ଭୁବନେଶ୍ବର : ସମ୍ବଲପୁରର ମିଲର୍‌ ନୟାଗଡ଼ରୁ ଧାନ ଉଠାଇବା ଘଟଣାକୁ ନେଇ ଚର୍ଚ୍ଚା ଥମିନି। ହେଲେ ଏ ସଂପର୍କରେ ଅଧିକ ଅନୁସନ୍ଧାନ କରିବାରେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। କେବଳ ନୟାଗଡ଼ ନୁହେଁ, ସବୁ ନିୟମକୁ ଫାଙ୍କି ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଚଳିତବର୍ଷ ଭଦ୍ରକ, ଜଗତସିଂହପୁର, ଦେବଗଡ଼, ସୁନ୍ଦରଗଡ଼, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରୁ ମଧ୍ୟ ବାହାର ଜିଲ୍ଲାର ମିଲରଙ୍କୁ ଧାନ ସଂଗ୍ରହ କରିବାକୁ ଅନୁମତି ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଧାନ ସଂଗ୍ରହର ନୂତନ ପରିବହନ ନୀତି ଅନୁଯାୟୀ ମଣ୍ଡିର ସବୁଠାରୁ ନିକଟବର୍ତ୍ତୀ ମିଲ୍‌ରୁ ଧାନ ସଂଗ୍ରହ କରାଯିବା କଥା। ଉଦ୍ଦେଶ୍ୟ ହେଉଛି, ପରିବହନ ବାବଦରେ ଅଯଥା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଧାନ ସଂଗ୍ରହରେ ମଣ୍ଡି ଟ୍ୟାଗିଂ ପାଇଁ ଯୋଗାଣ ନିଗମ ଏବଂ ମିଲରଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ, ୧ରୁ ୮ କିଲୋମିଟର ମଧ୍ୟରେ ପରିବହନ ଖର୍ଚ୍ଚ ୧୮.୪୭ ଟଙ୍କା ଧାର୍ଯ୍ୟ ହୋଇଛି। ହେଲେ ଯୋଗାଣ ବିଭାଗ ଅଧିକାରୀମାନେ ଏଭଳି ନିୟମକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି। ଓଲଟା ୩୫୦ କିଲୋମିଟର ଦୂରରୁ ମିଲରଙ୍କୁ ନିଯୁକ୍ତି ଦେବା ଦ୍ବାରା ସରକାରୀ ତହବିଲକୁ ପୁଳା ପୁଳା ଟଙ୍କା ବରବାଦର ରାସ୍ତା ଖୋଲାଯାଇଛି।

Advertisment

ମିଳିଥିବା ତଥ୍ୟ ଅନୁଯାୟୀ, କେବଳ ସମ୍ବଲପୁର ଜିଲ୍ଲାର ୩୮ଟି ମିଲରଙ୍କୁ ଭଦ୍ରକ, ଜଗତସିଂହପୁର, ଦେବଗଡ଼ ଏବଂ ସୁନ୍ଦରଗଡ଼ ଏବଂ ୨୦ ମିଲରଙ୍କୁ ନୟାଗଡ଼ରୁ ଧାନ କ୍ରୟ ପାଇଁ ଟ୍ୟାଗ କରାଯାଇଛି। କିନ୍ତୁ ବାସ୍ତବ କଥା ହେଲା, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ଏହି ମିଲରଙ୍କ ମଧ୍ୟରୁ ଅଧିକାଂଶ ନିଜ ଜିଲ୍ଲା ଚାଷୀଙ୍କ ଧାନ ମଣ୍ଡିରୁ ଉଠାଣ କରୁ ନାହାନ୍ତି। ଫଳରେ ଟୋକନ ଲାପ୍ସ ଭୟରେ ଚାଷୀ ମିଲ୍‌କୁ ଯାଇ ଧାନ ଦେଇ ଆସୁଛି। ସେହି ଜିଲ୍ଲାର ୧୭ଜଣ ମିଲର୍‌ ୩୫୦ରୁ ୪୦୦ କିଲୋମିଟର ଯାଇ କିଭଳି ଧାନ ସଂଗ୍ରହ କରିବା ଲାଗି ମନ୍ତ୍ରୀ, ସଚିବ କେମିତି ନିର୍ଦେଶ ଦେଲେ, ତାହା ଚାଷୀ ମହଲକୁ ଆନ୍ଦୋଳିତ କରିବା ସ୍ବାଭାବିକ।

