କର୍ଲାମୁଣ୍ଡା : ଲଘୁଚାପ ଜନିତ ବର୍ଷା ହେବା ପରେ ବୁଧବାର ଠାରୁ ପାଗ ନିର୍ମଳ ଥିଲା। ଗୁରୁବାର ପୁଣି ବର୍ଷା ଏବଂ କୋହଲା ପାଗ ଲାଗି ରହିଛି। ଏଥିପାଇଁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ପାଗ ବଦଳିବା ପରେ ଧାନ କଟା ଆରମ୍ଭ କରିଥିଲେ। କିନ୍ତୁ ବର୍ଷା ହେବାରୁ କ୍ଷେତରେ ଥିବା ଧାନ ପେଟା ଭିଜିଯାଇଛି। ଅନ୍ୟପଟେ ମଣ୍ଡିରେ ପଡ଼ି ରହିଥିବା ଧାନ ବସ୍ତା ବର୍ଷାରେ ଭିଜୁଛି। ଧାନକୁ କିଭଳି ଶୁଖାଇବ ଚାଷୀ ଚିନ୍ତାରେ ପଡ଼ିଛି।
ଏହି ଧାନ ମଣ୍ଡିକୁ ଯିବା ପରେ ମିଲର୍ସ ମାନେ ଆର୍ଦ୍ରତା ଆଳ ଦେଖାଇ ଧାନ ଉଠାଇବାକୁ ରାଜି ହେବେ ନାହିଁ। ଫଳରେ କୁଇଣ୍ଟାଲ ପିଛା ଅତ୍ୟଧିକ କଟନି ଛଟନି ହେବ। ମୋଟା ମୋଟି କହିବାକୁ ଗଲେ ଚାଷୀ ହିଁ ଶୋଷଣର ଶିକାର ହେବ। ଏଥିପ୍ରତି ବିରୋଧୀ ଦଳ ଗୁଡ଼ିକ ମଧ୍ୟ ସ୍ୱର ଉଠାଉ ନାହାନ୍ତି। ଯଦି ଉଭୟ ଶାସକ ଓ ବିରୋଧି ଚାଷୀଙ୍କ କଥା ବିଚାର ନକରନ୍ତି, ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ କଡ଼ା ଜବାବ ଦିଆଯିବ ବୋଲି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।