୁଖ୍ୟରାସ୍ତାକୁ ଧାନବସ୍ତା ଆଣି ଆନ୍ଧ୍ର ବେପାରୀଙ୍କ ହାତକୁ ଟେକିଦେଉଛନ୍ତି।

ଭାତହାଣ୍ଡିରୁ ଗୋଟିଏ ଭାତ ଚିପିବା ନ୍ୟାୟରେ, ବେଗୁନିଆପଡ଼ା ବ୍ଲକ୍‌କୁ ବିଚାର‌କୁ ନେଲେ ୨୩ଟି ପଞ୍ଚାୟତ ସମେତ କୋଦଳା ଏନ୍‌ଏସିକୁ ମିଶାଇ ମୋଟ ୬୯୪୧ ଜଣ ଚାଷୀଙ୍କ ମଧ୍ୟରୁ ୬୯୩୭ ଜଣ ଚାଷୀ ଧାନ ବିକ୍ରି କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ହେଲେ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ୪୭୫୮ ଜଣ ଚାଷୀଙ୍କ ଜମି ସାଟେଲାଇଟ୍ ମାଧ୍ୟମରେ ସର୍ଭେ ହୋଇଛି। ଆଜି ସୁଦ୍ଧା ସଠିକ୍ ରିପୋର୍ଟ ହସ୍ତଗତ ହୋଇ ନଥିବାରୁ ସେମାନେ ଟୋକନ୍ ପାଇ ନଥିବା ଅନୁମାନ କରାଯାଉଛି। ସେହିପରି ବାକି ୨୧୭୮ ଜଣ ଚାଷୀଙ୍କ ମଧ୍ୟରୁ ୪୦୦ରୁ ୫୦୦ ଚାଷୀ ଟୋକନ୍ ପାଇଛନ୍ତି। ସେପଟେ ଚଳିତବର୍ଷ ବ୍ଲକ୍‌ରୁ ୧ଲକ୍ଷ ୬୩ହଜାର କ୍ବିଣ୍ଟାଲ୍ ଧାନକିଣା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହାସହ ବେଗୁନିଆପଡ଼ା, କେ.ବରିଡ଼ା, ତିରିଡ଼ା, କେ.ରାଣୀପଡ଼ା, ଫାଶୀ, ଇନାମ, ବେଲପଡା, ଅଙ୍ଗାରଗାଁ, ଷଣ୍ଢମୂଳ, ଲଛିପୁର, ତାଳସର, ଏସ.ଛଚିନା, ବୁରୁଝରି, ଜେ.ଛଚିନା, ମଠସରସିଂ, ସୁମଣ୍ଡଳ, ଚିଙ୍ଗୁଡ଼ିଖୋଲ, ମର୍ଦକୋଟ, ଶ୍ରଦ୍ଧାପୁର ଓ କୋଦଳା ଆଦି ୧୯ଟି ସେବା ସମବାୟ ସମିତି ଏବଂ ଗୁଞ୍ଜବଳାରେ ଶ୍ରୀ ଗଣେଶ ଏସ୍‌ଏଚ୍‌ଜି, ଚନ୍ଦନପୁରରେ ପୁଷ୍ପାଞ୍ଜଳି ଏସ୍‌ଏଚ୍‌ଜି, କାଳିମେଘିର ଶ୍ରୀ ଗଣେଶ ଏସ୍‌ଏଚ୍‌ଜି ଓ ବେରୁହଁବାଡ଼ିରେ ଜଗନ୍ନାଥ ଏସ୍‌ଏଚ୍‌ଜିକୁ ମିଶାଇ ମୋଟ ୨୩ଟି ପ୍ୟାକ୍ସ୍‌ରେ ଧାନ କିଣାଯିବ।

କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରେ ମଣ୍ଡିରେ ଧାନ କିଣାଯାଇନି। ମୋଟ ୨୩ଟି ପ୍ୟାକ୍ସ୍ ମଧ୍ୟରୁ କେବଳ ବେଗୁନିଆପଡ଼ା ଓ ସୁମଣ୍ଡଳକୁ ଛାଡ଼ିଦେଲେ ଅନ୍ୟ କୌଣସି ସ୍ଥାନରେ ଏଯାବତ୍ ମଣ୍ଡି ‌ଖୋଲିନି। ଯାହାଫଳରେ ଚାଷୀ ବର୍ତ୍ତମାନ ଅଡ଼ୁଆ ପରିସ୍ଥିତିରେ ପଡ଼ିଛି। କାରଣ ଖଳାରେ ସହସ୍ରାଧିକ କ୍ବିଣ୍ଟାଲ୍ ଧାନ ପଡ଼ିରହିଥିବା ବେଳେ ଖୋଲାଆକାଶ ତଳେ ଶୀତକାକରରେ ଚାଷୀ ଏହାକୁ ଜଗି ରହୁଛି। ଶେଷରେ ନିରୁପାୟ ହୋଇ ଆନ୍ଧ୍ର ବେପାରୀ ହାତକୁ ଧାନ ଟେକିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି। ତାହା ବି ସରକାରୀ ଦରଠୁ କମ୍‌ରେ ଧାନ ବିକୁଛନ୍ତି। ଆଉ ଏଭଳି ପରିସ୍ଥିତିରେ ବ୍ଲକ୍ କୃଷି ବିଭାଗ କେବଳ ନିରବଦ୍ରଷ୍ଟା ସାଜିଛି। ସେପଟେ ବ୍ଲକ୍‌ରେ ବର୍ତ୍ତମାନ ହାତଣଗତି ୫ରୁ ୬ଟି ମିଲ୍ କାର୍ଯ୍ୟକ୍ଷମ ରହିଛି। ଏଭଳି ପରିସ୍ଥିତିରେ ମିଲର୍ ଏତେ ପରିମାଣର ଧାନ କେମିତି କିଣ‌ିବେ ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିକଳ୍ପ ବ୍ୟବସ୍ଥା ସ୍ବରୂପ ଆସିକା କିମ୍ବା ଖଲ୍ଲିକୋଟ ମିଲର୍‌ଙ୍କୁ ଏଥିପାଇଁ ଦାୟିତ୍ବ ଦିଆଯିବ ବୋଲି ଅନୁମାନ କରାଯାଉଛି। ଏଣୁ ପ୍ରଶାସନ ତୁରନ୍ତ ସମସ୍ତ ଧାନମଣ୍ଡି ଖୋଲିବା ଦିଗରେ ତତ୍ପରତା ଦେଖାଇବାକୁ ଦାବି ହୋଇଛି।

ସେହିପରି ଗଞ୍ଜାମ, ଛତ୍ରପୁର, ଖଲ୍ଲିକୋଟ, ପୁରୁଷୋତ୍ତମପୁର, ରଂଗେଇଲୁଣ୍ଡା ଭଳି ବ୍ଲକ୍‌ରେ ମଧ୍ୟ ଧାନକ୍ରୟ ପ୍ରକ୍ରିୟା ନୈରାଶ୍ୟଜନକ ରହିଛି। ଏଭଳି କିଛି ମଣ୍ଡି ଅଛି ଯେଉଁଠି ଆଦୌ ଧାନକିଣା ଆରମ୍ଭ ହୋଇନାହିଁ। ଆନୁଷଙ୍ଗିକ ସୁବିଧା ଅଭାବରୁ ଧାନକ୍ରୟ ହୋଇପାରୁ ନଥିବା କୁହାଯାଉଛି। ଏପରିକି ଚାଷୀଙ୍କୁ ସିଧାସଳଖ ମିଲ୍‌କୁ ଧାନ ନେବା ପାଇଁ ବାଧ୍ୟ କରାଯାଉଥିବାରୁ ଗରିବ ଚାଷୀ ହଇରାଣର ସମ୍ମୁଖୀନ ହେଉଛନ୍ତି। ଏଣୁ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ କିଛି ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମହଲରେ ଦାବି ହୋଇଛି।