କାରଖାନାର ବର୍ଜ୍ୟଜଳରେ ବୁଡ଼ିଲା ଧାନ ଫସଲ, ଥାନାରେ ଅଭିଯୋଗ

କୋରେଇ : ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ମୃତ୍ୟୁଞ୍ଜୟପୁର ବାଡ଼ା ଗ୍ରାମର ଚାଷୀ ବିଷ୍ଣୁଚରଣ ପ୍ରତିହାରୀଙ୍କ ୧୦ ଗୁଣ୍ଠରୁ ଊର୍ଦ୍ଧ୍ବ ପାଚିଲା ଧାନ କିଆରିରେ ସ୍ବର୍ଣ୍ଣଲତା ଏଣ୍ଟରପ୍ରାଇଜର୍ସ (ଟାଇଲ ଆଣ୍ତ ବ୍ରିକ୍ସ୍) କମ୍ପାନି କର୍ତ୍ତୃପକ୍ଷ କେମିକାଲ ଓ ବର୍ଜ୍ୟ ପାଣି ପୂରାଇ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଶ୍ରୀ ପ୍ରତିହାରୀ ଆଜି କୋରେଇ ଥାନାରେ ଅଭିଯୋଗ କରିବା ସହିତ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।

ଅଭିଯୋଗ ମୁତାବକ, ଶ୍ରୀ ପ୍ରତିହାରୀଙ୍କର ଖାତା ନଂ-୮୨, ପ୍ଲଟ୍‌ ନଂ-୯ର ମୁଲରୀ ମୌଜାରେ ୨ ଏକରରୁ ଅଧିକ ଜମି ରହିଛି। ଗତକାଲି ଶ୍ରୀ ପ୍ରତିହାରୀ ପାଚିଥିବା ଧାନ କାଟିବା ପାଇଁ ମେସିନ ନେଇ କ୍ଷେତକୁ ଯାଇଥିବା ବ‌େଳେ ସେଥିରେ ଆଣ୍ଠୁଏ ଗଭୀରର ପାଣି ଜମିଥିବା ଦେଖିବାକୁ ପାଇଥିଲେ। ରାସ୍ତା ଆର ପାର୍ଶ୍ବରେ ଥିବା ସ୍ବର୍ଣ୍ଣଲତା ଏଣ୍ଟରପ୍ରାଇଜର୍ସ (ଟାଇଲ ଆଣ୍ତ ବ୍ରିକ୍ସ୍) କାରଖାନାରୁ ଏହି ପାଣି ଧାନବିଲକୁ ଆସିବା ସହ ପ୍ରାୟ ୧୦ ଗୁଣ୍ଠ ଜମିର ଧାନ ବୁଡ଼ିଯାଇଥିଲା। କେମିକାଲ ପାଣି ଓ କାରଖାନା କର୍ମଚାରୀ ବ୍ୟବହାର କରୁଥିବା ଗାଧୁଆଘର, ପାଇଖାନାର ବଜ୍ୟଜଳକୁ ରାସ୍ତା ତଳେ ବେଆଇନ ଭାବେ ନାଳ କରି ଜମିକୁ ଛାଡ଼ି ଦିଆଯାଇଥିଲା। ଫଳରେ ଦୁର୍ଗନ୍ଧ ହେବା ସହ ପ୍ରାୟ ୧୫ ହଜାର ଟଙ୍କାର ଧାନ ନଷ୍ଟ ହୋଇଯାଇଥିବା ଚାଷୀ ଶ୍ରୀ ପ୍ରତିହାରୀ ଅଭିଯୋଗ କରିଛନ୍ତି।

ଏନେଇ ଟାଇଲ କାରଖାନାର ମାଲିକ କୈଳାସ ଚନ୍ଦ୍ର ପହୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ କର୍ଣ୍ଣପାତ କରିନଥିଲେ। ପାଇଖାନାର ବର୍ଜ୍ୟ ପାଣି ଓ କାରଖାନାର କେମିକାଲ ପାଣି ବୁଡ଼ି ରହିଥିବାରୁ ଏହି ଜମିରେ ମେସିନ ପଶିପାରୁନାହିଁ। ଅନ୍ୟପକ୍ଷରେ ପୂତିଗନ୍ଧମୟ ଜମିରେ ଶ୍ରମିକମାନେ ମଧ୍ୟ କାମ କରିବାକୁ ରାଜି ହେଉନାହାନ୍ତି। ଏହାର ତଦନ୍ତ କରାଯାଇ କାରଖାନା ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ପାଇଁ ଚାଷୀ ଶ୍ରୀ ପ୍ରତିହାରୀ ଦାବି କରିଛନ୍ତି। ଏସମ୍ପର୍କରେ କୋରେଇ ଥାନାଧିକାରୀ ରଂଜିତ କୁମାର ମହାନ୍ତିଙ୍କୁ ପଚାରିବାରୁ ଅଭିଯୋଗକୁ ସ୍ବୀକାର କରିବା ସହ କାରଖାନା କର୍ତ୍ତୃପକ୍ଷଙ୍କୁ ଆଲୋଚନା ପାଇଁ ଡକାଯାଇଛି। ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି ଥାନାଧିକାରୀ ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର