ରାଇରଙ୍ଗପୁର: ବାତ୍ୟା ‘ମିଗଜୋମ’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ବହୁସ୍ଥାନରେ ଜାରି ରହିଛି ବର୍ଷା। ଗତ ଦୁଇ ଦିନ ହେଲା ଝିପିଝିପି ବର୍ଷା ଲାଗି ରହିଥିଲା। ପ୍ରବଳ ବର୍ଷା ହେବା ଫଳରେ ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକର ବହୁ ଗ୍ରାମାଞ୍ଚଳର ଚାଷୀମାନଙ୍କର ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ଚିନ୍ତାରେ ଚାଷୀକୁଳ। ଅମଳ ହେବାକୁ ଥିବା ଧାନ ନଷ୍ଟ ହେବାରୁ ଚଷୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ହାର୍ଭେଷ୍ଟର ଲଗାଇ ଅମଳ କରାଯାଇଥିବା ଧାନ ଖଳାରେ ଶୁଖାଇବା ସମୟରେ ଝିପିଝିପି ବର୍ଷା ହୋଇଛି। ଫଳରେ ଅମଳ ହୋଇଥିବା ଧାନ ଫସଲ ବି ବିକ୍ରି ଯୋଗ୍ୟ ହୋଇ ପାରିବ ନାହିଁ।
ସେହିପରି ଚାଷଜମିରୁ ଅମଳ ହୋଇଥିବା ଧାନ ଗଦା ହୋଇଛି। ଧାନ ବିଲରେ ପଡିଥିବା ଧାନ ପେଟା ଗୁଡ଼ିକ ବର୍ଷାପାଣିରେ ବୁଡ଼ି ରହିଛି। ଫଳରେ ଚାଷୀ ଖରିଫ ଚାଷରେ କ୍ଷତିର ସମ୍ମୁଖୀନ ହୋଇଛି। ବାମନଘାଟି ଉପଖଣ୍ଡର ବିଭିନ୍ନ ଚାଷୀଙ୍କ ବିଲରେ ବର୍ଷା ପାଣି ଜମି ରହିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଥିବା ସେମାନେ କହିଛନ୍ତି। ତେବେ ଜିଲ୍ଲାପାଳ ନିର୍ଦ୍ଦେଶ ଦେବେ ତେବେ ସେ ସବୁ ସ୍ଥାନକୁ ଯାଇ କେତେ ଚାଷୀଙ୍କର ଫସଲ ନଷ୍ଟ ହୋଇଛି ତାହାର ଯାଞ୍ଚ କରି ସରକାରଙ୍କୁ ଜଣାଇବାକୁ ହେବ। ଜିଲ୍ଲାପାଳ, ବାମନଘାଟୀ ଉପଖଣ୍ଡର ଉପଜିଲ୍ଲାପାଳ ସମସ୍ତ ବ୍ଲକ ଅଞ୍ଚଳରେ କେତେ ଫସଲ ନଷ୍ଟ ହୋଇଛି ତାହା ଆକଳନ କଲେ ସହାୟତା ପ୍ରଦାନ କରାଯିବ ବୋଲି ଚାଷୀମାନେ ଆଶା ବାନ୍ଧିଛନ୍ତି।