ଦୁର୍ବଳ ହେଲା ବାତ୍ୟା ଜୱାଦ୍, ତଥାପି ଟଳିନି ବିପଦ: ମିଳିଲାନି ସୁରକ୍ଷିତ ସ୍ଥାନ, ବର୍ଷାରେ ଭିଜିଲା ପାଚିଲା ଧାନ

ଚାଷୀ ମୁଣ୍ଡରେ ଚଡ଼କ, ସତର୍କ କରାଇ ପ୍ରଶାସନ ଚୁପ୍

ବାଲେଶ୍ୱର : ଦୁର୍ବଳ ହେଲା ବାତ୍ୟା ଜୱାଦ୍। ସମୁଦ୍ର କୂଳବର୍ତ୍ତୀ ଜିଲ୍ଲାମାନଙ୍କ ପ୍ରତି ସେତେଟା ବିପଦ ନାହିଁ। ଯଦିଓ ଆଜି ସକାଳୁ ବାତ୍ୟା ପ୍ରଭାବରେ ପବନ ଓ ବର୍ଷା ହେବାର ରହିଛି, ତେବେ ଏହା ବେଶି କ୍ଷତି କରିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପବନ ଓ ବର୍ଷା ହେବାର ଥିବାରୁ ପଦାକୁ ନ ବାହାରିବାକୁ ନିମନ୍ତେ ଏସଆରସି ସତର୍କ କରାଇଛନ୍ତି। ପବନ ଓ ବର୍ଷାରେ ଧାନ ଓ ଅଣଧାନ ଫସଲ କ୍ଷତିଗ୍ରସ୍ତ ବୋଲି ବୋଲି ମଧ୍ୟ ଏସଆରସି କହିଛନ୍ତି। ବାଲେଶ୍ବରରେ ଶୁକ୍ରବାର ରାତିରୁ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ବାତ୍ୟା ଦୃଷ୍ଟିରୁ ଶୁକ୍ରବାରଠାରୁ କିଛି ସ୍ଥାନରୁ ୧୨୦ ଜଣ ଗ୍ରାମବାସୀଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିଲା। ୩୦ ଗର୍ଭବତୀ ମହିଳାଙ୍କ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ବାତ୍ୟା ଦୁର୍ବଳ ହେବା ପରେ ଶନିବାର ଆଉ କାହାରିକୁ ସ୍ଥାନାନ୍ତରଣ କରାଯାଇ ନଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ପବନ ଓ ବର୍ଷା ହେବାର ଥିବାରୁ ଏଥି ପ୍ରତି ନଜର ରଖାଯାଇଥିବା ନେଇ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି।

ବାତ୍ୟା ଟଳି ଥିଲେ ବି ବର୍ଷା ଲାଗି ରହିଥିବାରୁ ବାଲେଶ୍ୱର ଜିଲ୍ଲାରେ ଧାନ ଓ ଅଣଧାନ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ବିଶେଷତଃ ପାଚିଲା ଧାନ ନଷ୍ଟ ହେବା ସୁନିଶ୍ଚିତ। ଜିଲ୍ଲାରେ ପ୍ରାୟତଃ ୭୦ ପ୍ରତିଶତ ପାଚିଲା ଧାନ ଅମଳ ହୋଇ ସାରିଛି। ତେବେ ଆଉ ୩୦ ପ୍ରତିଶତ ଧାନ ଅମଳ କରିବାକୁ ଥିବା ବେଳେ ବାତ୍ୟା ଆସିଛି। ୩-୪ ଦିନ ହେଲା ଚାଷୀମାନେ ତରବରିଆ ଭାବେ ପାଚିଲା ଧାନ କାଟିବାରେ ଲାଗିଛନ୍ତି। ସୁରକ୍ଷିତ ସ୍ଥାନ ଅଭାବରୁ କଟାଯାଇଥିବା ପାଚିଲା ଧାନ ବିଲରେ ପଡିଛି। ବର୍ଷା ଯୋଗୁ ବିଲରେ ପାଣି ଜମି ରହିଛି। ଏଥି ଯୋଗୁ ପାଚିଲା ଧାନ ଭିଜିଯାଇଛି। ସେପଟେ ଅମଳ ହୋଇଥିବା ଧାନ ମଧ୍ୟ ଭିଜିଛି। ସବୁ ଚାଷୀଙ୍କର ଖଳା ନଥିବାରୁ କିଲ ବାଡିରେ ତ ଆଉ କିଏ ବାରଣ୍ଡାରେ ଧାନ ଗଦା କରି ଦେଇଥିଲେ। ଅସୁରକ୍ଷିତ ଭାବେ ପଡିଥିବା ଧାନ ବର୍ଷାରେ ଭିଜିଯାଇଛି। ଯଦି ୨-୩ ଦିନ ମଧ୍ୟରେ ଖରା ନ ହୁଏ ତାହା ହେଲେ ଭିଜା ଧାନ ଗଜା ହେବାର ଆଶଙ୍କା ରହିଛି।