ଉପକୂଳ, ଦକ୍ଷିଣ ଓଡ଼ିଶାରୁ ବି ଧାନ ଉଠାଉଛନ୍ତି ସମ୍ବଲପୁର ମିଲର୍‌
ସେପଟେ ସମ୍ବଲପୁର, ବରଗଡ଼ରେ ଚାଷୀ ହନ୍ତସନ୍ତ ହେଉଛନ୍ତି
ମାତ୍ରାଧିକ ପରିବହନ ଖର୍ଚ୍ଚ, ସମସ୍ୟାର ହେଉନି ସମାଧାନ

publive-image

ତଥ୍ୟ ଅନୁସାରେ, ଭଦ୍ରକ ଜିଲ୍ଲାର ୮୯ ହଜାର ୧୨୧ ପଞ୍ଜୀକୃତ ଚାଷୀଙ୍କ ଧାନ ଉଠାଣ ପାଇଁ ଟ୍ୟାଗ ହୋଇଥିବା ୨୭ଟି ମିଲର୍‌ଙ୍କ ମଧ୍ୟରୁ ୧୭ଟି ସମ୍ବଲପୁର ଜିଲ୍ଲାର ଅଟନ୍ତି। ବାକି ୧୦ଟି ସ୍ଥାନୀୟ ମିଲର। ଜଗତସିଂହପୁର ଜିଲ୍ଲାର ପଞ୍ଜୀକୃତ ୪୫ ହଜାର ୦୧୦ ଚାଷୀଙ୍କ ପାଇଁ ଟ୍ୟାଗ ହୋଇଥିବା ୨୮ ମିଲର୍‌ଙ୍କ ମଧ୍ୟରୁ ୨୫ଟି ୩୦୩ କିଲୋମିଟର ଦୂର ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ଅଟନ୍ତି। କେବଳ ଚଳିତ ବର୍ଷ ନୁହେଁ ପ୍ରତିବର୍ଷ ଚାଷୀଙ୍କ ସ୍ବାର୍ଥ ଏବଂ ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ପାଇଁ ଜଗତସିଂହପୁର ଏବଂ ଭଦ୍ରକରେ ପଶ୍ଚିମ ଓଡ଼ିଶାର ବଡ଼ ମିଲର୍‌ଙ୍କୁ ଟ୍ୟାଗ କରାଯାଉଛି। ଏଥିଯୋଗୁଁ ପରିବହନ ବାବଦରେ କୋଟି-କୋଟି ଟଙ୍କା ଖର୍ଚ୍ଚ ହେଉଛି। ସୁନ୍ଦରଗଡ଼ ଜିଲ୍ଲାର ପଞ୍ଜୀକୃତ ୪୯ହଜାର ୪୫୨ ଚାଷୀଙ୍କ ପାଇଁ ଜିଲ୍ଲାରେ ସମୁଦାୟ ୨୧ଟି ମିଲର୍‌ ଅଛନ୍ତି। ଏହା ସତ୍ତ୍ବେ ମଧ୍ୟ ସମ୍ବଲପୁରର ୫ ଜଣ ମିଲର୍ସଙ୍କୁ ଧାନ ସଂଗ୍ରହ ପାଇଁ ଟ୍ୟାଗ କରାଯାଇଛି। ସମ୍ବଲପୁରରୁ ସୁନ୍ଦରଗଡ଼ ଜିଲ୍ଲାର ଦୂରତା ୮୭ କିଲୋମିଟର। ସେହି ଭାବରେ ବାହାରୁ ଆସୁଥିବା ମିଲର୍‌ଙ୍କ ପରିବହନ ଖର୍ଚ୍ଚ ସରକାରଙ୍କୁ କେତେ ବହନ କରିବାକୁ ପଡ଼ିବ ଅନୁମାନ କରାଯାଇ ପାରେ।

ଦେବଗଡ଼ ଜିଲ୍ଲାର ପଞ୍ଜୀକୃତ ୧୯ ହଜାର ୪୩୩ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ସମୁଦାୟ ୩ ଟି ମିଲର୍‌ଙ୍କୁ ଟ୍ୟାଗ କରାଯାଇଛି। ଏଥିରୁ ଜଣେ ମିଲର୍‌ ସ୍ଥାନୀୟ ଅଞ୍ଚଳର ଏବଂ ଅନ୍ୟ ଦୁଇଜଣ ସମ୍ବଲପୁର ଜିଲ୍ଲାର ଅଟନ୍ତି। ପ୍ରଥମ କିଛି ଦିନ ଟ୍ୟାଗ ହୋଇଥିବା ବାରକୋଟ ଏବଂ ରିଆମାଲ ବ୍ଲକରେ ସମ୍ବଲପୁର ମିଲର୍‌ଙ୍କ ଦେଖା ନଥିଲା। ଏଥିଯୋଗୁଁ ଧାନ ସଂଗ୍ରହ ଠପ୍ ହୋଇଯାଇଥିଲା। ବର୍ତ୍ତମାନ ମିଲର୍‌ମାନେ ଧାନ ଉଠାଣ ଆରମ୍ଭ କରିଥିଲେ ମଧ୍ୟ ଟୋକନ ଲାପ୍ସର ଆଶଙ୍କା ହେଲାଣି। କୋରାପୁଟର ପଞ୍ଜୀକୃତ ୪୦ ହଜାରରୁ ଅଧିକ, ମାଲକାନଗିରିର ୩୪ ହଜାର ୧୬୬ ଚାଷୀଙ୍କ ଠାରୁ ଧାନ କ୍ରୟ ବରଗଡ଼ ମିଲର୍ସ କରୁଛନ୍ତି। କଟକ ଜିଲ୍ଲାର ୬୬ ହଜାର୮୧୭ ଚାଷୀଙ୍କ ପାଇଁ ବରଗଡ଼ ୩ ମିଲର୍‌ଙ୍କୁ ଟ୍ୟାଗ ପାଇଁ ଅନୁମତି ଦିଆଯାଇଛି।

