ହାତୀ ଦଳି ଦେଲେ ୧୦ ଏକର ଧାନ ଫସଲ

ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଅନ୍ତର୍ଗତ ବିମଳା ଫରେଷ୍ଟ ସେକ୍ସନରେ ଥମୁନି ହାତୀ ଉପଦ୍ରବ। ଗତକାଲି ସନ୍ଧ୍ୟାରେ ପଡାଙ୍ଗ ଗ୍ରାମରେ ୧୬ଟିକିଆ ହାତୀ ପଲ ପଶି ୧୦ ଏକର ଧାନ ଫସଲ ଖାଇବା ସହିତ ମାଡିଦଳି ନଷ୍ଟ କରିଦେଇଛନ୍ତି। ଗ୍ରାମ ନିକଟସ୍ଥ ସିପେଇ ମୁଣ୍ଡା ଚକରେ ପଶି କାର୍ତ୍ତିକ ନାୟକ, ଗୌତମ ନାୟକ, ବୈରାଗୀ ବେହେରା, ଡାଡୁ ମୁଣ୍ଡା, ରମା ନାୟକ, ଦୁଷ୍ମନ୍ତ ଗିରିଙ୍କ ୧୦ ଏକର ଧାନ ଫସଲ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ସନ୍ଧ୍ୟା ୭ଟାରୁ ରାତି ଏଗାରଟା ପର୍ଯ୍ୟନ୍ତ ହାତୀ ପଲ ଉପଦ୍ରବ ଜାରି ରଖିଥିଲେ। ଏପରି କି ବନ୍ୟପ୍ରାଣୀଙ୍କ କବଳରୁ ଫସଲ ବଞ୍ଚାଇ ରଖିବା ପାଇଁ ବ୍ୟବହୃତ ହେଉଥିବା ଏକ ମଞ୍ଚା ମଧ୍ୟ ଭାଙ୍ଗି ଦେଇଛନ୍ତି।

ବର୍ତ୍ତମାନ ଧାନ ପାକଳ ହେବା ସହିତ ଅମଳ ମଧ୍ୟ ଆରମ୍ଭ ହେଲାଣି। ଅମଳ ଅପେକ୍ଷାରେ ଥିବା ଧାନ ଫସଲକୁ ହାତୀପଲ ନଷ୍ଟ କରୁଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବନ ବିଭାଗ ପକ୍ଷରୁ ହାତୀପଲକୁ ଅନ୍ୟତ୍ର ଘଉଡାଇବା ଉଦ୍ୟମ ମଧ୍ୟ କରାଯାଉ ନଥିବା ଚାଷୀ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ଅନିୟମିତ ବର୍ଷା ଫଳରେ ଚାଷୀମାନଙ୍କୁ ନାକେଦମ ହେବାକୁ ପଡ଼ିଛି। ବହୁ କଷ୍ଟ ସ୍ବୀକାର କରି ଫସଲ ଫଳାଇଛନ୍ତି। ବର୍ଷଯାକର ଖାଦ୍ୟକୁ ଏବେ ହାତୀ ଉଜାଡ଼ିବାରେ ଲାଗିଛନ୍ତି। ଏପରି କି ବର୍ଷ ତମାମ ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଛି। ହାତୀ ଓ ମଣିଷଙ୍କ ମଧ୍ୟରେ ଲଢେ଼ଇ ହୋଇ ଧନଜୀବନ ହାନି ଘଟୁଛି। ତୁରନ୍ତ ହାତୀ ପଲକୁ ଅନ୍ୟତ୍ର ଘଉଡାଇବା ସହିତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।

ଏନେଇ ବିମଳା ଫରେଷ୍ଟର ଜ୍ୟୋର୍ତିମୟୀ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଥିଲେ ଯେ ବିମଳା ଫରେଷ୍ଟ ସେକ୍ସନରେ ୩ଟି ଦଳରେ ୨୮ଟି ହାତୀ ଅଛନ୍ତି। ପଡାଙ୍ଗ ଦଳରେ ୧୬ଟି, ଅନ୍ୟ ଦଳରେ ୧୧ଟି ଓ ଗୋଟିଏ ଏକୁଟିଆ ହାତୀ ରହିଛନ୍ତି। ହାତୀଙ୍କ ଗତିବିଧି ଓ ଲୋକଙ୍କ ଧନଜୀବନ ପ୍ରତି ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଉଥିବା ଫରେଷ୍ଟ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର