ଭଦ୍ରକ: ୨୦୨୩-୨୪ ବର୍ଷ ପାଇଁ  ଚାଷୀଙ୍କଠାରୁ  ସରକାରୀ ମଣ୍ଡି‌ରେ ଖରିଫ୍ ଧାନ କ୍ରୟ କରାଯିବା ନେଇ ଶୁକ୍ରବାର ଭଦ୍ରକର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ  ଜିଲ୍ଲାସ୍ତରୀୟ  ଧାନ ସଂଗ୍ରହ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ  ହୋଇଯାଇଛି। ଆସନ୍ତା ଡିସେମ୍ବର ମାସ ୨୯ ତାରିଖଠାରୁ ସରକାରଙ୍କର ଧାନ ମୂଲ୍ୟ ଧାର୍ଯ୍ୟ ମୂଲ୍ୟ  ଅନୁଯାୟୀ ଚାଷୀଙ୍କଠାରୁ  ଧାନ କିଣା ଆରମ୍ଭ ହେବ। ଏଥିପାଇଁ ସରକାରୀ ମଣ୍ଡିରେ ଧାନ କିଣିବା ପାଇଁ  ଭିତ୍ତିଭୂମି ଓ ସର୍ବନିମ୍ନ ସୁବିଧା ଉପଲବବ୍ଧ ଉପରେ ବୈଠକ‌ର ଆଲୋଚନାରେ ପ୍ରାଧାନ୍ୟ ଦିଆଯାଇଥିଲା। ଧାନ କିଣା ବେଳେ ଚାଷୀଙ୍କୁ ଯେଭଳି ହଇରାଣ ହରକତ କରା ନଯିବ, ସେ ଦିଗପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ବୈଠକରେ ପ୍ରକାଶ କରିଥିଲେ।

Advertisment

ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା‌ ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଧାମନଗର ବିଧାୟକଙ୍କ ପ୍ରତିନିଧି ମନୋରଂଜନ ମଲ୍ଲିକ,  ସାଂସଦଙ୍କ ପ୍ରତିନିଧି ତଥା ପୂର୍ବତନ ବିଧାୟକ  ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ଜିଲ୍ଲା ପରିଷଦର ମୁଖ୍ୟ  ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ ପ୍ରମୁଖ ବୈଠକରେ ଯୋଗଦେଇଥିଲେ।

ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ଚଳିତ  ବର୍ଷ ଫରିଫ ଧାନ ସଂଗ୍ରହ ସଂପର୍କରେ  ସୂଚନା ଦେଇଥିଲେ। ଚଳିତ ବର୍ଷ ଧାନ ସଂଗ୍ରହ ପାଇଁ  ୫୪ଟି ଏସଏସଜି ଓ ୧୦୧ ଟି ପ୍ୟାକ୍ସକୁ ଧାନ କିଣା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୋଟ ୧୫୫ ଟି  ଧାନ କ୍ରୟ କେନ୍ଦ୍ର ଖୋଲା ଯାଇ ଏହି କେନ୍ଦ୍ର ଜରିଆରେ ସରକାରୀ ଭାବେ ଧାନ କ୍ରୟ କରାଯିବ। ସେହିପରି  ମଣ୍ଡିରୁ ଧାନ ଉଠାଇ ଚାଉଳ ଦେବା ପାଇଁ ୨୧ ଟି ମିଲର ଓ ଜିଲ୍ଲା ବାହାରୁ ୨୫ ଟି ମିଲରଙ୍କୁ ମିଶାଇ ମୋଟ ୪୬ଟି ମିଲରଙ୍କୁ ନିଯୁକ୍ତି  ଦିଆଯାଇଛି।

ଚଳିତ ବର୍ଷ ଧାନ ବିକ୍ରୟ ପାଇଁ ୮୩ ହଜାର ୮୬୭ ଜଣ ଚାଷୀ ପଂଜୀକରଣ କରିଛନ୍ତି। ଏଥିପାଇଁ ସେଟଲାଇଟ ସର୍ଭେ କରାଯାଇ ଚାଷୀଙ୍କର ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ପଂଜୀକରଣ କରାଯାଇଛି।  ଧାନ କ୍ରୟ ବେଳେ ଚାଷୀଙ୍କୁ ଯେଭଳି ଅସୁବିଧାରେ ସମ୍ମୁଖୀନ ନହେବାକୁ ପଡିବ ସେ ଦିଗ ଉପରେ ଦୃଷ୍ଟି ଦେବା ନେଇ ବୈଠକରେ ମତ ପ୍ରକାଶ ପାଇଥିଲା। ଧାନ କିଣା ପାଇଁ ଚାଷୀଙ୍କୁ ପ୍ଲ।ଷ୍ଟି ବ୍ୟାଗ ଦିଆ ନଯାଇ କେବଳ ଝୋଟ ବ୍ୟାଗ ମାଧ୍ୟରେ ଧାନ କିଣିବା ପାଇଁ ବ୍ୟାଗ ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି।  ଧାନ କିଣା ପାଇଁ ଯେକୌଣସି ସମସ୍ୟା ପାଇଁ ନି ଶୁକ୍ଳ ଫୋନ ନମ୍ବର– ୧୯୭୬ରେ ଯୋଗାଯୋଗ ଓ ଅଭିଯୋଗ ଦେବାକୁ କୁହାଯାଇଛି। ଯେକୌଣସି ଚାଷୀ ଏଇ  ନମ୍ବରରେ ନିଜର ଅଭିଯୋଗ ଓ ଆପତ୍ତି ଜଣାଇ ପାରିବେ। ମଣ୍ଡିରେ ଧାନ ଦେବାରୁ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀର ଆକାଉଣ୍ଟରେ ଧାନର ଉପଯୁକ୍ତ ସରକାରୀ ମୂଲ୍ୟ ପ୍ରଦାନ କରାଯିବ। ଚଳିତ ବର୍ଷ ସାଧାରଣ ଏଫଏକ୍ୟୁ ମାନର ଧାନ ପାଇଁ କ୍ବିଣ୍ଟାଲ ପିଛା ଚାଷୀଙ୍କୁ ୨୧୮୩ ଟଙ୍କା ପ୍ରଦାନ କରାଯିବ। ଚଳିତ ବର୍ଷ ୨୩ ଲକ୍ଷ ୫୨ ହଜାର ୩୫୨ କ୍ବିଣ୍ଟାଲ ଧାନ କ୍ରୟ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଶେଷରେ ଡିଆରସିଏସ, ସଂପାଦକ ଆରଏମସି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।