publive-image Sambad

ଏଠାରେ ସ୍ମରଣଥାଉକି, ରାଜ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ ସମୁଦାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ଆକଳନ ରହିଛି। ଯଦିଓ କଷ୍ଟମ ମିଲିଂ ବ୍ୟବସ୍ଥା କଥା କୁହାଯାଉଛି, ବାସ୍ତବତା ହେଲା ଧାନ ସଂଗ୍ରହ ବ୍ୟବସ୍ଥା ମିଲର୍ସ କୈନ୍ଦ୍ରୀକ ହୋଇ ରହିଛି। ଧାନ ସଂରକ୍ଷଣ ପାଇଁ ଗୋଦାମ ନିର୍ମାଣ ହୋଇ ପାରିନଥିବାରୁ ଧାନ ଉଠାଣ ପାଇଁ ସରକାର ମିଲର୍‌ଙ୍କ ଉପରେ ନିର୍ଭରଶୀଳ। ରାଜ୍ୟର କିଛି ବଡ଼ ମିଲରଙ୍କ ମିଲିଂ କ୍ଷମତା ୧ ଘଣ୍ଟା ମଧ୍ୟରେ ୯୦ କ୍ବିଣ୍ଟାଲ ଥାଏ। ତେଣୁ ସେମାନେ ସମୁଦାୟ ଧାନ ସଂଗ୍ରହ ବ୍ୟବସ୍ଥାକୁ ନିଜ କବ୍‌ଜାକୁ ନେଉଥିବା ଅଭିଯୋଗ ହେଉଛି। ସେମାନଙ୍କୁ ଦୂରବର୍ତ୍ତୀ ଜିଲ୍ଲାକୁ ଧାନ ମିଲିଂ ଟ୍ୟାଗ କରାଯାଉଛି। ମାତ୍ର ଏଥିରେ ସରକାରଙ୍କ ରାଜସ୍ବ ବରବାଦ ହେଇଥିଲେ ହେଁ ଏଥିପ୍ରତି କାହାର ଦୃଷ୍ଟି ନାହିଁ।

ଅନ୍ୟ ଗୋଟିଏ ଅଭିଯୋଗ ହେଉଛି, ବାହାର ମିଲର୍‌ଙ୍କୁ ଟ୍ୟାଗ୍ କରାଯିବା ପଛରେ ଏକ କେଳେଙ୍କାରୀ ମଧ୍ୟ ଲୁଚି ରହିଛି। ବାହାର ଜିଲ୍ଲାର ମିଲରଙ୍କୁ ଧାନ ଟ୍ୟାଗ କରାଗଲେ ବ୍ୟାପକ ଭାବରେ ମିଛ ଧାନ କାରବାର ସହଜରେ ହୁଏ। ସ୍ଥାନୀୟ ମିଲ ଠିକ୍‌ ସମୟରେ ଧାନ ନଉଠାଇଲେ ପ୍ରଶାସନ ଏବଂ ଚାଷୀ ଯେଉଁ ଭଳି ସେମାନଙ୍କ ଉପରେ ଚାପ ପ୍ରୟୋଗ କରିପାରନ୍ତି, ବାହାର ମିଲରଙ୍କ କ୍ଷେତ୍ରରେ ମଧ୍ୟ ତାହା ସମ୍ଭବ ହୁଏ ନାହିଁ। କିଛି ଦିନ ପୂର୍ବରୁ ଧାନ ସଂଗ୍ରହ ସମୀକ୍ଷା ବୈଠକରେ ୯୨ ମିଲ ଠାରୁ ୧୪୧ କୋଟିର ହଡ଼ପ ଟଙ୍କା ଆଦାୟ ହୋଇ ପାରିନଥିବା ସୂଚନା ଦିଆଯାଇଥିଲା। ଏଥିରୁ ୩ ମିଲ ବିରୋଧରେ କ୍ରାଇମବ୍ରାଞ୍ଚ ଏବଂ ୪ ମିଲ ବିରୋଧରେ ଭିଜିଲାନ୍ସ ମାମଲା ଚାଲୁଛି। ୧୮୭ କୋଟିର କଷ୍ଟମ ମିଲିଂ ହଡ଼ପ ଅର୍ଥ ମଧ୍ୟ ଆଦାୟ ହୋଇ ପାରି ନାହିଁ।