ଭଞ୍ଜନଗର: ଆଉ କିଛି ଦିନ ଗଲେ ଧାନ କ୍ଷେତରେ ଲାଗିଥିବା ଫସଲ ଅମଳ ହେବ। ବିଭିନ୍ନ ସମୟରେ ଲଗାଣ ବର୍ଷା ଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ହାଡ଼ ଭଙ୍ଗା ପରିଶ୍ରମ କରି ବର୍ଷାସାରା ପାଇଁ ଆହାର ଯୋଗାଡ଼ରେ ଲାଗି ପଡିଛି ଚାଷୀକୂଳ। ଚଳିତ ବର୍ଷ ଲଗାଣ ବର୍ଷା ଚାଷୀ ପାଇଁ ବିପଦ ସାଜିଛି। ଅନେକ ଦିନ ଧରି ଖାଲୁଆ ଜମିରେ ପାଣି ଜମି ରହିଥିଲା। ପାଣି ନିଷ୍କାସନ ହେବାପାଇଁ ବହୁ ଦିନ ଅପେକ୍ଷା କରିବାକୁ ପଡିଥିଲା। ଏହାପରେ ମଧ୍ୟ ବହୁ କଷ୍ଟରେ ବର୍ଷକର ଆହାର ଯୋଗାଡ କରିବା ପାଇଁ ଚାଷୀକୂଳ ଅଣ୍ଟାଭିଡ଼ିଥିଲା। ଅନେକ ଚାଷ ଜମିରେ ଚାଷୀ ପୁଣି ତଳି ବୁଣି ଚାଷକାର୍ଯ୍ୟ ତ୍ବରାନ୍ବିତ କରିଥିଲା। ବର୍ତ୍ତମାନ ଧାନ ଫସଲ ଅମଳକୁ ଚାଷୀ ଅପେକ୍ଷା କରିଥିବା ବେଳେ ବନ୍ୟଜନ୍ତୁଙ୍କ ଉପଦ୍ରବ ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି।
ଚାଷ କ୍ଷେତରେ ଚାଷୀମାନେ ବନ୍ୟଜନ୍ତୁ ମାନଙ୍କ ଠାରୁ ନିଜ ଫସଲ ସୁରକ୍ଷା କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ତଥାପି ଫସଲକୁ ସୁରକ୍ଷା ଦେବାରେ ଅସମର୍ଥ ହେଉଥିବା ଅଭିଯୋଗ କରୁଛନ୍ତି। ଜଙ୍ଗଲି ବାରାହା, ମାଙ୍କଡ଼ମାନେ କ୍ଷେତରେ ପଶି ଫସଲ ନଷ୍ଟ କରୁଥିବା ବେଳେ କେତେକ ସ୍ଥାନରେ ହାତୀପଲ ମଧ୍ୟ କ୍ଷେତରେ ପଶି ଫସଲ ନଷ୍ଟ କରୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ବନ୍ୟଜନ୍ତୁ ଖାଦ୍ୟ ପାଇଁ ଜମିରେ ପଶୁଥିବା ବେଳେ ଖାଇବା ଅପେକ୍ଷା ଅଧିକ ଦଳି ଚକଟି ନଷ୍ଟ କରୁଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି। ଏଥିପାଇଁ ଅନେକ ସ୍ଥାନରେ ଚାଷୀମାନେ ଗଛ ଉପରେ ମଞ୍ଚା ବାନ୍ଧି ରାତିସାରା ଜଗୁଥିବା ଦେଖିବାକୁ ମିଳିଛି। ଧାନକେଣ୍ଡା ବର୍ତ୍ତମାନ ନଇଁ ଆସୁଥିବା ବେଳେ ବାରାହା୍ ପଲ ପଶି ନଷ୍ଠ କରୁଛନ୍ତି।
ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ,ଗାଲେରୀ,ତାରସିଂ ବନାଞ୍ଚଳ ଅଧିନ ବହୁ ଗ୍ରାମରେ ହାତୀପଲ ମାତି ଥିବା ଦେଖିବାକୁ ମିଳିଛି। ଏଥିସହ ବର୍ତ୍ତମାନ ମାଙ୍କଡ ଓ ବାରହା ଚାଷୀଙ୍କ ନିଦ ହଜାଇ ଦେଇଛି। ସାନକୋଦଣ୍ଡା,ଯୋଗୀମାରୀ,ବାହାଡାପଦର,ମୁଦୁଲିପଲ୍ଲୀ ଗ୍ରାମ ନିକଟରେ ଥିବା କ୍ଷେତରେ ବାରାହା ଉପଦ୍ରବ ଲାଗି ରହିଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି। ସେହିପରି ଗୋଲାପଡା,ସାଦରା,ଗୋପିନାଥପୁର ଇଲାକାରେ ମାଙ୍କଡ ପଲ ପ୍ରତିଦିନ ଉତ୍ପାତ ଖେଳାଇଥିବା ଚାଷୀ ନେତା ଭକ୍ତରାମ ଜେନା ପ୍ରକାଶ କରିଛନ୍ତି। ଏଥିସହ ପରିବା କ୍ଷେତରେ ମଧ୍ୟ ମାଙ୍କଡ ମାନେ ପଶି ଉତ୍ପାଦିତ ହେବାକୁ ଥିବା ପରିବା ମଧ୍ୟ ଖାଇ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି।
ବାରାହା ଓ ହାତୀପଲଙ୍କୁ ଘୋଉଡାଇବା ପାଇଁ ବନ ବିଭାଗ କର୍ମଚାରୀ ମାନଙ୍କ ସହଯୋଗ ନେଉଥିବା ବେଳେ ଅନେକ ସ୍ଥାନରେ ଚାଷୀମାନେ ରାତି ଉଜାଗର ହୋଇ ନିଜ ଜମିକୁ ସୁରକ୍ଷା ଦେଉଥିବା ପ୍ରକାଶ କରିଛନ୍ତି। ଏପରିକି କିଛି ଦିନ ତଳେ ତାରସିଂ ବନାଞ୍ଚଳର କ୍ଷେତମୁଣ୍ଡଳୀ ଗ୍ରାମର ପବିତ୍ର ପାତ୍ର ରାତିରେ ଚାଷ ଜମି ଜଗିଥିବା ସମୟରେ ଆସିଥିବା ହାତୀକୁ ଘଉଡାଇବା ସମୟରେ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିଲେ। ତେବେ ବନ୍ୟଜନ୍ତୁ କ୍ଷୟକ୍ଷତି କରିଲେ ବନ ବିଭାଗ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଉଥିବା ବେଳେ ତାହା କ୍ଷୟକ୍ଷତି ହୋଇଥିବା ଫସଲ ସହ ସମାନ ହେଉନଥିବା ଚାଷୀ ମାନେ କହିଛନ୍ତି। ତେଣୁ କ୍ଷୟକ୍ଷତି ମିଳିବା ଅପେକ୍ଷା ମୁଣ୍ଡଝାଳ ତୁଣ୍ଡରେ ମାରି ଉର୍ପାଜନ କରିଥିବା ଫସଲକୁ ସରୁକ୍ଷା କରିବା ପାଇଁ ଦିନରାତି ସଜାଗ ରହିଛନ୍ତି ଚାଷୀ ମାନେ। ଭଞ୍ଜନଗର ତଥା ଆଖପାଖ ଗ୍ରାମ ଗୁଡିକରେ ଏଭଳି ବନ୍ୟଜନ୍ତୁ ମାନଙ୍କ ଉପଦ୍ରବ ଲାଗି ରହିଥିବା ଜଣାପଡ଼ିଛି।
ଅନେକ ସ୍ଥାନରେ ନିଜର ଫସଲକୁ ସୁରକ୍ଷିତ ରଖିବା ନିମନ୍ତେ କିଛି ବ୍ୟକ୍ତି ଜମିରେ ବିଦ୍ୟୁତ୍ ତାର ଖଞ୍ଜି ଦେଉଥିବାରୁ ଅନେକ ସମୟରେ ମଣିଷ ମଧ୍ୟ ଏହାର ଶିକାର ହେଉଥିବା ନଜିର ରହିଛି। ଚାଷ ଜମିରୁ ବନ୍ୟଜନ୍ତୁକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପଦେକ୍ଷେପ ଗ୍ରହଣ କରିବା ପାଇଁ କିଛି ଚାଷୀ ଦାବି କରିଛନ୍ତି। ଜଙ୍ଗଲ ମଧ୍ୟରେ ଆବଶ୍ୟକ ପରିମାଣର ଖାଦ୍ୟ ପାଉନଥିବାରୁ ବନ୍ୟଜନ୍ତୁ ଧାନଗଛ ବାସ୍ନାରେ ଜମି ମୁହାଁ ହୋଇଥିବା ମତପ୍ରକାଶ ପାଇଛି।