ଧାନ ସଂଗ୍ରହ ଲକ୍ଷ୍ୟ ଅପରିବର୍ତ୍ତିତ : ୭୧ ଲକ୍ଷ ଟନ୍ ଧାନ ସଂଗ୍ରହ କରିବେ ସରକାର

ଧାନ କ୍ବିଣ୍ଟାଲ ପିଛା ୨୦୪୦ ଟଙ୍କା, ଏ ଗ୍ରେଡ୍ ହେଲେ ୨୦୬୦ ଟଙ୍କା

ଭୁବନେଶ୍ବର : ୨୦୨୨-୨୩ ଖରିଫ୍ ବିପଣନ ବର୍ଷରେ ରାଜ୍ୟ ସରକାର ୪୮ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବା ୭୧ ଲକ୍ଷ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିରୁ ୫୭ଲକ୍ଷ ଟନ୍ ଧାନ ଖରିଫ୍‌ରେ ଓ ୧୪ଲକ୍ଷ ଟନ୍ ରବି ଋତୁରେ ସଂଗ୍ରହ କରାଯିବ। ସରକାର ନିଷ୍ପତ୍ତି ନେଇଛନ୍ତି ଯେ ପଞ୍ଜିକୃତ ଚାଷୀ ଯଦି ମଣ୍ଡିକୁ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ଧାନ ଆଣନ୍ତି, ତାହା ଗ୍ରହଣ କରିବେ। ଆହୁରି ସରଳ ଭାବେ କହିଲେ; ଧାନ ସଂଗ୍ରହ ସଂପର୍କିତ ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି କ୍ଷମତା ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ କ୍ୟାବିନେଟ୍ ପ୍ରଦାନ କରିଛନ୍ତି। ଏଥିସହିତ ଖାଦ୍ୟ ଓ ସଂଗ୍ରହଣ ନୀତିରେ ମୋହର ଲାଗିଛି। ୨୦୨୨-୨୨ ବର୍ଷରେ ଉଭୟ ଖରିଫ୍ ଏବଂ ରବି ଋତୁରେ ମୋଟ ୭୧.୦୩ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଥିଲା। ଚାଉଳ ହିସାବରେ ଏହାର ପରିମାଣ ଥିଲା ୪୮.୦୮ଲକ୍ଷ।

୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା
ଆଧାର ଏକମାତ୍ର ପରିଚୟ, ଜାଲିଙ୍କୁ ଧରିବା ପାଇଁ ଯାଞ୍ଚ୍‌ ବ୍ୟବସ୍ଥା
ଅଧିକ ସଂଖ୍ୟାରେ ସାମିଲ ହେବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ

ଆସନ୍ତା ନଭେମ୍ବର ପହିଲାରୁ ଖରିଫ୍ ଧାନ ସଂଗ୍ରହ ଆରମ୍ଭ ହେବ ଏବଂ ମାର୍ଚ୍ଚ ମାସ ଯାଏ ଚାଲିବ। ସେହିଭଳି ମେ’ ପହିଲାରୁ ଜୁନ୍ ମାସ ଶେଷ ଯାଏ ରବି ଧାନ ସଂଗ୍ରହ କରାଯିବ। ଏଥର ସାଧାରଣ ଧାନ ଲାଗି ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କ୍ବିଣ୍ଟାଲ ପ୍ରତି ୨୦୪୦ ଟଙ୍କା ରହିଛି। ଗ୍ରେଡ୍-ଏ ଧାନ କ୍ଷେତ୍ରରେ ଏହାର ପରିମାଣ ୨୦୬୦ ଟଙ୍କା। ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଚାଷୀଙ୍କ ଧାନ ବିକ୍ରି ବାବଦ ପ୍ରାପ୍ୟ ୨୪ରୁ ୪୮ ଘଣ୍ଟା ମଧ୍ୟରେ ତାଙ୍କ ବ୍ୟାଙ୍କ ଖାତାକୁ ଅନ୍‌ଲାଇନ୍ ପ୍ରକ୍ରିୟାରେ ସିଧାସଳଖ ପ୍ରଦାନ କରାଯିବ।

Sambad

ଖାଦ୍ୟ ଯୋଗାଣ ବିଭାଗ କହିଛି ଯେ କେବଳ ପଞ୍ଜୀକୃତ ଚାଷୀଙ୍କ ଠାରୁ ସେମାନଙ୍କର ବଳକା ଧାନ ସଂଗ୍ରହ ହେବ ଓ ଆଧାର ହେବ ଏକମାତ୍ର ପରିଚୟ ପତ୍ର। ପ୍ରକୃତ ଚାଷୀ ଧାନ ବିକ୍ରୟ କରୁଛନ୍ତି କି ନାହିଁ ଏବଂ ପଞ୍ଜୀକରଣ ବେଳେ ସେମାନେ ଉଲ୍ଲେଖ କରିଥିବା ଜମିର ବୈଧତାକୁ ନିଶ୍ଚିତ କରିବା ଲାଗି ବିଭାଗ ଏଥର ମଧ୍ୟ ଉପଗ୍ରହ ଚିତ୍ର ମାଧ୍ୟମରେ ଚାଷ ଜମି ଯାଞ୍ଚ କରିବ। ସେହିଭଳି ପଞ୍ଜିକୃତ ଚାଷୀ କେଉଁ ତାରିଖରେ ଧାନ ବିକ୍ରି କରିବେ ଓ କେତେ ପରିମାଣର ବିକ୍ରି ପାଇଁ ଅନୁମତି ଦିଆଯାଇଛି ସେ ସଂକ୍ରାନ୍ତରେ ଆଗୁଆ ସୂଚନା ମୋବାଇଲ୍ ଫୋନକୁ ଏସ୍‌ଏମ୍ଏସ୍ ମାଧ୍ୟମରେ ଜଣାଇ ଦିଆଯିବ। ଓଡ଼ିଶା ଯୋଗାଣ ନିଗମ ସବୁ ଜିଲ୍ଲାରେ ଧାନ ସଂଗ୍ରହ କରିବ। ସେମାନେ ପ୍ୟାକ୍ସ, ଲ୍ୟାମ୍ପ୍ସ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ପାଣି ପଞ୍ଚାୟତ ମାଧ୍ୟମରେ ଧାନ ସଂଗ୍ରହ କରିବେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଜିଲ୍ଲାରେ ଅଧିକ ସଂଖ୍ୟାରେ ନିୟୋଜିତ ଲାଗି ଲକ୍ଷ୍ୟ ରହିଛି। ୨୦୨୦-୨୧ ବର୍ଷ ପାଇଁ ଯଦି କୌଣସି ମିଲରର ବକେୟା ଦେୟ ଅଛି,ସେମାନଙ୍କୁ ଏବର୍ଷ ଧାନ କିଣିବାକୁ ଅନୁମତି ଦିଆଯିବ ନାହିଁ।

ସମ୍ବନ୍ଧିତ ଖବର