ସମ୍ଭାବ୍ୟ ବାତ୍ୟାକୁ ଦେଖି ପ୍ରଶାସନ ପକ୍ଷରୁ ଅମଳ ଧାନ ସୁରକ୍ଷିତ ରଖିବା ଏବଂ ବିଲରେ ଥିବା ପାଚିଲା ଧାନକୁ ତୁରନ୍ତ ଅମଳ କରି ନେବାକୁ ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ତେବେ ଅମଳ ଧାନ ରଖିବାକୁ ସୁରକ୍ଷିତ ସ୍ଥାନ ନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି କହନ୍ତି ବାହାନଗା ଅଞ୍ଚଳର ଚାଷୀ ମକରଧ୍ବଜ ମଲ୍ଲିକ। ଚଳିତ ବର୍ଷ ସେ ୪ ଏକର ଜମିରେ ଧାନ ଚାଷ କରିଥିଲେ। ସେଥିରୁ ୨ ଏକର ଜମିରୁ ଧାନ ଅମଳ କରିଥିଲେ। ବିଳମ୍ବରେ ଚାଷ ହୋଇଥିବାରୁ ବାକି ୨ ଏକର ଜମିରେ ପାଚିଲା ଧାନ ଅମଳ ହୋଇ ପାରି ନଥିଲା। ବାତ୍ୟା ଯୋଗୁ ତରବରିଆ ଭାବେ ମେସିନ୍ ସାହାଯ୍ୟରେ କଟାଯାଇଛି। ହେଲେ ବିଲରେ ସବୁ ଧାନ ପଡିଥିବା ବେଳେ ଟ୍ରାକ୍ଟର ନ ମିଳିବାରୁ ଉଠାଯାଇ ପାରି ନାହିଁ। ବର୍ଷା ଯୋଗୁ ବିଲରେ ପାଣି ଜମି ଧାନ ସବୁ ଭିଜିଯାଇଛି ବୋଲି ସେ କହିଛନ୍ତି। ସେହିପରି ୨-୩ ଦିନ ହେଲା ତରିବରିଆ ଭାବେ କଟାଯାଇଥିବା ଧାନ ସବୁ ବିଲରେ ଭିଜିଯାଇଛି ବୋଲି କହିଛନ୍ତି ବସ୍ତା ଅଞ୍ଚଳର ଚାଷୀ ତପନ ଦେହୁରୀ ଓ ମନୋଜ ରାଉତ।

ତେବେ ପ୍ରଶାସନ ପକ୍ଷରୁ ତୁରନ୍ତ ଧାନ ସଂଗ୍ରହ କରାଯାଇଥିଲେ ଏଭଳି ସମସ୍ୟା ହୋଇ ନଥାନ୍ତା ବୋଲି ଚାଷୀଙ୍କ ମହଲରୁ କୁହାଯାଇଛି। ଆସନ୍ତା ୧୫ କିମ୍ବା ୨୨ ତାରିଖରୁ ଧାନ କିଣା ଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ବାହାନଗା, ସିମୁଳିଆ, ବସ୍ତା, ଔପଦା,ଖଇରା, ବାଲିଆପାଳ ଏବଂ ସଦର ବ୍ଳକରେ ଅଧିକାଂଶ ସ୍ଥାନରେ ପାଚିଲା ଧାନ ବର୍ଷାରେ ଭିଜିଯାଇଥିବା ଜଣା ପଡିଛି। କାହାର ଖଳାରେ ତ ଆଉ କାହାର ବିଲରେ ପାଚିଲା ଧାନ ପାଣିରେ ଭିଜିଛି। ସେହିପରି ଅଣଧାନ ଚାଷ ବି ବର୍ଷା ଯୋଗୁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ବର୍ତ୍ତମାନ ବିଭିନ୍ନ ବ୍ଲକରେ ଫୁଲକୋବି, ବନ୍ଧାକୋବି, ଟମାଟୋ, ବାଇଗଣ ସମେତ ଅନ୍ୟାନ୍ୟ ଚାଷ ହୋଇଛି। ଚାଷୀମାନେ ବିକ୍ରି କରିବା ଆରମ୍ଭ କରିଛନ୍ତି। ତେବେ ବର୍ଷା ଯୋଗୁ ଏସବୁ ଫସଲ ନଷ୍ଟ ହେବା ଜାଣି ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି। ସ୍ବଚନାଯୋଗ୍ୟ ଚଳିତ ବର୍ଷ ଖରିଫରେ ଜିଲ୍ଲାରେ ୧ ଲକ୍ଷ ୯୮ ହଜାର ୫୩୧ ହେକ୍ଟର ଜମିରେ ଧାନ ଏବଂ ୨୧ ହଜାର ୨୦୭ ହେକ୍ଟର ଜମିରେ ଅଣଧାନ ଚାଷ ହୋଇଥିଲା। ନିଅଣ୍ଟିଆ ବର୍ଷା ଯୋଗୁ ବିଳମ୍ବରେ ଚାଷ କାର୍ଯ୍ୟ ହୋଇଥିଲା। ବାତ୍ୟା, ବନ୍ୟା ପରେ ପୁଣି ଏକ ବାତ୍ୟା ଆସୁଥିବାରୁ ଏବର୍ଷ ବାଲେଶ୍ବର ଜିଲ୍ଲାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ପଡିଛି।

ସମ୍ବନ୍ଧିତ ଖବର